Jul 23, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗପୁଛନ୍ତି କି ?

    Share on :
    Date: Dec 25, 2017    Views: 258

     

    ସାଧାରଣତଃ ଯୁବତୀ ଓ ମହିଳାମାନେ ସାଙ୍ଗସାଥୀଙ୍କ ମେଳରେ ଗପସପ କରିବା ଲାଗି ଭଲପାଆନ୍ତି  । ଗପରେ ଗପରେ ଦିନ ରାତି ଜଣାପଡେ଼ନା  । କିନ୍ତୁ ଜାଣିଛନ୍ତି କି ଅଧିକ ଗପସପ କରିବା ଦ୍ୱାରା ଆପଣଙ୍କ ଦେହ ଓ ମନ ଉପରେ କେଉଁ ପ୍ରକାରର ଖରାପ ପ୍ରଭାବ ପଡ଼ିପାରେ  । ଗପସପ କରୁ କରୁ କେବେ କେବେ ନିଜର ଗୋପନୀୟ କଥା ପଦାକୁ ବାହାରି ଆସିଥାଏ ତ ପୁଣି କେତେବେଳେ କୌଣସି ଗପସପ କରୁ କରୁ ତର୍କ ଆରମ୍ଭ ହୋଇଯାଏ  । ସେଇଠୁ ଆରମ୍ଭ ହୁଏ ମତାନ୍ତର, ମନାନ୍ତର ଓ କଳହ  । ସେହିପରି  ଅତ୍ୟଧିକ ଗପସପ ଯୋଗୁଁ ମସ୍ତିଷ୍କ ଉପରେ ଗଭୀର କୁ-ପ୍ରଭାବ ପକାଏ  । କେତେକ ବୈଜ୍ଞାନିକଙ୍କ ମତରେ ଅଧିକ ଗପସପ କରିବା ଦ୍ୱାରା ରକ୍ତଚାପ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସ୍ନାୟୁବିକ ଦୁର୍ବଳତା, ସ୍ମୃତିଶକ୍ତି ହ୍ରାସ ଘଟିବା, ଚିଡ଼୍ଚିଡ଼୍ ଲାଗିବା, ନିଦ୍ରା ନହେବା, ପେଟରୋଗ ଓ ମୁଣ୍ଡବ୍ୟଥା ଦେଖାଦେବା ଭଳି ପରିସ୍ଥିତି ସୃଷ୍ଟି ହୁଏ  । ଅଧିକ ଗପିବା ଦ୍ୱାରା ଆୟୁଷ କ୍ଷୀଣ ହୁଏ ବୋଲି ପୁରାତନ ଚିକିତ୍ସା ଶାସ୍ତ୍ରରେ କୁହାଯାଇଛି  । ଅପରପକ୍ଷରେ ଅନାବଶ୍ୟକ ଆଳାପ ଆଲୋଚନା ଠାରୁ ଦୂରରେ ରହି ମନକୁ ସ୍ଥିର ରଖିବା ଦ୍ୱାରା ସ୍ମୃତିଶକ୍ତି ବୃଦ୍ଧି ପାଇବା ସାଙ୍ଗକୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଶରୀରକୁ ସୁସ୍ଥ ସବଳ ରଖିଥାଏ  । ତେବେ ଏହି ଗପସପ ସମ୍ପର୍କରେ କେତୋଟି କଥା ଜାଣି ରଖନ୍ତୁ  ।

    -ନିଜ ବାନ୍ଧବୀଙ୍କ ସହ ଅଯଥା ଆଳାପ ଆଲୋଚନାରୁ ଦୂରେଇ ରୁହନ୍ତୁ  ।
    -ଯେଉଁ ବାନ୍ଧବୀଙ୍କ ସହ ଗପସପ କରୁଛନ୍ତି, ସେ କେତେ ବିଶ୍ୱସ୍ତ ତାହା ପରଖନ୍ତୁ  ।
    -ପରନିନ୍ଦା, ପରଚର୍ଚ୍ଚା, ନିଜର ବଡ଼ପଣିଆ, ନିଜ ଘରର ଗୋପନୀୟ କଥା ସମ୍ପର୍କରେ ଆଲୋଚନା କରନ୍ତୁନାହିଁ  । କାରଣ ଏହା ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ନକରାତ୍ମକ ପ୍ରଭାବ ପକାଇବ  । ଯେଉଁ ବନ୍ଧୁମାନଙ୍କ ସମ୍ମୁଖରେ ଆପଣ ପରଚର୍ଚ୍ଚା ଅଥବା ଗୋପନ କଥା କହୁଛନ୍ତି ସେମାନେ ହୁଏତ ଆପଣଙ୍କ ପଛରେ ଚୁଗୁଲି କରିପାରନ୍ତି  ।
    -ଗପସପ କରୁକରୁ କାହାକୁ ନିନ୍ଦା କରନ୍ତୁନାହିଁ  ।
    -କଥାରେ ଅଛି ଅତି ପରିଚୟେ ଗୌରବ ନଷ୍ଟ  । ଅତି ଲେମ୍ବୁ ଚିପୁଡ଼ିଲେ ପିତା  । ସେମିତି ଆପଣ ବାନ୍ଧବୀମାନଙ୍କ ସହ ଅଧିକ ମିଶିବା ଦ୍ୱାରା ପରବର୍ତ୍ତୀ ସମୟରେ ତାହା ମତାନ୍ତର ଓ ମନାନ୍ତରର ରୂପ ନେଇଥାଏ  ।
    -ଯେତେ ଦୂର ସମ୍ଭବ ଫାଲ୍ତୁ ଗପସପଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ବହୁତ ଜରୁରୀ  ।
    -ଆପଣ ଯଦି କାହା ସହ ଅନ୍ତରଙ୍ଗ ମୁହୂର୍ତ ବିତାଇଛନ୍ତି, ତାହାକୁ ଗପସପ ଆଳରେ କାହାରିକୁ କୁହନ୍ତୁନାହିଁ  ।
    -ଆପଣ ଯଦି ବିବାହିତା, ତାହା ହେଲେ ନିଜ ସ୍ୱାମୀ, ଶାଶୁ, ଶ୍ୱଶୂର, ନଣନ୍ଦ ଓ ଦିଅରଙ୍କ ବିରୁଦ୍ଧରେ କିଛି ଟିପ୍ପଣୀ ଦିଅନ୍ତୁନାହିଁ  ।
    -କୌଣସି ଶିକ୍ଷଣୀୟ ବସ୍ତୁ ଉପରେ ଆଲୋଚନା କରିବା ଦ୍ୱାରା ଜ୍ଞାନବୃଦ୍ଧି ହୋଇଥାଏ  । 
    କେମିତି ଛାଡ଼ିବେ ଗପସପ ଅଭ୍ୟାସ
    ଯଦି ସାଙ୍ଗମାନଙ୍କ ସହ ଗପସପ କରିବା ଆପଣଙ୍କ ଅଭ୍ୟାସରେ ପଡ଼ିଯାଇଛି, ତେବେ ଆପଣ ଚାହିଁଲେ ଓ ଅଭ୍ୟାସ କଲେ ଏଥିରୁ ଦୂରେଇ ରହିପାରିବେ  । ଅଯଥା ଗପସପ କରିବା ଉଭୟ ଶରୀର ଓ ମନ ପ୍ରତି କ୍ଷତିକାରଣ ହୋଇଥାଏ  । ଯଦି ଏଥିରୁ ମୁକୁଳିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ କେତେକ ଧାରଣା ଏଠାରେ ଦିଆଗଲା  ।
    -ସବୁବେଳେ ନିଜ କାମରେ ବ୍ୟସ୍ତ ରୁହନ୍ତୁ  ।
    -ଯେତିକି ଆବଶ୍ୟକ ସେତିକି କଥାବାର୍ତା କରନ୍ତୁ  ।
    -ହାତରେ ଯଦି ସମୟ ଅଛି, ଭଲ ବହି ପଢ଼ନ୍ତୁ  । 
    -ନିଜର ସୌନ୍ଦର୍ଯ୍ୟ, ଶରୀର ଯତ୍ନ ଓ ମାନସିକ ସୁସ୍ଥତା ଉପରେ ଦୃଷ୍ଟି ଦିଅନ୍ତୁ  ।
    -ଫୁରୁସତ୍ ସମୟରେ ସିଲେଇ ଅଭ୍ୟାସ କରିବା, ସୁଇଟର୍ ବୁଣିବା, ଘର ସଜାଇବାରେ ମନ ଦେବା ଭଲ  ।
    -ମୂଲ୍ୟବାନ୍ ସମୟକୁ ନଷ୍ଟ ନକରି ଆତ୍ମନିଯୁକ୍ତି ପ୍ରତି ଦୃଷ୍ଟି ଦେଲେ ଆପଣ ବେଶ୍ ଅର୍ଥ କମାଇପାରିବେ  ।
    ମୋଟାମୋଟି ଭାବେ ନିଜକୁ କାମରେ ବ୍ୟସ୍ତ ରଖିବା ଦ୍ୱାରା କଥା ହେବା ପାଇଁ ସମୟ ମିଳିନଥାଏ  । ଆପଣ  ଆପଣଙ୍କ ବାନ୍ଧବୀମାନଙ୍କ ସହ କମ୍ ମିଶିବା ଓ କମ୍ କଥାବାର୍ତା କରିବା ଦ୍ୱାରା ସେମାନଙ୍କଠାରୁ ଉପଯୁକ୍ତ ସମ୍ମାନ ପାଇପାରିବେ  । ଆପଣଙ୍କ କର୍ମବ୍ୟସ୍ତ ଜୀବନ ଦେଖି ସେମାନେ ମଧ୍ୟ ଆପଣଙ୍କୁ ଅନୁସରଣ କରିବା ଲାଗି ଚାହିଁବେ  । 

    Maximum 500 characters

    ବିଶେଷ View all

    Find Us on Facebook