Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

    ଜାତୀୟ ଦଳର ନେତା ଓ ସେମାନଙ୍କ ଅଲୋଡା କର୍ମୀ

    Date: Dec 20, 2017    Views: 49

    ଗୋଟିଏ ରାଜନୈତିକଦଳ କ୍ଷମତାକୁ ଆସିବାକୁ ହେଲେ ଦଳୀୟ କର୍ମୀମାନଙ୍କ ସହଯୋଗ ଏକାନ୍ତ ଲୋଡା । ତୃଣମୂଳ ସ୍ତରର କର୍ମୀମାନଙ୍କୁ ଅଣଦେଖା କରି ଗଣତାନ୍ତ୍ରିକ ବ୍ୟବସ୍ଥାରେ କୌଣସି ରାଜନୈତିକଦଳ କ୍ଷମତାକୁ ଆସିବାର ନଜିର ଭାରତ ସମେତ ଅନ୍ୟ କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ନଜିର ନାହିଁ । ହେଲେ ଆମ ରାଜ୍ୟରେ ଜାତୀୟ ରାଜନୈତିକ ଦଳର ତୃଣମୂଳସ୍ତରୀୟ କର୍ମୀମାନେ ଯେଭଳି ଭାବେ ଅଲୋଡା ହୋଇପଡୁଛନ୍ତି ତାହାକୁ ଲକ୍ଷ୍ୟ କଲେ ରାଜ୍ୟରେ ରାଜନୈତିକ ଦଳ ଗୁଡିକର ଭବିଷ୍ୟତ ଉପରେ ପ୍ରଶ୍ନ ଉଠିଲାଣି ।

    ନିକଟରେ କେତୋଟି ଘଟଣାକୁ ଲକ୍ଷ୍ୟ କଲେ ରାଜ୍ୟରେ ଥିବା ଦୁଇ ଜାତୀୟ ରାଜନୈତିକଦଳ ଭାରତୀୟ ଜାତୀୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି କିଭଳି କର୍ମୀଙ୍କ ଠାରୁ ଦୂରେଇ ଯାଉଛନ୍ତି ତାହା ବାରିହୋଇ ପଡୁଛି । ପ୍ରଥମେ ଦେଖାଯାଉ ୧୩୧ ବର୍ଷ ବୟସର କଂଗ୍ରେସ ଦଳକୁ । ଏହିଦଳ ହେଉଛି ରାଜ୍ୟରେ ମୁଖ୍ୟ ବିରୋଧିଦଳ । ବିଧାନସଭାର ୧୪୭ ଆସନରୁ ଦଳ ହାତରେ ରହିଛି ୧୬ ଟି ଆସନ । ବିଧାନସଭାରେ ୧୦ ଟି ଆସନ ପାଇ ବିଜେପି ତୃତୀୟ ସ୍ଥାନରେ ରହିଛି । ୧୧୮ ବିଧାୟକଙ୍କୁ ନେଇ ବିଜୁ ଜନତାଦଳ ରାଜ୍ୟରେ ଶାସନ କରୁଛି । ମୁଖ୍ୟ ବିରୋଧିଦଳ ହିସାବରେ କଂଗ୍ରେସର କାର୍ଯ୍ୟ ହେଉଛି ଦନ୍ତାହାତୀଙ୍କୁ ଅଙ୍କୁଶ ଦେଖାଇ ମାହୁନ୍ତ ନିୟନ୍ତ୍ରଣ କରିବାପରି ସରକାରଙ୍କ ଦୋଷତ୍ରୁଟିକୁ ଧରିବା । ସରକାର ଚଳାଇବାଇବାରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରୀଦଳର ଯେତିକି ଦାୟିତ୍ୱ ଅନୁରୂପ ଭୂମିକା ରହିଛି ବିରୋଧିଦଳର । 

    ହେଲେ କଂଗ୍ରେସର ଆଗଧାଡିର ନେତାମାନେ ପରସ୍ପର ବିରୁଦ୍ଧରେ ଲଢେଇରେ ମାତିଛନ୍ତି । ରାଜ୍ୟ କଂଗ୍ରେସ ଓ କଂଗ୍ରେସ ବିଧାୟକ ଦଳ ଦୁଇ ଭାଗରେ ବିଭକ୍ତ । ଏହି ଦଳକୁ ନିୟନ୍ତ୍ରଣ ପାଇଁ ଜାତୀୟ କଂଗ୍ରେସ ପକ୍ଷରୁ ନିୟୋଜିତ ଦୁଇ ପର୍ଯ୍ୟବେକ୍ଷକ ଏମାନଙ୍କୁ ଏକାଠି ରଖିବାରେ ବିଫଳ ହୋଇଛନ୍ତି । ଦୁଇ ଗୋଷ୍ଠି କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ପରସ୍ପର ବିରୁଦ୍ଧରେ ଫେରାଦ ହେବାପାଇଁ ଆଗପଛ ହୋଇ ବାରମ୍ବାର ଦିଲ୍ଲୀ ଧାଉଁଛନ୍ତି । ଖୋଲାଖୋଲି ଭାବେ ଗଣମାଧ୍ୟମରେ ପରସ୍ପର ବିରୁଦ୍ଧରେ ବିବୃତି ଦେଉଛନ୍ତି । ଓଡିଶା ଦାୟିତ୍ୱରେ ଥିବା କଂଗ୍ରେସନେତାଙ୍କୁ ଗାଳି କରିବାକୁ ବି ପଛାଉ ନାହାନ୍ତି । 

    ଆଉ ମାସ ଦୁଇଟା ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ତୃଣମୂଳସ୍ତରରେ ଥିବା କଂଗ୍ରେସ କର୍ମୀମାନେ ରାଜ୍ୟନେତାଙ୍କ ଇସାରାକୁ ଚାହିଁଛନ୍ତି । ପଂଚାୟତ ନିର୍ବାଚନ ପାଇଁ କି ପ୍ରକାର ବ୍ୟବସ୍ଥା ହେବ । କିଭଳି ଭାବେ ଶାସକଦଳକୁ ମୁକାବିଲା କରାଯାଇ ପାରିବ । ତାହା ଉପରେ କର୍ମୀଙ୍କ ନଜର । ହେଲେ ଗଣମାଧ୍ୟମରେ ସେମାନେ ନିଜ ନେତାଙ୍କ ଯୁଦ୍ଧ ଦେଖି ଏକ ପ୍ରକାର ତଟସ୍ଥ । ପଂଚାୟତ ନିର୍ବାଚନ ପାଇଁ ଦଳରେ କେବଳ ଔପଚାରିକତା ରକ୍ଷା ଦୃଷ୍ଟିରୁ ବୈଠକ ବସୁଛି । ହେଲେ ଗାଁ ଗହଳର କର୍ମୀମାନେ କଣ ଚାହୁଁଛନ୍ତି ସେ ସଂକ୍ରାନ୍ତରେ ବୁଝିବାକୁ କାହାର ବେଳନାହିଁ । ନିଜ ନିଜ ଚଉକିଚିନ୍ତା ଓ ଶତ୍ରୁ ଦମନରେ ସମସ୍ତେ ବ୍ୟସ୍ତ । ତେଣୁ ରାଜ୍ୟରେ ଏହି ସର୍ବ ପୁରାତନଦଳର ତଳିଆ କର୍ମୀମାନେ କିଭଳି ସତରବର୍ଷ ଧରି ରାଜ୍ୟ ଶାସନରେ ଥିବା ବିଜେଡି ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିଦଳକୁ ମୁକାବିଲା କରିବେ ତାହାର କୁଳ କିନାରା ପାଉନାହାନ୍ତି । କର୍ମୀ ଓ ନେତାଙ୍କ ମଧ୍ୟରେ ବଢୁଥିବା ଏହି ବ୍ୟବଧାନ ଆଗାମୀ ଦିନରେ ଅଧିକ ପ୍ରସାରିତ ହୋଇ ଦଳକୁ କ୍ଷତି ପହଁଚାଇବାଟା ଜଳ ଜଳ ହୋଇ ଦିଶୁଛି । 

    ଅନୁରୂପ ଅବସ୍ଥା ବିଜେପି ଦଳର କହିଲେ ଅତୁ୍ୟକ୍ତି ହେବନାହିଁ । କେନ୍ଦ୍ରରେ ବିଜେପି ସରକାର ଆସିବାପରେ ରାଜ୍ୟନେତାମାନେ କ୍ଷମତା ପାଇବାର ସ୍ୱପ୍ନ ଦେଖିଥିଲେ । ଇତି ମଧ୍ୟରେ କେନ୍ଦ୍ରରେ ସରକାର ଗଠନ ହେବାର ଅଢେଇ ବର୍ଷ ବିତିଲାଣି । ହେଲେ ରାଜ୍ୟରେ ବିଜେପିର ସେଭଳି ଆଖିଦୃଶିଆ ଅଭିବୃଦ୍ଧି ଲକ୍ଷ୍ୟ କରାଯାଉନାହିଁ । ରାଜ୍ୟ ସ୍ତରର ନେତାମାନେ ସଭା ସମିତି ଜରିଆରେ ଯେଭଁ ଡାକରା ଦେଉଛନ୍ତି ତାହା ତଳସ୍ତରର କର୍ମୀଙ୍କ ନିକଟରେ ପହଁଚିବା ପୂର୍ବରୁ ଅକାଳମୃତୁ୍ୟ ବରଣ କରୁଛି । ଗତ ବର୍ଷ ଡିସେମ୍ବର ମାସରେ ଦଳର ଜାତୀୟ ସଭାପତି ଆସିଥିଲେ ମହାସମାବେଶକୁ । ରାଜ୍ୟର କୋଣ ଅନୁକୋଣରୁ କର୍ମୀମାନେ ବି ଆସିଥିଲେ । ଭାବିଥିଲେ ଜାତୀୟ ସଭାପତି ରାଜ୍ୟରେ ବିଜେଡି ସହିତ ଶିଙ୍ଗ ପକାଇ ଲଢିଲା ଭଳି କିଛି ବାଟ ଦେଖାଇବେ । ହେଲେ ସେଭଳି କିଛି ହେଲାନାହିଁ । କର୍ମୀ ମୁହଁ ଶୁଖାଇ ଫେରିଲେ । ଏହାକୁ ନେଇ ରାଜ୍ୟ ବିଜେପିରେ କିଛିଦିନ ଘଂଟାଚକଟା ବି ହେଲା । ପ୍ରାୟ ବର୍ଷକ ପରେ ନିକଟରେ ପୁଣିଥରେ ଜାତୀୟ ସଭାପତି ଓଡିଶା ଗସ୍ତରେ ଆସି ସାଧାରଣ ସଭାରେ ଭାଷଣ ଦେଲେ । ଏଥର କିନ୍ତୁ ସ୍ୱର ବଦଳିଲା । କେନ୍ଦ୍ର ସଭାପତି ରାଜ୍ୟ ସରକାରଙ୍କ ଦୋଷତ୍ରୁଟି କହିବା ସହିତ ସରକାରଙ୍କୁ ଓପାଡି ଫୋପାଡି ଦେବାପାଇଁ କର୍ମୀଙ୍କୁ ଆହ୍ୱାନଦେଲେ । କର୍ମୀ ବି ଉଷ୍ମହୋଇ ଗାଁକୁ ଫେରିଲେ । 

    ହେଲେ ଶାହାଙ୍କ ଭାଷଣର ଗରମକୁ ଗାଁରେ ନିଆଁରେ ପରିଣତ କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବିଜେପିର ନମ୍ବର ଦୁଇ ନେତା କୁହାଯାଉଥିବା ଅରୁଣ ଜେଟଲୀ ଏହା ଉପରେ ପାଣି ପକାଇଦେଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଶିଳ୍ପ ପ୍ରଦର୍ଶନୀରେ ଯୋଗଦେଇ ଶ୍ରୀ ଜେଟଲୀ ଖାଲି ରାଜ୍ୟ ସରକାରଙ୍କୁ ଭୁରି ଭୁରି ପ୍ରଶଂସାକଲେ ତାହାନୁହେଁ, ବିଜେପି ନେତାଙ୍କୁ ଭକୁଆ ବନାଇ ବିଜେଡି ସଭାପତି ନବୀନଙ୍କ ସହିତ ଗାଡିରେ ବସି ତାଙ୍କ ଘରେ ଯାଇ ଭୋଜନ ବି କଲେ । ଜେଟ୍‍ଲୀଙ୍କ ପରେ ଆଉଜଣେ କେନ୍ଦ୍ରମନ୍ତ୍ରୀ ପିୟୁସ ଗୋୟେଲ ଆସି ନବୀନଙ୍କ ସରକାରଙ୍କ ଗୁଣ କୀର୍ତନ କଲେ । ଏହାପରେ ଶାହାଙ୍କ ବିବୃତିକୁ ଜାବୁଡିଧରି ଶାସକଦଳ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିବା ବିଜେପିର ନେତାମାନେ ଏବେ ଦିଗହରା । ଗାଁ ଗହଳରେ କର୍ମୀଙ୍କ ଅବସ୍ଥା ଆହୁରି ଦୟନୀୟ । କିଭଳି ଏହି ରାଜନୈତିକ ସଙ୍କଟରୁ ଉଦ୍ଧାର ମିଳିବ ସେଥିପାଇଁ ଏବେ ବିଜେପି ନେତାମାନେ ବାଟ ଖୋଜୁଛନ୍ତି । ଏହି ଦଳରେ ବି ଗୋଷ୍ଠିକନ୍ଦଳ କମ ନାହିଁ । ଦଳର କିଛି ପ୍ରଭାବଶାଳୀ ନେତା କୋଣଠେସା ହୋଇ ରହିଛନ୍ତି । ଏହାର ପ୍ରଭାବ ବି କର୍ମୀଙ୍କ ଉପରେ ପଡୁଛି ।

    ଦୁଇ ଦଳର ଏଭଳି କାର୍ଯ୍ୟକଳାପ ଭିତରେ କିନ୍ତୁ କେହି ହେଲେ ତୃଣମୂଳ ସ୍ତରର କର୍ମୀମାନେ କଣ ଚାହୁଁଛନ୍ତି ତାହା ଚିନ୍ତା କରୁନାହାନ୍ତି । କର୍ମୀଙ୍କ ମନୋବଳକୁ ବଢାଇବାପାଇଁ ସେଭଳି ଉଦ୍ୟମ ହେଉନାହିଁ । ରାଜଧାନୀରେ ଗଣମାଧ୍ୟମରେ ସରକାର ବିରୋଧି ବିବୃତି ଦେବା ଓ ଭୋଟ ମିଳୁଥିବା ଗାଁ ଗହଳରେ ସରକାରୀଦଳ ଓ କଳ ବିରୁଦ୍ଧରେ ଲଢେଇ କରିବା ଯେ କେତେ କଷ୍ଟକର ତାହାକୁ ଏହି ଦୁଇଦଳର ନେତାମାନେ ପାଶୋରୀ ଯାଉଛନ୍ତି । ରାଜ୍ୟସ୍ତର ଅଥବା ଆଗଧାଡିର ନେତାମାନେ ସେମାନଙ୍କ ଚିନ୍ତାଧାରା, ମନୋଭାବକୁ ଦଳୀୟ ରଙ୍ଗ ଦେଇ କର୍ମୀଙ୍କ ଉପରେ ଲଦି ଦେଉଛନ୍ତି । ଗାଁ ଗହଳରେ ବିଚରା ଦଳୀୟ ପତାକାଧରି ନିଜକୁ ଅମୁକ ଦଳର ଓ ସମୁକ ଦଳର ବୋଲି ପରିଚୟ ଦେଉଥିବା କର୍ମୀଟି ବିରୋଧି ମାନଙ୍କ ନିର୍ଯ୍ୟାତନାର ଶିକାର ହେଉଛି । ଆଉ କେତେକ ବାମପନ୍ଥୀ ଓ ସମାଜବାଦୀ ଦଳ ବି ମଉକା ଦେଖି ନବୀନଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛନ୍ତି । 

    Maximum 500 characters

    ଆପଣଙ୍କ ମତ View all

    Find Us on Facebook