Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

ଶାସକ ଦଳର ଇଙ୍ଗିତରେ କାମ କରୁଛି ପୁଲିସ୍

Date: Dec 1, 2017    Views: 193

୩ ବର୍ଷର ଝିଅକୁ କୁକର୍ମ ମାମଲାରେ ବିବୃତି ରଖିବାକୁ ବିରୋଧୀଙ୍କ ଦାବି
ଭୁବନେଶ୍ୱର : ସାଧାରଣ ସଭାରେ ଯୋଗ ଦେବା ପାଇଁ ମା’ ସହ ଯାଇଥିବା ୩ ବର୍ଷର ଝିଅକୁ କୁକର୍ମ କରାଗଲା  । ଥାନାରେ ଏଫଆଇଆର ଦେଲେ ବି ମାମଲା ରୁଜୁ କରିବାରେ ପୁଲିସ ବିଳମ୍ବ କଲା  । ଅଭିଯୁକ୍ତଙ୍କୁ ମଧ୍ୟ ବହୁ ଡେରିରେ ଗିରଫ କରାଗଲା  । ଶାସକ ଦଳ ଇଙ୍ଗିତରେ ପୁଲିସ୍ କାର୍ଯ୍ୟ କରୁଛି  । ମହିଳା ବିରୋଧୀ ହିଂସାରେ ଓଡ଼ିଶା ଏବେ ମଧ୍ୟପ୍ରଦେଶ ଓ ଉତରପ୍ରଦେଶ ପଛକୁ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ୧ ନମ୍ବର କରିବା ପାଇଁ ଚାହୁଁଛନ୍ତି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି  । ଏଭଳି ସଂଗୀନ ମାମଲାରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ବିରୋଧୀ ଦଳ ନେତା ଦାବି କରିଥିବାବେଳେ ଗୃହର ମଧ୍ୟଭାଗରେ ବିରୋଧୀ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି  । ଫଳରେ ବାଚସ୍ପତି ଗୃହକୁ ୧୫ ମିନିଟ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ  ।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେଯେ, ମହିଳା ବିରୋଧୀ ହିଂସାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି  । ଏକ୍ଷେତ୍ରରେ  ଓଡ଼ିଶା ଏବେ ମଧ୍ୟପ୍ରଦେଶ ଓ ଉତରପ୍ରଦେଶ ସହ ପ୍ରତିଯୋଗିତା କରୁଛି  । ମୁଖ୍ୟମନ୍ତ୍ରୀ ବୋଧହୁଏ ମହିଳା ବିରୋଧୀ ହିଂସାରେ ରାଜ୍ୟକୁ ୧ ନମ୍ବର କରିବାକୁ ଚାହୁଁଥିବା ପୁଲିସର କାର୍ଯ୍ୟଶୈଳୀରୁ ମନେହେଉଛି ବୋଲି ସେ କହିଥିଲେ  । ନରସିଂହ କହିଲେଯେ, ରାଜକନିକାରେ ମା’ ସହ ୩ ବର୍ଷର ଝିଅଟିଏ ସାଧାରଣ ସଭାକୁ ଯାଇଥିଲା  । ତେବେ ୩ ବର୍ଷର ଝିଅକୁ ଜଣେ କୁକର୍ମ କରିବା ବେଳେ ଧରାପଡ଼ିଥିଲା  । ଝିଅର ମା’ ଏନେଇ ଥାନାରେ ଏଫଆଇଆର ଦେଇଥିଲେ  । ୨୦୧୭ ନଭେମ୍ବର ୧୩ ସଂଧ୍ୟା ୫ଟାରେ ଏଫଆଇଆର କରାଯାଇଥିଲେ ମଧ୍ୟ ନଭେମ୍ବର ୧୪ ଦିନ ୧୨ଟା ୮ରେ ମାମଲା ପଂଜୀକୃତ ହୋଇଥିଲା  । ଉକ୍ତ ଥାନାର ଅଧିକାରୀ ଜଣେ ମହିଳା ପୁଲିସ୍ ଅଫିସର ହୋଇଥିଲେ ବି ଏଭଳି ସଂଗୀନ ମାମଲାକୁ ଅତ୍ୟନ୍ତ ହାଲକାର ସହ ଗ୍ରହଣ କରିଥିଲେ  । ଏପରିକି ମାମଲା ପଂଜୀକୃତ କରିବା ପୂର୍ବରୁ ଏଫଆଇଆର ଦେଇଥିବା ମହିଳା ଜଣଙ୍କ କେଉଁ ଦଳର ବୋଲି ପୁଲିସ ତଦନ୍ତ କରିଥିଲା  । ତେବେ ସେ କଂଗ୍ରେସର ବୋଲି ଜାଣିବାକୁ ମିଳିବା ପରେ ମାମଲା ରୁଜୁ କରାଯାଇନଥିଲା  । ଅପରପକ୍ଷରେ କୁକର୍ମ କରିବା ବେଳେ ଅଭିଯୁକ୍ତକୁ ଧରା ଯାଇଥିଲେ ମଧ୍ୟ ତାକୁ ଗିରଫ କରି ଛାଡ଼ି ଦିଆଯାଇଥିଲା  । ପୁଲିସ ଶାସକ ଦଳର ଇଙ୍ଗିତରେ କାର୍ଯ୍ୟ କରୁଛି ବୋଲି ନରସିଂହ କହିଥିଲେ  । ସେ କହିଥିଲେଯେ, ଏନେଇ ସେ ଡିଜିପିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି  । କିନ୍ତୁ ଏବେ ତାକୁ ବମ୍ବେରେ ଗିରଫ କରାଯାଇଥିବା ଜାଣିବାକୁ ମିଳିଥିଲା  । ତେବେ ଏତେ ଦିନ ପର୍ଯ୍ୟନ୍ତ ପୁଲିସ କ’ଣ କରୁଥିଲା ବୋଲି ନରସିଂହ ପ୍ରଶ୍ନ କରିଛନ୍ତି  ।

ବିରୋଧୀ ଦଳ ନେତା କହିଥିଲେଯେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି  । ଜଣେ ମହିଳା ଅଧିକାରୀ ହୋଇ ମଧ୍ୟ ଏଭଳି ସଂଗୀନ ମାମଲାରେ ସେ ନିଜର ଦାୟିତ୍ୱ ନତୁଲାଇ ଶାସକ ଦଳର ଇଙ୍ଗିତରେ କାର୍ଯ୍ୟ କରିଛନ୍ତି  । ରାଜ୍ୟରେ କି ଶାସନ ଚାଲିଛି ବୋଲି ନରସିଂହ ସମାଲୋଚନା କରିଥିଲେ  । ସାରା ରାଜ୍ୟରେ ଦିନକୁ ୬ ଜଣ ଝିଅ ଓ ମହିଳାଙ୍କୁ କୁକର୍ମ କରାଯାଉଥିବାବେଳେ ବର୍ଷକୁ ମାତ୍ର ୬ ଜଣଙ୍କୁ ଦଣ୍ଡବିଧାନ କରାଯାଉଛି  । ଏଭଳି ସଂଗୀନ ମାମଲାରେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ବିରୋଧୀ ଦଳ ନେତା ଦାବି କରିଥିଲେ  ।
ଏହି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ  । ସେ କହିଲେଯେ, ଓଡ଼ିଶା ହେଉଛି ଜଗନ୍ନାଥ ସଂସ୍କୃତିର ରାଜ୍ୟ  । ହେଲେ ଏଠି ୩ ବର୍ଷର ଝିଅକୁ କୁକର୍ମ କରାଯାଉଛି  । ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ  । ଏଭଳି ଭାବେ ତାରା ସରକାରଙ୍କୁ ଟାର୍ଗେଟ୍ କରୁଥିବାବେଳେ ତାଙ୍କୁ ଆଉ କହିବାକୁ ସୁଯୋଗ ଦିଆଯାଇନଥିଲା  । ଏହାର ପ୍ରତିବାଦରେ ବିରୋଧୀ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସି ହଟ୍ଟଗୋଳ କରିଥିଲେ  । ନବୀନ ସରକାର ହାଏ ହାଏ, ମୁଖ୍ୟମନ୍ତ୍ରୀଙ୍କ ବିବୃତି ଆମର ଦାବି ବୋଲି କଂଗ୍ରେସ ବିଧାୟକମାନେ ନାରାବାଜି କରିଥିଲେ  । ସେହିପରି ସଚିବଙ୍କ ଚଉକି ଉପରେ ଠିଆ ହୋଇ ତାରା ପୋଡ଼ିୟମ୍କୁ ବାଡ଼ାଉଥିବା ଦେଖିବାକୁ ମିଳିଥିଲା  ।
 
ଗୋଟିଏ ପଟେ କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ ଜାରି ରଖିଥିବାବେଳେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ପାରା ମିଲିଟାରୀଙ୍କ ଆନେ୍ଦାଳନ ସଂକ୍ରାନ୍ତରେ ଗୃହର ଦୃଷ୍ଟି ଆକର୍ଷଣ କରିବା ସହ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ  । ହଟ୍ଟଗୋଳ ମଧ୍ୟରେ ଗୃହ କିଛି ସମୟ ଚାଲିବା ପରେ ବାଚସ୍ପତି ଗୃହକୁ ୧୧ଟା ୪୫ରୁ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଥିଲେ  ।


    

Maximum 500 characters