Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅଠରରୁ ଅଠର ମାସର ମହାଭାରତ

    Date: Jan 1, 2018    Views: 378

    ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୁଅନ୍ତୁ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ନୂଆବର୍ଷର ଅଭିନନ୍ଦନ ଅବକାଶରେ ସମସ୍ତେ ସିନା ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି, ହେଲେ ଭଗବାନଙ୍କ ନିକଟରେ ରାଜନୀତିକ କ୍ଷମତା ହାତେଇବା ପାଇଁ ମାନସିକ ବି କରିଛନ୍ତି  । ଖୁବଶୀଘ୍ର ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏହା ପ୍ରତିଫଳିତ ହେବ  । କଥା କଟାକଟି, ଆକ୍ଷେପ ପ୍ରତିଆକ୍ଷେପ, ମଇଦାନରେ ମୁହାଁମୁହିଁ ହେବାଠାରୁ ଆରମ୍ଭ କରି ରାଜନୀତିର ସମସ୍ତ ଛନ୍ଦକପଟ ଏଇ ବର୍ଷ ହିଁ ବେଶୀ ଦେଖିବାକୁ ମିଳିବ  ।


    ଯଦିଓ ସାଧାରଣ ଭୋଟରଙ୍କ ପାଇଁ ୨୦୧୯ ହେଉଛି ସାଧାରଣ ନିର୍ବାଚନର ବର୍ଷ, ହେଲେ ରାଜନୈତିକ ଦଳଗୁଡ଼ିକ ପାଇଁ ୨୦୧୮ ଅତୀବ ଗୁରୁତ୍ୱପୂର୍ଣ୍ଣ  । ୨୦୧୪ ମେ’ ଶେଷ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେଇଥିବାବେଳେ ଓଡ଼ିଶାରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ  । ତାହାକୁ ଅନୁଶୀଳନ କଲେ ୨୦୧୯ ରାଜନୀତିକ ମହାଭାରତ ପାଇଁ ଆଜିଠାରୁ ଠିକ ୧୮ ମାସ ସମୟ ରହିଛି  । ଏଠାରେ ସୂଚାଇ ଦିଆଯାଇପାରେଯେ, ମହାଭାରତ ଯୁଦ୍ଧ ୧୮ ଦିନ ଧରି ଚାଲିଥିଲା  । ହେଲେ ଭାରତର ଏହି ରାଜନୀତିକ ମହାଭାରତ ୨୦୧୮ ଜାନୁଆରୀରୁ ପ୍ରାୟ ଅଠର ମାସ ଧରି ଚାଲିବ  । ଇତିମଧ୍ୟରେ ପରୋକ୍ଷ ଭାବେ ଭାରତର ସମସ୍ତ ରାଜନୀତିକ ଦଳଗୁଡ଼ିକ ଯୁଦ୍ଧର ଶଙ୍ଖନାଦ କରିସାରିଛନ୍ତି  । 


    ୨୦୧୭ ବିଜେପି ପାଇଁ ବହୁତ ଭଲ ବର୍ଷ ଥିଲା  । ଅଧିକାଂଶ ନିର୍ବାଚନରେ ବିଜେପି ପ୍ରତିପକ୍ଷ କଂଗ୍ରେସକୁ ମାତ୍ ଦେଇଥିଲା  । ତେବେ ବର୍ଷ ଶେଷବେଳକୁ ସମାପ୍ତ ଗୁଜୁରାଟ ନିର୍ବାଚନ ବିଜେପିକୁ ସାମାନ୍ୟ ଝଟକା ଦେଇଛି  । ଗୁଜୁରାଟରେ ବିଜେପି ସରକାର ଗଢ଼ିବାରେ ସକ୍ଷମ ହୋଇଥିଲେ ବି ମୋଦି ଓ ଶାହାଙ୍କ ଗଡ଼ରେ ରାହୁଲଙ୍କ ଦବଦବା ବେଶ୍ ପ୍ରତୀୟମାନ ହୋଇଥିଲା  । ଏମିତିକି ମୋଦି କିମ୍ବା ଶାହାଙ୍କ ନିଷ୍ପତିକୁ ଚ୍ୟାଲେଂଜ ଦେବାର ସାହସ ରଖିନଥିବା ନୀତିନ ପଟେଲଙ୍କ ଭଳି ନେତା ବିଦ୍ରୋହର ବିଗୁଲ ବଜାଇ ବିଜେପି ଶିବିରକୁ ଶିହରେଇ ଦେଇଛନ୍ତି  । ଯେଉଁଥିପାଇଁ ମୋଦି ଓ ଶାହାଙ୍କ ଭଳି ଦୃଢ଼ମନା ନେତୃତ୍ୱ ମଧ୍ୟ ଜିଦରୁ ଓହରିବାକୁ ବାଧ୍ୟ ହୋଇ ନୀତିନଙ୍କୁ ଅର୍ଥ ବିଭାଗ ଧରାଇବାକୁ ବାଧ୍ୟ ହୋଇଛନ୍ତି  । ଅପରପକ୍ଷରେ ବାରବାର ପରାଜୟର ଗ୍ଲାନିରେ ଜର୍ଜରିତ ରାହୁଲ ଗାନ୍ଧୀଙ୍କ ପାଇଁ ଗୁଜୁରାଟ ନିର୍ବାଚନ ଏକ ଆଶାର କିରଣ କହିଲେ ଅତୁ୍ୟକ୍ତି ହେବନାହିଁ  । ବିଜେପିକୁ କଡ଼ା ଟକ୍କର ଦେଇ ରାହୁଲ ନିଜକୁ ଭବିଷ୍ୟତର ନେତା ଭାବେ ଉପସ୍ଥାପିତ କରିବାରେ ସମର୍ଥ ହୋଇପାରିଛନ୍ତି ବୋଲି ଜାତୀୟ ରାଜନୈତିକ ବିଶାରଦମାନେ ମତପୋଷଣ କରିଛନ୍ତି  ।


    ୨୦୧୮ରେ ଉଭୟ ବିଜେପି ଓ କଂଗ୍ରେସ ପାଇଁ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଅତୀବ ଗୁରୁତ୍ୱପୂର୍ଣ୍ଣ  । କର୍ଣ୍ଣାଟକରେ କଂଗ୍ରେସ ସରକାର ଥିବାବେଳେ ବାକି ତିନୋଟିରେ ବିଜେପି ସରକାର ରହିଛି  । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଗତ ଦେଢ଼ ଦଶନ୍ଧି କାଳ ବିଜେପି କ୍ଷମତାରେ ରହିଆସିଛି  । କର୍ଣ୍ଣାଟକ ଦଖଲ ପାଇଁ ବିଜେପି ପୁଣି ୟେଦୁରପ୍ପାଙ୍କ ଉପରେ ଭରସା ରଖିଥିବାବେଳେ କଂଗ୍ରେସର ସ୍ଥିତି ପୂର୍ବାପେକ୍ଷା ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି  । ତେବେ ମଧ୍ୟପ୍ରଦେଶରେ ସରକାରୀ ବିରୋଧୀ ହାୱା ବହିବା ଆରମ୍ଭ କରିଥିବାବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ କଂଗ୍ରେସ ମଜବୁତ ହେବା ଆରମ୍ଭ କରିଛି  । ଅପରପକ୍ଷରେ ରମଣ ସିଂହଙ୍କ ସରକାର ମଧ୍ୟ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି  । ସେହିପରି ରାଜସ୍ଥାନରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳିବାର ନଜିର ରହିଛି  । ୨୦୦୩ରେ ଏହି ତିନୋଟି ରାଜ୍ୟରେ ବିଜେପି ବହୁମତ ପାଇ ସରକାର ଗଢ଼ିବା ପରେ ଆଗୁଆ ନିର୍ବାଚନ ପାଇଁ ଓହ୍ଲାଇଥିଲେ ଅଟଳ ବିହାରୀ ବାଜପାୟୀ  । ତେଣୁ ଏହି ୩ଟି ରାଜ୍ୟ ବିଜେପି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସ୍ପଷ୍ଟ ହୋଇଯାଇଛି । ଯଦି କର୍ଣ୍ଣାଟକ ସହ ଏହି ୩ ରାଜ୍ୟରେ ବି ବିଜେପି ସରକାର ଗଢ଼ିବାରେ ସକ୍ଷମ ହୁଏ ତେବେ ୨୦୧୯ରେ ଆଉ ଓପନିଅନ ପୋଲର ଆବଶ୍ୟକତା ପଡ଼ିବ ନାହିଁ  । ଏମିତିକି ୨୦୧୯ରେ ବିଜେପି ରେକଡର଼୍ କରିବ ବୋଲି କହିଲେ ଭୁଲ ହେବନାହିଁ  ।


    ଯଦି ଏହି ସବୁ ରାଜ୍ୟରେ କଂଗ୍ରେସ ନିଜର ଦବଦବା ଜାହିର କରି ବିଜେପି ମୁହଁରୁ ଚଉକି ଛଡ଼ାଇ ଆଣେ ତେବେ ତାହା ବିଜେପି ପାଇଁ ନିଶ୍ଚିତ ଭାବେ ଆହ୍ୱାନ ସୃଷ୍ଟିକରିବ  । କଂଗ୍ରେସଯେ, ପୁଣି ଚେଇଁ ଉଠିଛି ବୋଲି ସାରା ଭାରତରେ ବାର୍ତା ଯିବ  । ଫଳରେ ଶୋଇଥିବା କଂଗ୍ରେସ କର୍ମୀ ପୁଣି ଜାଗି ଉଠିବା ସହ ବିଜେପି ରଣନୀତିକୁ ବିଫଳ କରିବାର ବି ଯଥେଷ୍ଟ ସମ୍ଭାବନା ରହିଛି  ।


    ୨୦୧୯ରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାର ଥିଲେ ମଧ୍ୟ ୨୦୧୮ର ଚାରି ରାଜ୍ୟ ନିର୍ବାଚନ ଫଳ ଓଡ଼ିଶାକୁ ବି ପ୍ରଭାବିତ କରିବ  । ଯଦି ୪ ରାଜ୍ୟରେ ବିଜେପି ଜିତିଯାଏ ତେବେ ଏହା ସ୍ୱାଭାବିକ ଭାବେ ରାଜ୍ୟ  ବିଜେପିକୁ ବେଶ୍ ଉତ୍ସାହିତ କରିବ  । ଯାହାକି ନବୀନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବବୋଲି କୁହାଯାଇପାରିବ  । ଅପରପକ୍ଷରେ ୨୦୧୮ରେ ମୁନିସପାଲଟି ନିର୍ବାଚନ ସହ ମହାନଗର ନିଗମ ନିର୍ବାଚନ ମଧ୍ୟ ଅଛି  । ପଂଚାୟତ ନିର୍ବାଚନରେ ଯଦିଓ ବିଜେଡ଼ି ଆଗରେ ରହିଥିବାବେଳେ ତଥାପିବି ବିଜେପି ଆଶାତୀତ ସଫଳତା ପାଇଥିଲା  । ସାଧାରଣତଃ ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ବିଜେପିର ଭୋଟ ଅଧିକ ରହିଥାଏ । ତେଣୁ ଏକ୍ଷେତ୍ରରେ ନବୀନଙ୍କ ପାଇଁ ପୌର ନିର୍ବାଚନ ଆହ୍ୱାନ ସୃଷ୍ଟି କରିଛି  । ଯଦି ବିଜେଡ଼ି ପୂର୍ବଭଳି ସଫଳତା ବଜାୟ ନରଖିଲେ ବି ପଂଚାୟତ ନିର୍ବାଚନ ଭଳି ବିଜେପି ଠାରୁ ଯଥେଷ୍ଟ ଆଗରେ ରହେ ତେବେ ତାହା ବିଜେଡ଼ିକୁ  ଉତ୍ସାହିତ କରିବ  । ଯଦି ବିଜେପି ତୁଳନାରେ ବିଜେଡ଼ି ପଛରେ ପଡ଼ିଯାଏ ତେବେ କଥା ସରିଲା  । ୨୦୧୯ରେ ଓଡ଼ିଶାର କ୍ଷମତା ଚଉକି କାହା ପାଖକୁ ଯିବ ତାହା କହିବା ମୁସ୍କିଲ ହୋଇଯିବ  ।


    ଏହି ପରିପ୍ରେକ୍ଷୀରେ କଂଗ୍ରେସ କଥା ବି ଆଲୋଚନା କରାଯାଇପାରେ  । ଯଦି ରାହୁଲ ଗାନ୍ଧୀ ପୂର୍ବଭଳି ପ୍ରସାଦ ହରିଚନ୍ଦନଙ୍କ ଉପରେ ଆସ୍ଥା ଜାରି ରଖନ୍ତି ତେବେ ୨୦୧୯ରେ ଦ୍ୱିମୁଖୀ ଲଢେ଼ଇ ହେବା ଥୟ । ଯଦି ନିରଂଜନ ପଟ୍ଟନାୟକଙ୍କ ଭଳି ନେତାଙ୍କୁ ପୁନର୍ବାର ପିସିସି ଚଉକିରେ ବସାଯାଏ ତେବେ କଂଗ୍ରେସ ପୁନର୍ଜୀବିତ ହେବା ସହ ବିଜେଡ଼ି ଓ ବିଜେପିକୁ ଭଲ ଟକ୍କର ଦେଇପାରିବ ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରନ୍ତି  । ତେବେ ନିରଂଜନଙ୍କ ହାତରେଯେ, ଯାଦୁର ଛଡ଼ି ରହିଛି, ତାହା କହିବା ଭୁଲ୍ ହେବ  । 


    ୨୦୧୮ ନିର୍ବାଚନ ପ୍ରସ୍ତୁତିର ବର୍ଷ ହୋଇଥିବାରୁ ସବୁ ଦଳରେ ଗୋଷ୍ଠୀକନ୍ଦଳ ପୂର୍ବାପେକ୍ଷା ଉଗ୍ର ରୂପ ଧାରଣ କରିବ  । କାହିଁକିନା ୨୦୧୯ରେ ଦଳୀୟ ଟିକେଟ ପାଇଁ ନେତାମାନେ ଯେଝା ବାଟରେ ପ୍ରୟାସ ଆରମ୍ଭ କରିବେ  । ପ୍ରତି ପଂଚାୟତରୁ ନେଇ ଏନଏସି କି ମୁନିସପାଲଟି ୱାଡର଼୍ ପର୍ଯ୍ୟନ୍ତ ସବୁଠି ପଲପଲ ନେତା ଦଶ ପଚାଶ ସମର୍ଥକ ଧରି ପତିଆରା ବଢ଼ାଇବାରେ ଲାଗିବେ  । ଖାଲି ବିଜେଡ଼ି ନୁହେଁ ବିଜେପିରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିବ  । ନୂଆବର୍ଷ ପୋଷ୍ଟରରୁ ମଧ୍ୟ  ଆଗକୁ କେଉଁଠି କେତେ କଳି ହେବ ତାହା ଆକଳନ କରାଯାଇପାରିବ ବୋଲି କହିଲେ ଭୁଲ ହେବନାହିଁ  । 


    ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ବିଜେପିର ମୁଖ୍ୟମନ୍ତ୍ରୀ ଭାବେ ଦାବି କରୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ସରିଯିବ  । ଯଦି ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ନିଆଯାଇ କେନ୍ଦ୍ରମନ୍ତ୍ରୀ ନକରାଯାଏ ତେବେ ନିଶ୍ଚିତ ଭାବେ ତାଙ୍କ ପତିଆରା ହ୍ରାସ ପାଇବାର ସମ୍ଭାବନା ରହିଛି  । ତେବେ ପ୍ରଚାର କମିଟି ଅଧ୍ୟକ୍ଷ ଅବା ବିଜେପି ସଭାପତି ଭଳି ପଦ ହାତେଇ ନେଲେ ତାହା ଧର୍ମେନ୍ଦ୍ରଙ୍କ ପତିଆର ପୂର୍ବଭଳି ବଜାୟ ରଖିବ  । ପେଟ୍ରୋଲିୟମ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଧର୍ମେନ୍ଦ୍ର ରହିଥିବାରୁ ତାହା ତାଙ୍କର ରାଜନୈତିକ ଉତଥାନରେ ବିଶେଷ ସହାୟକ ହୋଇପାରିଛି  । ଯଦି ଏହି ବିଭାଗଟି ତାଙ୍କ ହାତରୁ ଚାଲିଯାଏ ତେବେ ପରବର୍ତିତ ରାଜନୀତିକ ସମୀକରଣ କେଉଁ ମୋଡ଼ ନେଉଛି ତାହା ଏବେଠୁ କହିବା ମୁସ୍କିଲ ବୋଲି କେତେକ ବରିଷ୍ଠ ନେତା ଆମ ପ୍ରତିନିଧିଙ୍କ ଆଗରେ ମତପ୍ରକାଶ କରିଛନ୍ତି  ।
    ବେଙ୍ଗ କହେ ବେଙ୍ଗୁଲୀଲୋ, ପୃଥ୍ୱୀ କ୍ଷଣକ୍ଷଣକେ ଆନ  । ଠିକ ସେମିତି ରାଜନୀତିର ଗତି ପଲଟବାର କରିବାର ଅନେକ ନଜିର ରହିଛି  । ନୂଆବର୍ଷରୁ କେଉଁ ରାଜନୈତିକ ଦଳର ଷ୍ଟ୍ରାଟେଜୀ କ’ଣ ରହିବ ତାହା ଉପରେ ନିଶ୍ଚିତ ଭାବେ ସମସ୍ତଙ୍କ ନଜର ରହିବ  । ଚଳିତ ବର୍ଷ ବଜେଟରେ କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ଯୋଜନା କରୁଛନ୍ତି ତାହା ଉପରେ ବି ଦୃଷ୍ଟିନିବଦ୍ଧ ରହିବ  । କାହିଁକିନା ଜନମତକୁ ପ୍ରଭାବିତ କରିବାରେ ବଜେଟ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ  ।

    Maximum 500 characters

    ରାଜନୀତି View all

    Find Us on Facebook