Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ରାଜନୀତି ପାଇଁ ନୁହେଁ ମହାନଦୀର ସୁରକ୍ଷା ପାଇଁ ଏକାଠି ଲଢ଼ିବାକୁ ନରସିଂହଙ୍କ ଆହ୍ୱାନ

Date: Dec 6, 2017    Views: 131

ଭୁବନେଶ୍ୱର : ମହାନଦୀ ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେଯେ, ଏହା ଏକ ନୂତନ ପ୍ରସଙ୍ଗ ନୁହେଁ  । ପୂର୍ବରୁ ବିଧାନସଭାରେ ବହୁବାର ଏନେଇ ବିତର୍କ ହୋଇଛି  । ରାଜ୍ୟ ସରକାରଙ୍କୁ ଅତୀତରେ ବହୁବାର ସତର୍କ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ  । ଏପରିକି ଓଡ଼ିଶାର ସ୍ୱାର୍ଥ ଓ ମହାନଦୀର ସୁରକ୍ଷା ପାଇଁ ସର୍ବଦଳୀୟ ବୈଠକ ମଧ୍ୟ ଡକାଗଲା ନାହିଁ  । ବାଧ୍ୟହୋଇ ସେ ନିଜେ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଶାସକ ଦଳର କୌଣସି ପ୍ରତିନିଧି ଯୋଗ ଦେଇନଥିଲେ  । ମହାନଦୀ ଟ୍ରିବୁ୍ୟନାଲ ଗଠନ ଓ ଶୁଣାଣୀ ପର୍ଯ୍ୟନ୍ତ ଛତିଶଗଡ଼କୁ କାମ କରିବାର ସୁଯୋଗ ନଦିଆଯିବା ଆଦି ଦାବି ନେଇ ସର୍ବଦଳୀୟ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ  । କଂଗ୍ରେସ ବିଧାୟକ ଦଳ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଏସଂକ୍ରାନ୍ତରେ ଆଲୋଚନା କରିଥିଲେ  । ୨୦୦୧ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେଯେ, କୌଣସି ପରିସ୍ଥିତିରେ ବି ମହାନଦୀ ଉପରମୁଣ୍ଡରେ ଛତିଶଗଡ଼କୁ ବ୍ୟାରେଜ୍ ନିର୍ମାଣ କରିବାକୁ ଦେବେ ନାହିଁ  । ସେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେଡ଼ି-ବିଜେପି ସରକାର ଥିଲା  । ବିଜେଡ଼ି ସାଂସଦ ଅର୍ଜୁନ ଚରଣ ସେଠୀ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ମଧ୍ୟ ଥିଲେ  । ହେଲେ ଛତିଶଗଡ଼କୁ ରୋକିବାରେ ସରକାର ବିଫଳ ହୋଇଥିଲେ  । ଅତୀତରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ପ୍ରଶ୍ନ କରାଯାଇଥିଲା  । ତେବେ ଏହାଦ୍ୱାରା ମହାନଦୀରେ ଜଳପ୍ରବାହ ହ୍ରାସ ପାଇବ ନାହିଁ ଓ ପୂର୍ବାପେକ୍ଷା ଏବେ ୨୪% ଅଧିକ ଜଳ ପ୍ରବାହିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଉତର ରଖଥିଲେ  । ସେତେବେଳେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିଥିଲେ ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିନଥା’ନ୍ତା ବୋଲି ନରସିଂହ କହିଛନ୍ତି  ।


ନରସିଂହ କହିଲେଯେ, ମହାନଦୀ ପ୍ରସଙ୍ଗରେ ଷୋହଳ ବର୍ଷ ତଳୁ ଟ୍ରିବୁନାଲ ଗଠନ କରିବା କଥା  । ଏବେ ରାଜ୍ୟ ସରକାର ଟ୍ରିବୁନାଲ ଗଠନ ପାଇଁ ଦାବି କରିଛନ୍ତି  । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ନରସିଂହ କହିଲେଯେ, ଆନ୍ତଃ ଜଳ ବିବାଦ ଆଇନ୍ ଅନୁସାରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ନହେଲେ କେନ୍ଦ୍ର ସରକାର ଟ୍ରିବୁନାଲ ଗଠନ କରିବା କଥା  । ଅଭିଯୋଗର ବର୍ଷକ ମଧ୍ୟରେ ଟ୍ରିବୁନାଲ ଗଠନ କରିବାକୁ କେନ୍ଦ୍ର ସରକାର ବାଧ୍ୟ  । ରାଜ୍ୟ ସରକାର ୨୦୧୬ ନଭେମ୍ବର ୧୯ରେ କେନ୍ଦ୍ର ନିକଟରେ ମହାନଦୀ ଜଳବିବାଦ ସଂକ୍ରାନ୍ତରେ ଉପସ୍ଥାପନ କରିଥିଲେ  । ତେଣୁ ୨୦୧୭ ନଭେମ୍ବର ୧୯ ସୁଦ୍ଧା କେନ୍ଦ୍ର ସରକାର ଟ୍ରିବୁନାଲ ଗଠନ କରିବା କଥା  । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ  । ସେହିପରି ଛତିଶଗଡ଼ ଯେଉଁ ବ୍ୟାରେଜ୍ ନିର୍ମାଣ କରୁଛି ତାହା ଜଳସେଚନ ପାଇଁ ଉଦ୍ଧିଷ୍ଟ ନୁହେଁ  । ଛତିଶଗଡ଼ ନିର୍ମାଣ କରିଥିବା ୬ ବ୍ୟାରେଜ୍ କମ୍ପାନୀମାନଙ୍କ ଅର୍ଥରେ ନିର୍ମାଣ କରାଯାଇଛି  । କମ୍ପାନୀମାନଙ୍କ ସହ ଛତିଶଗଡ଼ ସରକାରଙ୍କ ଚୁକ୍ତି ନାମା ଅନୁଯାୟୀ କମ୍ପାନୀର ବିନା ଅନୁମତିରେ ବୁନ୍ଦାଏ ବି ଜଳ ପାନୀୟ ଜଳ ବା ଜଳସେଚନ ପାଇଁ ବ୍ୟବହାର କରାଯାଇପାରିବ ନାହିଁ  । ତେବେ ଆଇନ ଉଲ୍ଲଂଘନ କରି ମଧ୍ୟ ଛତିଶଗଡ଼ ସରକାର ତାଙ୍କ ରାଜ୍ୟ ପାଇଁ କେଲୋ ଭଳି ଭଲ ପ୍ରକଳ୍ପ କରିଛନ୍ତି  । ଓଡ଼ିଶାର ସ୍ୱାର୍ଥ ହାନି କରି ଛତିଶଗଡ଼ ବେଆଇନ୍ ଭାବେ ବ୍ୟାରେଜ୍ ନିର୍ମାଣ କରୁଛି ବୋଲି ସ୍ପଷ୍ଟ ହୋଇଯାଇଛି  । ତେବେ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ହିଁ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ଦରକାର  । ଅତୀତରେ ସୁପ୍ରିମ୍କୋର୍ଟ କହିଛନ୍ତି ପ୍ରଧାନମନ୍ତ୍ରୀ ହେଉଛନ୍ତି ଦେଶର  । ସେ ବିଜେପିର ନୁହେଁ  । ତେଣୁ ନରେନ୍ଦ୍ର ମୋଦି ବିଜେପି ଶାସିତ ରାଜ୍ୟ ପାଇଁ ନୁହେଁ, ସମଗ୍ର ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଦରକାର ବୋଲି ନରସିଂହ କହିଥିଲେ  । 


ଆଲୋଚନା ଅବକାଶରେ ନରସିଂହ ସୁପ୍ରିମକୋର୍ଟରେ ଦାଏର ମାମଲାକୁ ନେଇ ସମାଲୋଚନା କରିଥିଲେ  । ସେ କହିଥିଲେଯେ, ସୁପ୍ରିମକୋର୍ଟରେ ଲକ୍ଷ ଲକ୍ଷ ମାମଲା ପଡ଼ିରହିଛି  । ମାମଲା ଦାଏର କଲେ ତାହା ସରିବାକୁ ବହୁତ ସମୟ ଆସେ  । ତେଣୁ ସରକାରଙ୍କୁ ଏଭଳି ପରାମର୍ଶ କିଏ ଦେଲା ସେନେଇ ନରସିଂହ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ  । ତେଣୁ ଏହି ମାମଲାରେ ସରକାର ତୁରନ୍ତ ଅନ୍ତରୀଣ ଆଦେଶ ପାଇଁ ପ୍ରୟାସ କରିବା ଦରକାର  । ମହାନଦୀ ଟ୍ରିବୁ୍ୟନାଲ ଗଠନ ସହ ଛତିଶଗଡ଼ର ପ୍ରକଳ୍ପ କାର୍ଯ୍ୟ ଉପରେ ରହିତାଦେଶ ଆଣିବାକୁ ସେ ପରାମର୍ଶ ଦେଇଥିଲେ  । ସେ କହିଲେଯେ, ଏହି ପ୍ରସଙ୍ଗରେ ପରସ୍ପରକୁ କାଦୁଅ ନଫିଙ୍ଗି ମିଳିତ ଭାବେ କାର୍ଯ୍ୟ କରିବା ଦରକାର  । କଂଗ୍ରେସ ସବୁବେଳେ ରାଜ୍ୟ ସ୍ୱାର୍ଥ ପାଇଁ ଲଢେ଼ଇ କରିଆସିଛି  । ଆମେ ଯେକୌଣସି ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ  । ଅତୀତରେ ସେ ନିଜେ ଓଡ଼ିଶା ପାଇଁ କେନ୍ଦ୍ରର କଂଗ୍ରେସ ସରକାର ବିରୋଧରେ ମଧ୍ୟ ଲଢ଼ିଥିଲେ  । ବିଜେପି ମଧ୍ୟ ରାଜ୍ୟର ସ୍ୱାର୍ଥ ପାଇଁ ସମାନ ଢଙ୍ଗରେ କାର୍ଯ୍ୟ କରିବା ଉଚିତ୍  । ଏଥିରୁ ରାଜନୈତିକ ଫାଇଦା ଆଶା ନରଖି ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଲଢେ଼ଇ କରିବାକୁ ସବୁ ଦଳ ଏକାଠି ହେବାକୁ ନରସିଂହ ଆହ୍ୱାନ ଦେଇଥିଲେ  ।


    

Maximum 500 characters