Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

    ଟ୍ରିବୁନାଲକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ବିଜେଡ଼ି ଓ କଂଗ୍ରେସ

    Date: Dec 13, 2017    Views: 150

    ଭୁବନେଶ୍ୱର : ମହାନଦୀ ଟ୍ରିବୁନାଲକୁ ନେଇ ବିଧାନସଭାରେ ୪ ଘଂଟିଆ ମୋସନ୍ ଆଲୋଚନା ଆରମ୍ଭ ହୋଇଥିବାବେଳେ ଉଭୟ ବିଜେଡ଼ି ଓ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି  । ବର୍ଷକ ମଧ୍ୟରେ ଟ୍ରିବୁନାଲ ଗଠନ ବାଧ୍ୟତାମୂଳକ ବୋଲି ଆଇନ୍ରେ ଉଲ୍ଳେଖ ରହିଥିବାବେଳେ କେନ୍ଦ୍ର ସରକାର କେଉଁ ସ୍ୱାର୍ଥରେ ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ବିଜେଡ଼ି ଓ କଂଗ୍ରେସ ପ୍ରଶ୍ନ କରିଛନ୍ତି  । ଛତିଶଗଡ଼ର ସ୍ୱାର୍ଥ ପାଇଁ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଗଲେ ତାହାକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ ବୋଲି  ଗୃହରେ ମତପ୍ରକାଶ ପାଇଛି  ।

    ମହାନଦୀ ଟ୍ରିବୁନାଲ ଗଠନ ସଂକ୍ରାନ୍ତୀୟ ମୋସନ୍ ଉପରେ ଆଲୋଚନା ଆରମ୍ଭ କରି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେଯେ, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସବୁ ଦଳ ସମ୍ମତି ପ୍ରକାଶ କରିଛନ୍ତି  । ଗୋଟିଏ ଅଧିବେଶନରେ ସମାନ ପ୍ରସଙ୍ଗକୁ ନେଇ ଦୁଇ ଦୁଇ ଥର ମୋସନ୍ ଆଲୋଚନା ଏକ ବିରଳ ଘଟଣା  । ତେବେ ମହାନଦୀର ସୁରକ୍ଷା ପାଇଁ ଆମେ ବିଧାନସଭାରେ ଏହି ପ୍ରସଙ୍ଗରେ ପୁଣି ଥରେ ଆଲୋଚନା କରୁଛୁ  । ବିଭିନ୍ନ ଫୋରମରେ ମଧ୍ୟ ମହାନଦୀ ଜଳ ବିବାଦ ନେଇ ଗୃହରେ ଅନେକବାର ଆଲୋଚନା ହୋଇଛି  । ଏଭଳି ଏକ ସଂଗୀନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ଅମର ପ୍ରଶ୍ନ ଉଠାଇଥିଲେ  । ସେ କହିଲେଯେ, ଉଭୟ ଲୋକସଭା ଓ ରାଜ୍ୟସଭାରେ କେନ୍ଦ୍ର ଜଳ ରାଷ୍ଟ୍ରମନ୍ତ୍ରୀ ସ୍ୱୀକାର କରିଛନ୍ତିଯେ, ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଥିବା ମହାନଦୀ ବିବାଦର ସମାଧାନ ଆପୋଷ ଆଲୋଚନା ମାଧ୍ୟମରେ ସମ୍ଭବ ନୁହେଁ  । ତେଣୁ କେନ୍ଦ୍ର ସରକାର ବିବାଦର ସମାଧାନ ପାଇଁ ଏକ ଟ୍ରିବୁନାଲ ଗଠନ କରିବାକୁ ନିଷ୍ପତି ନେଇଛନ୍ତି  । ଏସଂକ୍ରାନ୍ତୀୟ କ୍ୟାବିନେଟ୍ ଚିଠା ନୋଟ୍ ମଧ୍ୟ ପ୍ରସ୍ତୁତ ହୋଇଛି ବୋଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ତଥ୍ୟ ଉପସ୍ଥାପନ କରାଯାଇଛି  । ଖାଲି ସେତିକିନୁହେଁ ସୁପ୍ରିମକୋର୍ଟରେ ଏସଂକ୍ରାନ୍ତୀୟ ମାମଲାର ଶୁଣାଣୀ ଚାଲିଥିବାବେଳେ ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ଟ୍ରିବୁନାଲ ଗଠନ କରାଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ  । ଉଭୟ ସଂସଦ ଓ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଯାହା କହିଛନ୍ତି ତାହା ପାଳନ କରିବା କଥା  । କିନ୍ତୁ ଏବେ କେନ୍ଦ୍ର ସରକାର ତାଙ୍କର ଆଭିମୁଖ୍ୟ ବଦଳାଇ ଦେଇଛନ୍ତି  । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଯେଉଁ ପକ୍ଷ ରଖିଛନ୍ତି ତାହା ଓଡ଼ିଶାର ସ୍ୱାର୍ଥ ବିରୋଧୀ  । କେଉଁ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଟ୍ରିବୁନାଲ ଗଠନ କରିବାକୁ ରାଜି ହେଉନାହାନ୍ତି ବୁଝି ହେଉନାହିଁ  । କେନ୍ଦ୍ର ସରକାର କ’ଣ ଉଭୟ ରାଜ୍ୟ ମଧ୍ୟରେ କଳି କରିବାକୁ ଚାହାନ୍ତି ବୋଲି ଶ୍ରୀ ଶତପଥୀ ପ୍ରଶ୍ନ କରିବା ସହ ଓଡ଼ିଶାର ସ୍ୱାର୍ଥ ପାଇଁ ମିଳିତ ଲଢେ଼ଇ କରିବାକୁ ଆହ୍ୱାନ ଦେଇଥିଲେ  ।

    ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ବିଧାୟକ ନବକିଶୋର ଦାସ କେନ୍ଦ୍ର ଉପରେ ବର୍ଷିଥିଲେ  । ମହାନଦୀ ଟ୍ରିବୁନାଲକୁ ନେଇ କେନ୍ଦ୍ର ସରକାର ଯେଉଁ ଆଭିମୁଖ୍ୟ ପୋଷଣ କରିଛନ୍ତି ତାହା ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବର ପରିଚାୟକ  । ଏପଟେ ରାଜ୍ୟ ସରକାର ଶୋଇଥିବାବେଳେ ସେପଟେ କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ଯୋଗୁଁ ଓଡ଼ିଶାବାସୀ ଓ ମହାନଦୀ କ୍ଷତିଗ୍ରସ୍ତ ହେବାକୁ ଯାଉଛି  । କେନ୍ଦ୍ର ସରକାର ସଂସଦ ଓ ସୁପ୍ରିମକୋର୍ଟରେ ଟ୍ରିବୁନାଲ ଗଠନର ଆବଶ୍ୟକତା ରହିଛି ବୋଲି ହୃଦବୋଧ କରିଥିବାବେଳେ ଏବେ ଛେପ ଢେ଼ାକିଛନ୍ତି  । ଭୋଟ ପାଇଁ କେନ୍ଦ୍ରକୁ ଛତିଶଗଡ଼ ଦେଖାଯାଉଛି  । ହକ୍ ପାଇଁ ଓଡ଼ିଶା ଲଢ଼ିବାକୁ ପ୍ରସ୍ତୁତ  । ଓଡ଼ିଶାକୁ ଅଣଦେଖା କଲେ ଧ୍ୱଂସ ପାଇଯିବ ବୋଲି ଶ୍ରୀ ଦାସ କହିଥିଲେ  ।

    ଶ୍ରୀ ଦାସ କହିଲେଯେ, ମାଟି ଠାରୁ ଦଳ ବଡ଼ ନୁହେଁ  । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ମଧ୍ୟ ଏଯାଏଁ ପ୍ରଧାନମନ୍ତ୍ରୀ ଉତର ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ  । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ କାନ ମୋଡିବାକୁ ବାଧ୍ୟ ହୋଇଛନ୍ତି  । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ତୁତୁ ମେଁମେଁ ଚାଲିଥିବାବେଳେ ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ତୁରନ୍ତ ମହାନଦୀ ଟ୍ରିବୁନାଲ ଗଠନ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ଦାସ କହିଥିଲେ  ।

    Maximum 500 characters

    ବିଧାନସଭା ଖବର View all

    Find Us on Facebook