Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

ଓଡ଼ିଶା ପ୍ରତି ବେଇମାନି କରିଛି କେନ୍ଦ୍ର : ନରସିଂହ

Date: Dec 7, 2017    Views: 176

ଭୁବନେଶ୍ୱର : ମହାନଦୀ ଟ୍ରିବୁ୍ୟନାଲକୁ ଅଗ୍ରାହ୍ୟ କରି କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବେଇମାନି କରିଛନ୍ତି  । କେନ୍ଦ୍ର ସରକାର ଆଇନ୍ ଉଲ୍ଲଂଘନ କରି ଟ୍ରିବୁନାଲ ଗଠନ କରିନଥିବାବେଳେ ଏବେ ଆଳ ଦେଖାଉଛନ୍ତି  । ଯାହାକି ଓଡ଼ିଶାବାସୀଙ୍କ ପ୍ରତି ପ୍ରତାରଣା ଓ ବିଶ୍ୱାସଘାତକତା ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି  । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦଳୀୟ ବୈଠକ ଡାକିବାକୁ କାହିଁକି ପଛଘୁଂଚା ଦେଉଛନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି  ।


ମହାନଦୀ ପ୍ରସଙ୍ଗକୁ ନେଇ ଗୃହର ଆଭ୍ୟନ୍ତରୀଣ ପରିବେଶ ଯେମିତି ସରଗରମ ଥିଲା ବାହ୍ୟ ପରିବେଶ ବି ସେମିତି ଉଷ୍ଣ ରହିଥିଲା  । ଗୃହ ବାହାରେ ଏନେଇ ପ୍ରତିକ୍ରିୟା ବ୍ୟକ୍ତ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତିଯେ, ମହାନଦୀ ଟ୍ରିବୁନାଲକୁ ଅଗ୍ରାହ୍ୟ କରିବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହା ଗ୍ରହଣୀୟ ନୁହେଁ । ଯଦି ରାଜ୍ୟ ସରକାର ତଥ୍ୟ ଦେବାରେ ବିଫଳ ତେବେ ତା’ର ବିଚାର କେନ୍ଦ୍ର ନୁହେଁ ଟ୍ରିବୁ୍ୟନାଲ କରିବେ  । କେନ୍ଦ୍ର ସରକାର ଦର୍ଶାଇଛନ୍ତିଯେ, ରାଜ୍ୟ ସରକାର ବୁଝାମଣା ପାଇଁ ଆହୂତ ବୈଠକରେ ଯୋଗଦେଲେନାହିଁ  । ଏନେଇ ନରସିଂହ କହିଲେଯେ, ବୁଝାମଣା ପାଇଁ ଗୋଟିଏ ପକ୍ଷ ଯାଉନାହିଁ ମାନେ ବୁଝାମଣା ପାଇଁ ସେମାନେ ଆଗ୍ରହୀ ନୁହଁନ୍ତି  । ଆନ୍ତଃ ଜଳ ବିବାଦ ଆଇନ୍ ଅନୁଯାୟୀ ବୁଝାମଣା ନହୋଇପାରିଲେ ଅଭିଯୋଗ ପାଇବାର ଏକ ବର୍ଷ ପରେ କେନ୍ଦ୍ର ସରକାର ଟ୍ରିବୁ୍ୟନାଲ ଗଠନ କରିବାକୁ ବାଧ୍ୟ  । କେନ୍ଦ୍ର ସରକାର ଏଭଳି ଆଳ ଦେଖାଇ ଆଇନ ଉଲ୍ଲଂଘନ କରିଛନ୍ତି ବୋଲି ବିରୋଧୀ ଦଳ ନେତା କହିଛନ୍ତି  ।


ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ନରସିଂହ କହିଲେଯେ, ଗତକାଲି ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ୫ ଘଂଟା ଆଲୋଚନା ହୋଇଥିଲେବି ଫଳ ଶୂନ  । ଅତୀତର ଘଟଣାକୁ ଭୁଲି ଛତିଶଗଡ଼ ସହ କଂଗ୍ରେସ ଲଢେ଼ଇ କରିବାକୁ ପ୍ରସ୍ତୁତ ବୋଲି ଆହ୍ୱାନ ଦେଇଥିବାବେଳେ ବିଜେପି ମଧ୍ୟ ପ୍ରସ୍ତୁତ ବୋଲି କହିଥିଲା  । ଏନେଇ ସର୍ବଦଳୀୟ ବୈଠକ ଡାକିବାକୁ ସେ ପ୍ରସ୍ତାବ ଦେଇଥିଲେ  । ହେଲେ ମୁଖ୍ୟମନ୍ତ୍ରୀ କାହିଁକି ପଛଘୁଂଚା ଦେଲେ ? ସେହିପରି କାଲି ଶାସକ ଦଳ ପକ୍ଷରୁ ଗୃହ କମିଟି ଗଠନ କରିବାକୁ କୁହାଯାଇଥିଲେ ମଧ୍ୟ ବାଚସ୍ପତି ଏନେଇ କିଛି କହିନଥିଲେ  । ସେହିପରି ଗୃହ କମିଟି ଗଠନ କଲେ ବି ରାଜ୍ୟ କିଛି ଲାଭ ପାଇବ ନାହିଁ  । ଆଜି ସେ ପ୍ରଶ୍ନକାଳ ବାତିଲ କରି ଆଲୋଚନା କରିବାକୁ ଚାହିଁଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଯୋଗୁଁ ସୁଯୋଗ ପାଇଲେ ନାହିଁ  । ସରକାର ବୋଧେ ବିଧାନସଭା ଚଳାଇବାକୁ ଚାହୁଁନାହାଁନ୍ତି  । ଓଡ଼ିଶାର ହକ୍ ପାଇଁ ମିଳିତ ଲଢେ଼ଇର ଆବଶ୍ୟକତା ରହିଛି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି  ।


    

Maximum 500 characters