Jan 16, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

    ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ : ନବୀନ

    Date: Dec 8, 2017    Views: 149

    ଭୁବନେଶ୍ୱର : ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚଦାବି ଆଲୋଚନାର ଉତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଶାନ୍ତିପୂର୍ଣ୍ଣ ରହିଛି  । ରାଜ୍ୟର ସାମଗ୍ରୀକ ଅପରାଧିକ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି  । ପୁଲିସ ଭିତିଭୂମିର ବିକାଶ, ସୁରକ୍ଷା କର୍ମଚାରୀ ନିଯୁକ୍ତି, ସ୍ୱତନ୍ତ୍ର ପ୍ରଶିକ୍ଷଣ ଓ ଆତ୍ମସମର୍ପଣ ଓ ଥଇଥାନ ନୀତି ଯୋଗୁଁ ମାଓ ଉପଦ୍ରୁବ ହ୍ରାସ ପାଇଛି  । ସେହିପରି ଓଡ଼ିଶାର ଲୋକମାନେ ହିଂସାତ୍ମକ କାର୍ଯ୍ୟକୁ ସମର୍ଥନ କରୁନଥିବାବେଳେ ବାମପନ୍ଥୀ ଉଗ୍ରବାଦୀଙ୍କର ସ୍ଥାନୀୟ ଅଂଚଳରେ କୌଣସି ଭିତି ନାହିଁ  । ତେବେ ଛତିଶଗଡ଼,  ଝାରଖଣ୍ଡ ଓ ଆନ୍ଧ୍ରପ୍ରଦେଶରୁ ମାଓ ଅନୁପ୍ରବେଶ ଯୋଗୁଁ ଆମର ସମସ୍ୟା ସୃଷ୍ଟି ହେଉଛି  । ଛତିଶଗଡ଼ ସୀମାନ୍ତରେ ବହୁ ପରିମାଣର କେନ୍ଦ୍ରୀୟ ବାହିନୀ ନିୟୋଜିତ ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି  । ତେବେ ଓଡ଼ିଶାରେ ଅତିରିକ୍ତ କେନ୍ଦ୍ରୀୟ ବାହିନୀ ନିୟୋଜିତ କରିବା ପାଇଁ ବାରବାର ଅନୁରୋଧ କରାଯିବା ସତ୍ୱେ କେନ୍ଦ୍ର ସରକାର ଫୋର୍ସ ଦେଉନାହାନ୍ତି  । ଗୁରୁପ୍ରିୟା ସେତୁ ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ଅର୍ଥ ପ୍ରଦାନ କରିନଥିଲେ ମଧ୍ୟ ରାଜ୍ୟ ସରକାର ତାହା କରୁଛନ୍ତି  । ଆଉ କିଛି ମାସ ମଧ୍ୟରେ ଏହା ବିଚ୍ଛିନ୍ନାଂଚଳକୁ ସଂଯୋଗ କରିବାରେ ସମର୍ଥ ହେବ  । ଏଥିରୁ ରାଜ୍ୟ ସରକାର କିଭଳି ଭାବେ ମାଓ ଉପଦ୍ରବକୁ ହ୍ରାସ କରିପାରିଛନ୍ତି ତାହା ପ୍ରତିଫଳିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ  ।


    ସେ କହିଲେଯେ, ତାଙ୍କ ସରକାର ସବୁବେଳେ ମହିଳା, ଶିଶୁ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ଉପରେ ହେଉଥିବା ଅପରାଧ ରୋକିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି  । ସେହିପରି ନ୍ୟାୟ ପ୍ରଦାନ ପାଇଁ ମଧ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି  । ଏଥିପାଇଁ ସ୍ୱତନ୍ତ୍ର ଏପିପି ନିଯୁକ୍ତି, ମହିଳା ଓ ଶିଶୁ ଡେସ୍କ ପ୍ରତିଷ୍ଠା, ରେଡ଼ ଫ୍ଲାଗ ମାମଲା ଅନୁଧ୍ୟାନ କରିବା ପାଇଁ ସ୍ୱତନ୍ତ୍ର ୟୁନିଟ୍ ଗଠନ କରାଯାଇଛି  । ଯେଉଁ ଯେଉଁ କ୍ଷେତ୍ରରେ ଅବହେଳା ହେଉଥିବା ନଜରକୁ ଆସିଛି ସେକ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ  ।

    ମୁଖ୍ୟମନ୍ତ୍ରୀ କହିଲେଯେ, ଚଳିତ ବର୍ଷ ‘ଅପରେସନ ମୁସ୍କାନ୍-୩’ ଜରିଆରେ ପୁଲିସ୍ ୩୭୪୮ ନିଖୋଜ ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଛି  । ଶିଶୁଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାରଙ୍କ ଉଲ୍ଳେଖନୀୟ ଉଦ୍ୟମ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଉଚ୍ଚ ପ୍ରଶଂସା କରିଛନ୍ତି ବୋଲି ନବୀନ କହିଥିଲେ  ।


    ସାଧାରଣ ପ୍ରଶାସନ ବିଭାଗର ସଫଳତା ସମ୍ପର୍କରେ ନବୀନ କହିଲେଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଜନତାଙ୍କୁ ସେବା ନିଶ୍ଚିତ କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ  । ସେଥିପାଇଁ ୨୪ ବିଭାଗର ୩୩୩ ଜନସେବାକୁ ଓଡ଼ିଶା ଜନସେବା ଅଧିକାର ଆଇନ ପରିସରଭୁକ୍ତ କରାଯାଇଛି  । ଜନସେବାର ଫଳପ୍ରଦ ମନିଟରିଂ ପାଇଁ ସାଧାରଣ ପ୍ରଶାସନ ଓ ଅଭିଯୋଗ ଶୁଣାଣୀ ବିଭାଗ ପକ୍ଷରୁ ୱେବଭିତିକ କେନ୍ଦ୍ରୀୟ ମନିଟରିଂ ବ୍ୟବସ୍ଥା କରାଯାଇଛି  । ଏତଦବ୍ୟତୀତ ନିୟମିତ ଭାବେ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଓ ଅନ୍ୟ ସରକାରୀ ନିଯୁକ୍ତି ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି  । ନିଯୁକ୍ତି ଓ ବିଭିନ୍ନ ବିଭାଗର ନବନିଯୁକ୍ତମାନଙ୍କୁ ପ୍ରଶିକ୍ଷଣକୁ ଅନୁଧ୍ୟାନ କରିବା ପାଇଁ ୱେବପୋର୍ଟାଲ ମଧ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ  ।


    ସେହିପରି ରାଜ୍ୟର ୫୦ ହଜାରରୁ ଉଦ୍ଧ୍ୱର୍ ଗରିବ ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରାଯାଇଥିବାବେଳେ ୫ ହଜାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି  । ନବୀନ କହିଲେଯେ, ତାଙ୍କ ସରକାର ଦୁର୍ନୀତି ବିରୋଧୀ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରୁଛି  । ବିଭିନ୍ନ କ୍ଷେତ୍ରରେ ସରକାର ସ୍ୱଚ୍ଛ ପଦ୍ଧତି ଅବଲମ୍ବନ କରୁଛନ୍ତି ବୋଲି ସେ କହିଥିଲେ  ।

    Maximum 500 characters

    ବିଧାନସଭା ଖବର View all

    Find Us on Facebook