Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

    ପୁତ୍ର ସନ୍ତାନ ପାଇଁ ମାନସିକତା ସମାଜ ନିମନ୍ତେ ବୁମେରାଂ

    Share on :
    Date: Dec 23, 2017    Views: 971

    ଉମାକାନ୍ତ ପାତ୍ର, ଥାଲକୁଡି, ମଙ୍ଗଳପୁର, ଯାଜପୁର, ଭ୍ରାମ୍ୟଭାଷ: ୯୪୩୯୭୫୦୧୭୫

    ଆମର ପୁରୁଷ ପ୍ରଧାନ ସମାଜରେ ପ୍ରାୟ ବାପାମା’ମାନେ ପୁଅଟିଏ ପାଇଁ ଆଶା ବାନ୍ଧିଥା’ନ୍ତି । କାହିଁକିନା ଆମର ଚଳଣୀ ଓ ପରମ୍ପରାଗତ ଅଭ୍ୟାସ ଯୋଗୁଁ ଆମ ମନରେ ସର୍ବଦା ଗୋଟିଏ କଥା ରହିଛି ଯେ, ପୁଅଟିଏ ହିଁ କୂଳ ରକ୍ଷା କରିବ । ପିତୃପୁରୁଷଙ୍କୁ ପିଣ୍ଡ ଦାନ କରି ପାତକ ଦୋଷ ଛଡାଇବ । ସେଥିପାଇଁ ମା’ମାନେ ମହାଦେବଙ୍କୁ ପୂଜାଅର୍ଚ୍ଛନା କରିବା ସହ କେତେ ବ୍ରତ, ମାନସିକ ଓ ଉପବାସ ଆଦି କରିଥା’ନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ, କେବଳ କ’ଣ ପୁଅଟିଏ ଥିଲେ, ବଂଶ ରକ୍ଷା ହୋଇଯାଏ? କହିବା ବାହୁଲ୍ୟ ଯେ, ପୁଅ ବାହା କରି ଘରକୁ ବୋହୁଟିଏ ଆଣିଲା ପରେ ବୋହୁର ଗର୍ଭରୁ ପିଲାଟିଏ ଆସିଲେ ଯାଇ ବଂଶ ରକ୍ଷା ହୋଇଥାଏ । ତେଣୁ ଆମର ବଂଶ ରକ୍ଷା କରିବାର ମୂଳ ମନ୍ତ୍ର ଜଣେ ନାରୀ ପାଖରେ ହିଁ ନିହତ ଥାଏ । କିନ୍ତୁ ପୁରୁଷ ପ୍ରଧାନ ସମାଜରେ ନାରୀ ମାତୃ ଗର୍ଭରୁ ମଶାଣି ଭୁଇଁ ପର୍ଯ୍ୟନ୍ତ ଚିର ଅବହେଳିତା, ଉପେକ୍ଷିତା ଓ ନାନା ପ୍ରକାରର ହିଂସାର ଶୀକାର ହେଉଛି । ସମାଜରେ ପୁଅ ଥିବା ପ୍ରତ୍ୟେକ ବାପାମା’ମାନେ ଚାହାଁନ୍ତି ନିଜ ପୁଅକୁ ବାହା କରି ଘରକୁ ଜଣେ ସୁନ୍ଦର, ସୁଶୀଳା, ସର୍ବଗୁଣ ସମ୍ପର୍ଣ୍ଣା ବୋହୁ ଆଣିବେ ଯିଏ କି ତାଙ୍କର ବଂଶ ରକ୍ଷା କରିବ । ସମାଜର ଅନ୍ୟ ଏକ ପାଶ୍ୱର୍ରେ ମା’ର ଗର୍ଭସ୍ଥ ଭୃଣଟି କନ୍ୟାରତ୍ନ ବୋଲି ଜାଣିଲା ପରେ ଭୃଣ ହତ୍ୟା ଭଳି ମହାପାପ ମଧ୍ୟ କରିବାକୁ ପଛାଉ ନାହାଁନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠେ, ଯଦି ଆମ ସମାଜରେ ଝିଅଟିକୁ ବୋଝ ବୋଲି ମନେ କରି ମାତୃ ଗର୍ଭରୁ ତାକୁ ନିଶେଷ କରିଦିଆଯାଏ, ତେବେ କେଉଁ ଅଧିକାରରେ ନିଜ ବଂଶ ରକ୍ଷା ଓ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବା ପାଇଁ ଜଣେ ନାରୀ ଉପରେ ନିର୍ଭର କରିବା?

    ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ବର୍ତ୍ତମାନ ଆମ ସମାଜରେ ଅନେକ ସଚେତନ ହେଲେଣି ଏବଂ ଝିଅଟିକୁ ବୋଝ ବୋଲି ନ ଭାବି ତାକୁ ପାଠ ପଢାଇ ପୁଅମାନଙ୍କର ସମକକ୍ଷ କଲେଣି । ଠିକ୍ କଥା; ମାତ୍ର ଏହି ସଚେତନତାର ମାତ୍ରା ଖୁବ୍ ନଗନ୍ୟ । ବର୍ତ୍ତମାନର ଶିକ୍ଷିତ ଯୁବପୀଢି ‘ଏକ ସନ୍ତାନ ଯଥେଷ୍ଟ’ ନ୍ୟାୟରେ ବିଶ୍ୱାସ କରନ୍ତି ଏବଂ ସେମାନେ ଦ୍ୱିତୀୟ ସନ୍ତାନ ଚାହୁଁ ନାହାଁନ୍ତି । ପ୍ରଥମ ପିଲାଟି ଯଦି ପୁଅଟିଏ ହେଲା ତେବେ ସେହି ବାପାମା’ମାନେ ପ୍ରାୟତଃ ଦ୍ୱିତୀୟ ସନ୍ତାନ ଚାହିଁ ନଥା’ନ୍ତି! ଯେଉଁ ଦମ୍ପତିମାନଙ୍କର ପ୍ରଥମେ ଝିଅ ଟିଏ ହେଉଛି ସେମାନେ କେତେକାଂଶରେ ପୁଅଟିଏ ପାଇଁ ଆଶା କରି ଦ୍ୱିତୀୟ ପିଲା ଚାହୁଁଛନ୍ତି! ଯଦିଓ ଏହା ଏକ ଜାଗତିକ ମତ; ମାତ୍ର ଏହା ଅନେକାଂଶରେ ସତ । ଯଦି ଆମେ ୨୦୧୧ ମସିହା ଜନଗଣନାକୁ ବିଶ୍ଳେଷଣ କରିବା ତେବେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସୁଛି । ୨୦୦୧ ଜନଗଣନା ଅନୁଯାୟୀ ଆମ ରାଜ୍ୟର ଲିଙ୍ଗ ଅନୁପାତ ବା ପ୍ରତି ଏକ ହଜାର ପୁରୁଷଙ୍କ ପ୍ରତି ମହିଳାମାନଙ୍କ ଅନୁପାତ ୯୭୨ ଥିବାବେଳେ ୨୦୧୧ ଜନଗଣନାରେ ଏହି ଅନୁପାତ ସାମାନ୍ୟ ବୃଦ୍ଧି ପାଇ ୯୭୯ରେ ପହଞ୍ଚିଛି; ଯାହାକି ଜାତୀୟ ହାର ୯୪୦ ଠାରୁ ଅଧିକ । ମାତ୍ର ଯଦି ଆମେ ଜିଲ୍ଲା ସ୍ତରୀୟ, ବୈବାହିକ ସ୍ଥିତି ଓ ବୟସାନୁସାରେ ଲିଙ୍ଗ ଅନୁପାତକୁ ବିଶ୍ଳେଷଣ କରିବା ତେବେ ଏହା ବଡ ଚିନ୍ତାର ବିଷୟ ।

    ଜିଲ୍ଲା ସ୍ତରୀୟ ବିଶ୍ଳେଷଣରୁ ଜଣାଯାଏ ଯେ, ଯେଉଁ ଜିଲ୍ଲାରେ ସାକ୍ଷରତା ହାର ଅଧିକ ରହିଛି ସେହି ଜିଲ୍ଲାଗୁଡିକରେ ଲିଙ୍ଗ ଅନୁପାତ ଉସôାହଜନକ ନୁହେଁ । ଆମ ରାଜ୍ୟର ସାକ୍ଷରତା ହାରରେ ପ୍ରଥମ ଦଶଗୋଟି ଜିଲ୍ଲା ମଧ୍ୟରୁ କେବଳ କେନ୍ଦ୍ରାପଡା ଓ ଭଦ୍ରକ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଲିଙ୍ଗ ଅନୁପାତ ଜାତୀୟ ଓ ରାଜ୍ୟ ହାର ଠାରୁ କମ୍ ରହିଛି । ସେହିପରି ଯଦି ଆମେ ସାକ୍ଷରତା ହାରର ନିମ୍ନ ଦଶଗୋଟି ଜିଲ୍ଲାକୁ ବିଚାରକୁ ନେବା ତେବେ ଏହି ସମସ୍ତ ଜିଲ୍ଲାର ଲିଙ୍ଗ ଅନୁପାତ ରାଜ୍ୟ ଓ ଜାତୀୟ ହାର ଠାରୁ ଯଥେଷ୍ଟ ଉଦ୍ଧ୍ୱର୍ରେ ରହିଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧାର ଅପହଞ୍ଚ ଯୋଗୁଁ ଆଦିବାସୀ ବହୁଳ ଜିଲ୍ଲାଗୁଡିକ ଶିକ୍ଷା କ୍ଷେତ୍ରରେ ପଛରେ ପଡିଥିଲେ ମଧ୍ୟ ଲିଙ୍ଗ ଅନୁପାତରେ ଯଥେଷ୍ଟ ଆଗରେ ଅଛନ୍ତି । ଭୃଣସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ତ ଦୂରର କଥା, ଯେଉଁଠି ଗର୍ଭାବସ୍ଥାରେ ସ୍ୱାସ୍ଥ୍ୟ ପରୀକ୍ଷା ଏକ ଦୂରୁହ ବ୍ୟାପାର ସେଠାରେ ଭୃଣ ହତ୍ୟା କରିବା କଥା କିଏ ଚିନ୍ତା ବି କାହିଁକି କରିବ? ଏହା ପଛରେ ମଧ୍ୟ ଆହୁରି ଏକ ସାମାଜିକ କାରଣ ରହିଛି, ଯେପରି ଆଦିବାସୀ ଅଞ୍ଚଳରେ ଝିଅକୁ ବୋଝ ବୋଲି ନଭାବି ପରିବାର ପାଇଁ ଏକ ସମ୍ବଳ ବୋଲି ବିବେଚନା କରାଯାଏ । ଝିଅ ବାହା ଦେଇ କନ୍ୟା ପିତା ଯୌତୁକ ଦେବା ବଦଳରେ ଯୌତୁକ ପାଇଥାଏ । ଆଦିବାସୀ ପରମ୍ପରାରେ ଝିଅଟି ଯେଉଁ ଘରକୁ ବୋହୁ ହୋଇଯାଏ ସେହି ଘରର ଏକ ସମ୍ବଳ ହୋଇଥାଏ କାରଣ ସେ ମଧ୍ୟ ପରିବାର ପାଇଁ ରୋଜଗାର କରିଥାଏ । ଅପରପକ୍ଷେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସାକ୍ଷରତା ହାରରେ ଆଗରେ ଥିବା ବେଳେ ଲିଙ୍ଗ ଅନୁପାତରେ ପଛରେ ପଡିଯାଇଛନ୍ତି, କାରଣ ଏହି ଜିଲ୍ଲାଗୁଡିକରେ ଲିଙ୍ଗ ନିରୂପଣ କରିବା ପାଇଁ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରମାନଙ୍କର ଅଭାବ ନାହିଁ । ସେହିପରି ଯୌତୁକ ପ୍ରଥା ଓ ଝିଅମାନଙ୍କ ସ୍ୱାଧୀନ ଚେତା ପ୍ରତି ସକୀର୍ଣ୍ଣ ମନୋଭାବ ଯୋଗୁଁ ଏଠାରେ ଭୃଣ ହତ୍ୟା ଏକ ସାଧାରଣ ଘଟଣାରେ ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ କେବଳ ଏତିକି କୁହାଯାଇପାରେ ଯେ, ଭୃଣସ୍ଥ ଶିଶୁର ଲିଙ୍ଗ ନିରୂପଣରୁ ନିବୃତ ରହିବା ପାଇଁ ଆମ ଦେଶରେ ପିସିପିଏନ୍ଡିଟି ଆକ୍ଟ ୧୯୯୪ ମସିହାରୁ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ପ୍ରଶାସନ ଓ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ କନ୍ୟା ଭୃଣ ହତ୍ୟାକୁ ରୋକାଯାଇପାରୁ ନାହିଁ ।

    ସାକ୍ଷରତା ହାରରେ ସର୍ବାଗ୍ରେ ଖୋର୍ଦ୍ଧା ଜିଲ୍ଲା ୮୬.୮୮ ପ୍ରତିଶତ ଥିବାବେଳେ ଏହି ଜିଲ୍ଲାର ଲିଙ୍ଗ ଅନୁପାତ ମାତ୍ର ୯୨୯; ଯାହାକି ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକ ତୁଳନାରେ ନିମ୍ନରୁ ଦ୍ୱିତୀୟ ସ୍ଥାନରେ ରହିଛି । ନୟାଗଡ ଜିଲ୍ଲାର ଲିଙ୍ଗ ଅନୁପାତ ୯୧୫; ଯାହାକି ରାଜ୍ୟର ସର୍ବନିମ୍ନ ହାର; ମାତ୍ର ଏହି ଜିଲ୍ଲାର ସାକ୍ଷରତା ହାର ୮୦.୪୨ ପ୍ରତିଶତ । ସେହିପରି ସାକ୍ଷରତା ହାରରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଜଗତ୍‍ସିଂହପୁର ଓ କଟକରେ ଲିଙ୍ଗ ଅନୁପାତ ଯଥାକ୍ରମେ ୯୬୮ ଓ ୯୪୦ ରହିଛି । କଟକ ଜିଲ୍ଲାର ଲିଙ୍ଗ ଅନୁପାତ ଆମ ରାଜ୍ୟର ନିମ୍ନରୁ ତୃତୀୟ ସ୍ଥାନ ଅଧିକାର କରିଛି । ତେବେ ସର୍ବାଧିକ ଲିଙ୍ଗ ଅନୁପାତ କଥା ବିଚାରକୁ ନେଲେ ଜଣାଯାଏ ଯେ, ଆଦିବାସୀ ଅଧୁଷିତ ରାୟଗଡା ଜିଲ୍ଲା ସର୍ବାଗ୍ରେ ରହିଛି । ଏହି ଜିଲ୍ଲାର ପ୍ରତି ଏକ ହଜାର ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଅନୁପାତ ୧୦୫୧ ଥିବା ବେଳେ ଏହି ଜିଲ୍ଲାର ସାକ୍ଷରତା ହାର ମାତ୍ର ୪୯.୭୬ ପ୍ରତିଶତ । ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ହାର ରାଜ୍ୟର ସର୍ବନିମ୍ନ ୪୬.୪୩ ପ୍ରତିଶତ ଥିବାବେଳେ ଏହି ଜିଲ୍ଲାର ଲିଙ୍ଗ ଅନୁପାତ ୧୦୧୯ ରହିଛି । ସେହିପରି ସାକ୍ଷରତା ହାରରେ ନିମ୍ନରୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ମାଲ୍‍କାନ୍‍ଗିରି ଓ କୋରାପୁଟ୍‍ର ଲିଙ୍ଗ ଅନୁପାତ ଯଥାକ୍ରମେ ୧୦୨୦ ଓ ୧୦୩୨ ରହିଛି । ଓଡିଶାର ୧୫ଟି ଜିଲ୍ଲାରେ ଲିଙ୍ଗ ଅନୁପାତ  ରାଜ୍ୟ ହାରଠାରୁ ଅଧିକ ରହିଛି । ଏହି ଜିଲ୍ଲାଗୁଡିକ ମଧ୍ୟରେ ୧୩ଟି ମୁଖ୍ୟତଃ ଆଦିବାସୀ ବହୁଳ ଜିଲ୍ଲା ଏବଂ ସାକ୍ଷରତା ହାରରେ ନିମ୍ନରେ ଅଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ, ସମାଜର ସାକ୍ଷରତା ହାର ବଢିବା ଦ୍ୱାରା ଆମେ ସଚେତନ ହେବା ପରିବର୍ତ୍ତେ ଏକ ଘୃଣ୍ୟ ମାନସିକତାର ଶୀକାର ହେଉଛନ୍ତି କାହିଁକି?

    ଯଦି ବୈବାହିକ ସ୍ଥିତି, ବୟସ ଓ ଲିଙ୍ଗ ଭିତିରେ ଜନଗଣନା ୨୦୧୧ର ତଥ୍ୟକୁ ବିଶ୍ଳେଷଣ କରାଯାଏ ତେବେ ୧୦ରୁ ୧୯ ବର୍ଷ ବୟସରେ ୧୪.୫ ପ୍ରତିଶତ ବାଳିକା ଓ ୨.୯ ପ୍ରତିଶତ ବାଳକ ବିବାହ କରୁଛନ୍ତି । ଏଥିରୁ ସହଜେ ଅନୁମେୟ ଯେ ବାଲ୍ୟ ବିବାହ ନିରୋଧ ଆଇନ୍- ୨୦୦୬, କିଶୋର ନ୍ୟାୟ ଆଇନ୍- ୨୦୦୦ ଏବଂ କିଶୋର ନ୍ୟାୟ ସଂଶୋଧନ ଆଇନ୍- ୨୦୧୫ ଏବେ ବି ଆମ ରାଜ୍ୟରେ ସଫଳ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏଠାରେ ଅନ୍ୟ ଏକ ଦିଗକୁ ଅନୁଧ୍ୟାନ କଲେ ଜଣା ଯାଏ ଯେ, ରାଜ୍ୟର ମୋଟ ମହିଳାମାନଙ୍କ ମଧ୍ୟରୁ ୨୯ ବର୍ଷ ହେବା ବେଳକୁ ୮୪.୯ ପ୍ରତିଶତ ବିବାହିତ ହୋଇସାରିଥାନ୍ତି; ମାତ୍ର ପୁରୁଷଙ୍କ କ୍ଷେତ୍ରରେ ଏହି ଅନୁପାତ ୫୫ ପ୍ରତିଶତରେ ସୀମିତ ରହୁଛି । ପୁରୁଷମାନଙ୍କ କ୍ଷେତ୍ରରେ ୨୫ ରୁ ୨୯ ବର୍ଷ ଓ ୩୦ ରୁ ୩୪ ବର୍ଷ ବୟସରେ ବିବାହ ଅନୁପାତ ଯଥାକ୍ରମେ ୩୫ ଓ ୨୮.୫ ପ୍ରତିଶତ ରହିଛି । ୨୫ ରୁ ୨୯ ବର୍ଷ ବୟସ ମଧ୍ୟରେ ୪୪.୩୬ ପ୍ରତିଶତ ପୁରୁଷ ଅବିବାହିତ ଥିବାବେଳେ ମହିଳାଙ୍କ ଅନୁପାତ ମାତ୍ର ୧୩ ପ୍ରତିଶତ ରହିଛି । ସେହିପରି ୩୦ ରୁ ୩୪ ବର୍ଷ ବୟସରେ ୧୫.୫ ପ୍ରତିଶତ ପୁରୁଷ ଅବିବାହିତ ଥିବାବେଳେ ମାତ୍ର ୫.୨ ପ୍ରତିଶତ ମହିଳା ଅବିବାହିତ ରହିଛନ୍ତି । ତେଣୁ ବିବାହ ଯୋଗ୍ୟ ପ୍ରତ୍ୟେକ ବୟସରେ ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ ଅବିବାହିତ ଅନୁପାତ ପ୍ରାୟ ତିନି ଗୁଣ ବା ତତୁର୍ଦ୍ଧ ରହିଛି । ଏଠାରେ ଅନ୍ୟ ଏକ ଦିଗକୁ ମଧ୍ୟ ବିଚାରକୁ ନିଆଯାଇପାରେ ଯେ, ଆମ ସମାଜରେ ବୈଧବ୍ୟ ଥିବା ପୁରୁଷଟି ପୁନଃ ବିବାହ କରିପାରୁଥିବା ବେଳେ ଏହା ଜଣେ ମହିଳା କ୍ଷେତ୍ରରେ ଗ୍ରହଣୀୟ ହୋଇ ନାହିଁ । ତେବେ ୩୪ ବର୍ଷ ବୟସରେ ପହଞ୍ଚିବା ବେଳକୁ ଆମ ରାଜ୍ୟରେ ୦.୬ ପ୍ରତିଶତ ପୁରୁଷ ବୈଧବ୍ୟ ଥିବା ବେଳେ ୨.୫ ପ୍ରତିଶତ ମହିଳା ବିଧବା ରହିଛନ୍ତି । ତେଣୁ ୦.୬ ପ୍ରତିଶତ ପୁରୁଷ ଦ୍ୱିତୀୟ ବିବାହ କରିବା ଦ୍ୱାରା ଅବିବାହିତ ପୁରୁଷ ଓ ମହିଳାମାନଙ୍କ ବ୍ୟବଧାନ ଆହୁରି ବଢିଯାଉଛି । ବର୍ତ୍ତମାନ ଏହି ବ୍ୟବଧାନର ପ୍ରଭାବ ସହଜରେ ଜଣାପଡୁ ନଥିବା ବେଳେ ଅନେକାଂଶରେ ଅନୁଭୂତ ।

    ଶେଷରେ କେବଳ ଏତିକି କୁହାଯାଇପାରେ ଯେ, ଏକ ସନ୍ତାନ ଯଥେଷ୍ଟ ଏବଂ ପୁଅ ଟିଏ ପାଇଁ ସଂକୀର୍ଣ୍ଣ ମାନସିକତା ଦିନେ ନା ଦିନେ ଆମ ପାଇଁ ବୁମେରାଂ ହୋଇପାରେ । ବର୍ତ୍ତମାନର ଲିଙ୍ଗ ଗତ ତାରତମ୍ୟ ଭବିଷ୍ୟତରେ ଯେ ଆହୁରି ବଢି ନଯିବ ଏକଥା ଏଡାଇଦେଇ ହେବ ନାହିଁ । ହୁଏତ ଏପରି ବି ଦିନ ଆସି ପାରେ ଯେ ଜଣେ ମହିଳାଙ୍କୁ ଏକାଧିକ ପୁରୁଷ ବିବାହ କରିବାକୁ ବାଧ୍ୟ ହେବେ । ନାରୀମାନଙ୍କ ପ୍ରତି ଯୌନ ଶୋଷଣ, ହିଂସାତ୍ମକ ଆଚରଣ ଏବଂ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଭବିଷ୍ୟତର ଏହି ଅପ୍ରତ୍ୟାଶିତ ଚିତ୍ରପଟକୁ ଏଡାଇବା ନିମନ୍ତେ ସମାଜର ଲିଙ୍ଗଗତ ବୈଷମ୍ୟ ଭାବନାକୁ ଏଡାଇ ସମସ୍ତେ ସମାନ ନ୍ୟାୟକୁ ଆପଣାଇବାକୁ ପଡିବ । ସର୍ବୋପରେ, ନାରୀମାନଙ୍କ ସୁରକ୍ଷା, ବାଲ୍ୟ ବିବାହ, ଭୃଣ ହତ୍ୟା ଆଦି ଭଳି ଘୃଣ୍ୟ ଅପରାଧଗୁଡିକରେ ଅଙ୍କୁଶ ଲଗାଇବା ପାଇଁ ଆମ ଦେଶରେ ପ୍ରଚଳିତ ସମସ୍ତ ଆଇନ୍‍କାନୁନ୍‍କୁ କଡାକଡି ଭାବେ ଲାଗୁ କରିବାକୁ ପଡିବ । ଏଥି ନିମନ୍ତେ ସରକାର ସଚେତନ ହେବା ସହ ସାଧାରଣ ନାଗରୀକମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ପଡିବ ।


    ଉମାକାନ୍ତ ପାତ୍ର
    ଥାଲକୁଡି, ମଙ୍ଗଳପୁର, ଯାଜପୁର
    ଭ୍ରାମ୍ୟଭାଷ: ୯୪୩୯୭୫୦୧୭୫

     

     

    Maximum 500 characters

    ଆପଣଙ୍କ ମତ View all

    Find Us on Facebook