Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ମହାନଦୀ ଟ୍ରିବୁନାଲ ଗଠନକୁ କେନ୍ଦ୍ରର ନାଁ, ବିଧାନସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

Date: Dec 7, 2017    Views: 75

ଭୁବନେଶ୍ୱର : ମହାନଦୀ ଟ୍ରିବୁନାଲ ଗଠନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିବା ପ୍ରତିବାଦରେ ଆଜି ବିଧାନସଭାରେ ତୁମୁଳ ହଟ୍ଟଗୋଳ ହୋଇଛି  । ଶାସକ ବିଜେଡ଼ି ବିଧାୟକମାନେ ହୋହାଲ୍ଲା ଓ ନାରାବାଜି କରିଛନ୍ତି  । ଏହି ପ୍ରସଙ୍ଗରେ ଶାସକ ବିଜେଡ଼ି କେନ୍ଦ୍ର ବିରୋଧୀ ନାରା ଦେଇଛନ୍ତି  । ଅପରପକ୍ଷରେ ଗୃହର ମଧ୍ୟଭାଗରେ ବିରୋଧୀ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରି ନାରାବାଜି କରିଥିବାବେଳେ ବିଜେପି ବିଧାୟକମାନେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି  । ଗୃହରେ ଅସ୍ୱାଭାବିକ ପରିସ୍ଥିତି ଲାଗି ରହିବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି  ।
ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡ଼ି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ତୁମୁଳ ହଟ୍ଟଗୋଳ କରିଥିଲେ  । ‘କେନ୍ଦ୍ର ସରକାର ଛି ଛି, କେନ୍ଦ୍ର ସରକାର ହାଏ ହାଏ’ ନାରାରେ କମ୍ପିଥିଲା ବିଧାନସଭା  । ଅପରପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜ ଆସନରେ ଠିଆ ହୋଇଥିବାବେଳେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ତୁମୁଳ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ  । ‘ବିଜେଡ଼ି ବିଜେପି ହାଏ ହାଏ, ମୋଦି ନବୀନ ହାଏ ହାଏ’ ନାରା ଦେବା ସହ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ହାଲାବୋଲ କରିଥିଲେ । ସେହିପରି ବିଜେପି ବିଧାୟକମାନେ ମଧ୍ୟ ଗୃହର ମଧ୍ୟଭାଗକୁ ମାଡ଼ି ଆସି ହଟ୍ଟଗୋଳ କରିବା ସହ ନବୀନ ସରକାର ହାଏ ହାଏ ନାରାବାଜି କରିଥିଲେ  । ଗୃହରେ ତିନି ଦଳ ହଟ୍ଟଗୋଳ ଜାରି ରଖିବାରୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା  । ପ୍ରଶ୍ନର ଉତର ପଢ଼ିବା ପାଇଁ ବାଚସ୍ପତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ଡାକିଥିଲେ ମଧ୍ୟ କିଛି ଶୁଣାଯାଇନଥିଲା  । ଏହିପରି ତୁମୁଳ ହଟ୍ଟଗୋଳ ଓ ହାଲାବୋଲ ମଧ୍ୟରେ ଗୃହ ମାତ୍ର ୨ ମିନିଟ୍ ଚାଲିବା ପରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ୧୦ଟା ୩୨ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ । 


    

Maximum 500 characters