Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ହକି ପାଇଁ ଗୃହ ମୁଲତବୀ

Date: Dec 1, 2017    Views: 26

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଠାରୁ ହକି ବିଶ୍ୱ ଲିଗ୍ ଆରମ୍ଭ ହେବାକୁ ଯାଉଥିବାବେଳେ ଏଥିପାଇଁ ବିଧାନସଭାକୁ ମୁଲତବୀ ରଖାଯାଇଛି  । ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ହକି ବିଶ୍ୱ ଲିଗ୍ ପାଇଁ ବିଧାନସଭାକୁ ମୁଲତବୀ ରଖିବାକୁ ଦାବି କରିଥିଲେ  । ଗୃହର ମତ ଆଧାରରେ ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଆଜି ୧୨ଟା ୭ରୁ ସୋମବାର ପୂର୍ବାହ୍ନ ସାଢେ଼ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରି ଦେଇଥିଲେ  ।
ପ୍ରଥମ ପର୍ଯ୍ୟାୟ ମୁଲତବୀ ପରେ ଗୃହ କାର୍ଯ୍ୟ ୧୨ଟାରେ ଆରମ୍ଭ ହୋଇଥିଲା  । ଆଜିର ଦିନ ପାଇଁ ଥିବା କାର୍ଯ୍ୟସୂଚୀ ଅନୁଯାୟୀ ସରକାରଙ୍କ ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇଥିଲା  । ଆଜି ବେସରକାରୀ ଦିବସ ଥିବାବେଳେ  କଂଗ୍ରେସ ବିଧାୟକ ନବକିଶୋର ଦାସ ଓଡ଼ିଶା ନଦୀକୂଳ ସଂରକ୍ଷଣ ଓ ବାଲି ଉଠାଣ ବିନିୟମ ବିଲ୍, ୨୦୧୭ ପ୍ରସ୍ଥାପନ କରିଥିଲେ  । ତେବେ ସେ ବିଲ ପ୍ରସ୍ଥାପନ କରିବା ପରେ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ କହିବାକୁ ଚାହିଁବାରୁ ବାଚସ୍ପତି ତାଙ୍କୁ ସୁଯୋଗ ଦେଇଥିଲେ  । ଡାକ୍ତର ମାଝୀ କହିଥିଲେଯେ, ଆଜିଠାରୁ କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱ ଲିଗ୍ ଆରମ୍ଭ ହେବ  । ବିଶ୍ୱର ବହୁ ଦଳ ଏଥିରେ ଅଂଶଗ୍ରହଣ କରିବେ  । ଆଜି ଉଦଘାଟନ ହୋଇଥିବାରୁ ସେଥିରେ ସାମିଲ ହେବା ପାଇଁ ଆମେ ଆଗ୍ରହୀ  । ତେଣୁ ଗୃହକୁ ମୁଲତବୀ ରଖିବାକୁ ସେ କହିଥିଲେ  ।
ଏନେଇ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେଯେ, ଓଡ଼ିଶା ପାଇଁ ଆଜି ଏକ ଗୌରବର ଦିନ  । ପୂର୍ବରୁ ଅନେକ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ସଫଳତା ପାଇଥିବାବେଳେ ଆଜି ହକି ବିଶ୍ୱ ଲିଗ୍ର ଶୁଭାରମ୍ଭ ହେବାକୁ ଯାଉଛି  । ଆଜିର ଉଦଘାଟନୀ ଉତ୍ସବରେ ସାମିଲ୍ ହେବା ପାଇଁ ସମସ୍ତେ ଆଗ୍ରହୀ ଅଛନ୍ତି  । ତେଣୁ ଗୃହକୁ ମୁଲତବୀ ରଖିବାକୁ ସେ ମଧ୍ୟ ଦାବି କରିଥିଲେ  । 
ଉଭୟ ବିରୋଧୀ ଓ ଶାସକ ଗୃହକୁ ମୁଲତବୀ ରଖିବାକୁ ଦାବି କରିବା ପରେ ବାଚସ୍ପତି ଗୃହର ମତ ଲୋଡ଼ିଥିଲେ  । ଗୃହର ସମସ୍ତ ବିଧାୟକମାନେ ଏଥିରେ ସହମତି ପ୍ରକାଶ କରିବା ପରେ ବାଚସ୍ପତି ଶ୍ରୀ ଅମାତ ଗୃହକୁ ୧୨ଟା ୭ରୁ ସୋମବାର ପୂର୍ବାହ୍ନ ସାଢେ଼ ୧୦ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ  । 


    

Maximum 500 characters