Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ବ୍ରାହ୍ମଣୀ ସେତୁ ପାଇଁ ଜଂଗଲ ମଂଜୁରୀ ଆବଶ୍ୟକ ନାହିଁ

Date: Dec 6, 2017    Views: 451

ଭୁବନେଶ୍ବର : ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଦ୍ବିତୀୟ ସେତୁ ପାଇଁ ଜଂଗଲ ମଂଜୁରୀର ଆବଶ୍ୟକତା ନାହିଁ । ବିଜେପି ବିଧାୟକମାନେ ସେତୁ ନିର୍ମାଣକୁ ନେଇ ରାଜନୀତି ନକରନ୍ତୁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ବିଧାନସଭାରେ କହିଛନ୍ତି । ଶୂନ୍ୟକାଳରେ ମନ୍ତ୍ରୀ ଶ୍ରୀ ଆରୁଖ କହିଲେଯେ, ବ୍ରାହ୍ମଣୀ ନଦୀ ଉପରେ ଥିବା ପ୍ରଥମ ସେତୁଟି ବିପର୍ଯ୍ୟସ୍ତ ହୋଇପଡିଛି । ତୁରନ୍ତ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖିଛନ୍ତି । ବିଜେପି ଗତକାଲି ଅହି ପ୍ରସଂଗରେ ଗୃହରେ ହଟ୍ଟଗୋଳ କରିବା ସହ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଏନେଇ ବିଜେପି ରାଜନୀତି ବନ୍ଦ କରୁ । ଜଂଗଲ ମଂଜୁରୀର ଆବଶ୍ୟକତା ନଥିବାବେଳେ କାମ ଆରମ୍ଭ କରିବାରେ ଅସୁବିଧା ନାହିଁ । କେନ୍ଦ୍ରମନ୍ତ୍ରୀ ଗଡକରୀ ଗତ ଜୁଲାଇରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୧୫ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଯିବାକୁ ଘୋଷଣା କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ୍ କହିଥିଲେ । ଏହି ପ୍ରସଂଗରେ ବିଜେପି ବିଧାୟକ ଦଳ ନେତା କନକବର୍ଧନ ସିଂହଦେଓ କେନ୍ଦ୍ରମନ୍ତ୍ରୀ ଗଡକରୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରର ଅବତାରଣା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେହିପରି ବିଜେଡି ବିଧାୟକ ସଂଜୟ କୁମାର ଦାଶବର୍ମା କହିଲେଯେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୩ଟି କଂପୋଜିଟ ଟେଣ୍ଡର କରିଛନ୍ତି । ୪୭୩ ମିଟରର ଏହି ସେତୁ ନିର୍ମାଣ ପାଇଁ କୌଣସି ଜଂଗଲ ମଂଜୁରୀର ଆବଶ୍ୟକତା ନାହିଁ । ଗଡକରୀ ଯେତେବେଳେ ସେତୁ ପାଇଁ ଶିଳାନ୍ୟାସ କରି କାମ ଆରମ୍ଭ କରିବାକୁ ଘୋଷଣା କରିଥିଲେ ସେତେବେଳେ କେଉଁ ଆଧାରରେ କହିଥିଲେ ବୋଲି ଶ୍ରୀ ଦାସବର୍ମା ପ୍ରଶ୍ନ କରିଥିଲେ । ଖାଲି ସେତୁ ନୁହେଁ ସେହି ଅଂଚଳର ୧୬ କିମି ଅଂଚଳରେ ମଧ୍ୟ ଏନଏଚଆଇ ନିର୍ମାଣ କାର୍ଯ୍ୟ କରିପାରିବ । ସେହିପରି ନବକଳେବର ବେଳେ କେନ୍ଦ୍ରମନ୍ତ୍ରୀ ଅଧା ପନ୍ତରିଆ ଜାତୀୟ ରାଜପଥ ପୁରୀ-ଭୁବନେଶ୍ବରକୁ ଉଦଘାଟନ କରିଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ଶେଷ ହୋଇ ନାହିଁ ବୋଲି ସେ କହିଥିଲେ । ଏହି ପ୍ରସଂଗରେ ବିରୋଧୀଦଳ ନେତା ନରସିଂହ ମିଶ୍ର କହିଥିଲେଯେ, ଉଭୟ ବିଜେପି ଓ ବିଜେଡି ବିଧାୟକମାନେ ବ୍ରାହ୍ମଣୀ ସେତୁ ପ୍ରସଂଗରେ ପରସ୍ପର ବିରୋଧୀ ତଥ୍ୟ ଉପସ୍ଥାପନ କରିଛନ୍ତି । ଅତଏବ ଦୁଇ ଦଳଙ୍କ କଥା ସତ ନୁହେଁ । ଫଳରେ ଗୃହର ସ୍ବାଧୀକାର ଭଙ୍ଗ ହୋଇଛି । ଏନେଇ ସ୍ବତନ୍ତ୍ର ସ୍ବାଧିକାର କମିଟି ଗଠନ କରାଯାଉ ବୋଲି ସେ ଦାବି କରିଥିଲେ । ସ୍ବତନ୍ତ୍ର ସ୍ବାଧିକାର କମିଟି ଦାବିରେ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ୧୧ଟା ୫୭ରୁ ୧୨ଟା ୭, ୧୨ଟା ୯ରୁ ୧୨ଟା ୨୪, ୧୨ଟା ୨୪ରୁ ୧୨ଟା ୩୪ ପର୍ଯ୍ୟନ୍ତ ଗୃକୁ ମୁଲତବୀ ରଖାଯାଇଥିଲା ।


    

Maximum 500 characters