Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଧାନ କଟନି ଛଟନିରେ ହେଉଛି ଦୁର୍ନୀତି : ନରସିଂହ

    Share on :
    Date: Dec 14, 2017    Views: 280

    ଭୁବନେଶ୍ୱର : ବେଆଇନ୍ ଭାବେ ମଣ୍ଡିରେ ଚାଷୀଙ୍କ ଧାନ କଟା ହେଉଛି  । ମିଲରଙ୍କ ସହ ମିଶି ସରକାର ଚାଷୀଙ୍କୁ ଲୁଟୁଛନ୍ତି  ।  ବିରୋଧୀ ଦଳ  ଚାଷୀଙ୍କ ହକ ପାଇଁ ଲଢ଼ୁଥିବାବେଳେ ଗୃହବାହାରେ ଖାଦ୍ୟଯୋଗାଣ ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଦୁର୍ଭାଗ୍ୟଜନକ  । ମନ୍ତ୍ରୀ ଏନେଇ କ୍ଷମା ନମାଗିଲେ ବିରୋଧୀ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବ ନାହିଁ ବୋଲି ସରକାରଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚେତାବନୀ ଦେଇଥିଲେ  । 
    ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଧୋଇ ହୋଇଯାଇଥିଲା  । ତେବେ ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେଯେ, ସାରା ରାଜ୍ୟରେ ଏଯାଏଁ ମଣ୍ଡି ଖୋଲିନାହିଁ  । ଏଫଏକୁ୍ୟ ନାମରେ ଚାଷୀର ଧାନ କଟାଯାଉଛି  । ଚାଷୀ ମନରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ କଂଗ୍ରେସ ବାରବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଆସୁଛି  । ଏସଂକ୍ରାନ୍ତରେ ବିରୋଧୀ ଦଳ ମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ  । ଗତକାଲି ସଂସଦୀୟବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ମନ୍ତ୍ରୀ ବିବୃତି ଦେବେବୋଲି କହିଥିଲେ  । ହେଲେ ଆଜି ଲିଷ୍ଟ ଅଫ ବିଜିନେସରେ ଏନେଇ କୌଣସି ସୂଚନା ଦିଆଯାଇନାହିଁ  । ଅପରପକ୍ଷରେ ମନ୍ତ୍ରୀ ଗୃହ ବାହାରେ ଏନେଇ ମନ୍ତବ୍ୟ ରଖିଛନ୍ତି  । ବିରୋଧୀ କ’ଣ ପ୍ରଶ୍ନ କରୁଛନ୍ତି ବୁଝା ପଡ଼ୁନାହିଁ ବୋଲି କହୁଛନ୍ତି  । ଯଦି ମନ୍ତ୍ରୀ ପ୍ରଶ୍ନ ବୁଝିପାରୁନାହାନ୍ତି ତେବେ କି ଉତର ଦେବେ ? ଗୃହରେ ଏହି ପ୍ରସଙ୍ଗ ଉପସ୍ଥାପିତ ହୋଇଥିବାବେଳେ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି  । ତଥାପି ମନ୍ତ୍ରୀ ଜାଣିପାରୁନାହାନ୍ତି  । ବିରୋଧୀ ଦଳ ଟିଭିରେ ମୁହଁ ଦେଖାଇବାକୁ ଏଭଳି କରୁଛନ୍ତି ବୋଲି ମନ୍ତ୍ରୀ କହୁଛନ୍ତି  । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  । ଶାସକ ଦଳକୁ ଟାର୍ଗେଟ୍ କରି ସେ କହିଲେଯେ, ବିଜେଡ଼ି ଯେତେବେଳେ ମହାନଦୀ କିମ୍ବା ପୋଲାଭରମ୍ ପ୍ରସଙ୍ଗରେ ଗୃହ ଅଚଳ କରୁଛି ସେତେବେଳେ କ’ଣ ଶାସକ ଦଳ ବିଧାୟକମାନେ ମୁହଁରେ କଳାକନା ଢାଙ୍କି ଦେଉଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ  । ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି  । ହେଲେ କେଉଁ ଆଇନ୍ ବଳରେ ଚାଷୀଙ୍କ ଧାନ କଟାଯାଉଛି ? ସରକାର ମିଲରମାନଙ୍କ ସହ ସଂପୃକ୍ତ ଅଛନ୍ତି ବୋଲି ବିବୃତି ଦେଉନାହାନ୍ତି  । ଯଦି ମଣ୍ଡିରେ କିଛି ଅବ୍ୟବସ୍ଥା ହେଉନାହିଁ ସରକାରଙ୍କ ସ୍ପେଶିଆଲ ସ୍କ୍ୱାଡ଼ ମଣ୍ଡି ପାଖକୁ କାହିଁକି ଯାଉଛନ୍ତି  । ସେମାନେ କ’ଣ ସୋସାଇଟ୍ ଓ ମିଲମାଲିକଙ୍କ ଠାରୁ ଚାନ୍ଦା ଆଦାୟ କରୁଛନ୍ତି କି ବୋଲି ନରସିଂହ ପ୍ରଶ୍ନ କରିଥିଲେ  ।
    ନରସିଂହ କହିଲେଯେ, ମନ୍ତ୍ରୀ ଗୃହ ବାହାରେ ଯାହା କହିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ  । ଏହା ଗୃହର ସ୍ୱାଧୀକାର ଭଙ୍ଗ କରିଛି  । ତେଣୁ ମନ୍ତ୍ରୀ ଏନେଇ କ୍ଷମାମାଗନ୍ତୁ ବୋଲି ସେ ଦାବି କରିଥିଲେ  । ହାଇକୋର୍ଟଙ୍କ ରାୟ ଅନୁସାରେ ଯଦି ଚାଷୀର ଧାନ ଏଫଏକୁ୍ୟ ମାନର ହୋଇନଥିବ ତେବେ ଅଣ ଏଫଏକୁ୍ୟ ଧାନ ପାଇଁ ସ୍ୱତନ୍ତ୍ର ମୂଲ୍ୟ ଧାର୍ଯ୍ୟ ହୋଇପାରିବ  । ହେଲେ ରାୟକୁ ଭଲଭାବେ ତର୍ଜମା ନକରି କେନ୍ଦ୍ରକୁ ଚିଠି ଲେଖିଲେ କ’ଣ ଲାଭ ହେବବୋଲି ସେ କହିଥିଲେ  । ଯଦି ମନ୍ତ୍ରୀ କ୍ଷମା ନମାଗିବେ ତେବେ ସେମାନେ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିବେ ନାହିଁ ବୋଲି ନରସିଂହ କହିଥିଲେ  । 
    ନରସିଂହଙ୍କ ବକ୍ତବ୍ୟ ସରିବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ  । ପୋଡ଼ିୟମ ବାଡେ଼ଇ ବିରୋଧୀ ବିଧାୟକମାନେ ନାରାବାଜି କରିଥିଲେ  । ଚାଷୀଙ୍କ ପଇସା ଖାଇଲା କିଏ, ନବୀନ ପଟ୍ଟନାୟକ ଆଉ କିଏ ? ସୂର୍ଯ୍ୟ ନାରାୟଣ ପାତ୍ର ଆଉ କିଏ ? ସରକାରଙ୍କ ମିଲ ମାଲିକ ପ୍ରୀତି ଚଳିବ ନାହିଁ ବୋଲି ନାରାବାଜି କରିଥିଲେ  । ଅପରପକ୍ଷରେ ବିଜେପି ବିଧାୟକ ରବି ନାରାୟଣ ନାଏକ ସଚିବଙ୍କ ଚଉକି ଉପରେ ଚଢ଼ି ବାଚସ୍ପତିଙ୍କ ମାଇକ ଟଣାଓଟରା କରୁଥିବା ଦେଖିବାକୁ ମିଳିଥିଲା  । ଗୃହରେ ବିରୋଧୀ ହଟ୍ଟଗୋଳ ଜାରି ରଖିଥିବାବେଳେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିଜର ବିବୃତି ରଖିଥିଲେ  । ତେବେ ଗୃହରେ ଅସ୍ୱାଭାବିକ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ଗୃହକୁ ୧୨ଟା ୧୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ  ।
    ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ପୁଣି ସରକାରଙ୍କ ଉପରେ ବର୍ଷିବା ସହ ଖାଦ୍ୟଯୋଗାଣ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ  । ସେ କହିଥିଲେଯେ, କଟନଛଟନି ଯୋଗୁଁ ଦୁର୍ନୀତି ହେଉଛି  । ସୋସାଇଟଗୁଡ଼ିକର ପ୍ରବଳ ଲାଭ ହେଉଛି  । ତେବେ କିଏ କେତେ ନେଉଛନ୍ତି ସେ ଜାଣନ୍ତି ନାହିଁ  । ସରକାରଙ୍କୁ ଯାହା ପ୍ରଶ୍ନ କଲେ ବି ଉତର ମିଳୁନାହିଁ  । ଯଦି ଉତର ନମିଳିବ ତେବେ ଆଲୋଚନାର ମାନେ କ’ଣ ବୋଲି ସେ ପ୍ରଶ୍ନ କରିଥିଲେ  । 

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook