Dec 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆପଣଙ୍କ ମତ

ମୁଖ୍ୟ ଖବର

ପ୍ୟାକେଜ୍ ଘୋଷଣା ପରେ ବି ଚାଷୀ ଆତ୍ମହତ୍ୟା କାହିଁକି ?

Date: Nov 18, 2017    Views: 299

ଭୁବନେଶ୍ୱର : ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ଆସିଛି  । ତାହା ପୁଣି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଂଜାମରେ  । କୁକୁଡ଼ାଖଣ୍ଡି ବ୍ଲକ୍ର ବଉଳଝାଲି ଗାଁର ଚାଷୀ ରାଜେନ୍ଦ୍ର ସାହୁ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ଗତ ତିନିଦିନ ଧରି ହୋଇଥିବା ଅଦିନିଆ ବର୍ଷାରେ ଫସଲ ନଷ୍ଟ କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପରିବାର ବର୍ଗ ମତବ୍ୟକ୍ତ କରିଛନ୍ତି  । ଯେକୌଣସି କାରଣରୁ ହେଉ ପଛେ ଆତ୍ମହତ୍ୟା ଏକ ସଂଗୀନ ପ୍ରସଙ୍ଗ ବୋଲି ଆମେ ଗ୍ରହଣ କରୁଛୁ  । 


ଏହି ପରିପ୍ରେକ୍ଷୀରେ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି  । ସରକାର ପ୍ୟାକେଜ୍ ଘୋଷଣା ପରେ ବି ଆତ୍ମହତ୍ୟା କାହିଁକି କରୁଛନ୍ତି ଚାଷୀ ? ଯେଉଁ ଚାଷୀମାନେ ମରୁଡ଼ି ଯୋଗୁଁ ଫସଲ ନଷ୍ଟ ହୋଇଥିବାରୁ ଆତ୍ମହତ୍ୟା କରୁଛନ୍ତି ବୋଲି ଅଭିଯୋଗ ଆସୁଛି ତାହାର ସତ୍ୟତା କେତେ ? ସେନେଇ ବି ଚର୍ଚ୍ଚା ହେବା ସ୍ୱାଭାବିକ  । କାହିଁକିନା ଓଡିଶାରେ ଚଳିତବର୍ଷ ମରୁଡ଼ି ହୋଇଛି  । ଏକଥା ଅକ୍ଟୋବର କି ନଭେମ୍ବର ନୁହେଁ  । ଚାଷୀ ଅଗଷ୍ଟ-ସେପ୍ଟେମ୍ବରରୁ ବି ଜାଣିସାରିଛି  । ବର୍ଷା ଅଭାବ ଯୋଗୁଁ ଜୁଲାଇରୁ ହିଁ ଚାଷ କାର୍ଯ୍ୟ ପଛେଇ ଯାଇଥିଲା  । ଅନେକ ଜମିରେ ଧାନ ଗଛ ବି ହୋଇନଥିଲା  । ତେବେ ସେହି ଚାଷୀ ମରୁଡ଼ି ପାଇଁ ଅକ୍ଟୋବର ନଭେମ୍ବରରେ ଆତ୍ମହତ୍ୟାର କାରଣ କ’ଣ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ଆବଶ୍ୟକତା ରହିଛି  । ସେହିପରି ଅଦିନିଆ ବର୍ଷା ପାଇଁ କେଉଁ ଅଂଚଳରେ କେତେ ପରିମାଣର ଫସଲ ନଷ୍ଟ ହୋଇଛି ତାହାର ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ସଚିବାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି  । କ୍ଷେତ୍ର ଅଧିକାରୀମାନଙ୍କୁ ନିଦେ୍ର୍ଧଶ ମଧ୍ୟ ଦେଇଛନ୍ତି  । ପୂର୍ବରୁ ମରୁଡ଼ି ଓ ପୋକ ଯୋକ ପାଇଁ ନଷ୍ଟ ହୋଇଥିବା ଫସଲ ନିମନ୍ତେ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି  । ସରକାରଙ୍କ ଘୋଷଣା ଓ ପଦକ୍ଷେପ ସତ୍ୱେ ଚାଷୀ ଆତ୍ମହତ୍ୟାର ଅଭିଯୋଗ କାହିଁକି ହେଉଛି ? 
ଆମର ଅନୁଶୀଳନ ଅନୁଯାୟୀ, 
(୧) ଭାଗଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାର ଠୋସ୍ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି  । ଯେଉଁଥିପାଇଁ ହୁଏତ ଭାଗଚାଷୀ ସରକାରଙ୍କ ଘୋଷଣାରୁ କିଛି ଲାଭବାନ ହେବନାହିଁ ବୋଲି ମନେ କରୁଥାଇପାରନ୍ତି  । ତେଣୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି  । ତେଣୁ ସରକାର ତୁରନ୍ତ ଭାଗଚାଷୀ ଚିହ୍ନଟ ପାଇଁ ପଦକ୍ଷେପ ଗ୍ରହଣ କରିବା ଦରକାର  ।


(୨) ଅଦିନିଆ ବର୍ଷା ଯୋଗୁଁ କେବଳ କ’ଣ ରାଜେନ୍ଦ୍ରଙ୍କ ଫସଲ ହାନି ହୋଇଥିଲା କି ? ନିଶ୍ଚିତ ଭାବେ ସେହି ଅଂଚଳର ବହୁ ଚାଷୀଙ୍କର କ୍ଷତି ହୋଇଥିବ  । ତେବେ ରାଜେନ୍ଦ୍ର କାହିଁକି ଚରମ ପଦକ୍ଷେପ ଗ୍ରହଣ କଲେ ସେନେଇ ପରିବାର ବର୍ଗ ପ୍ରକୃତ ସତ୍ୟ ପଦାକୁ ଆଣିବା ଦରକାର  । ନଚେତ୍ ପ୍ରକୃତରେ ଋଣ ଭାର ଓ ଫସଲ ହାନି ଯୋଗୁଁ ଆତ୍ମହତ୍ୟା କରୁଥିବା ଚାଷୀ ନ୍ୟାୟ ପାଇବାରୁ ବଂଚିତ ହେବାର ଯଥେଷ୍ଟ ଆଶଙ୍କା ରହିଛି  ।


(୩) ସରକାର କହୁଛନ୍ତି ଚାଷୀଙ୍କ ପାଇଁ ହଜାର ହଜାର କୋଟି ଟଙ୍କାର ଋଣ ଦେଉଛନ୍ତି  । ତେବେ ଏହି ଋଣ ଯାଉଛି କୁଆଡେ଼ ? ପ୍ରକୃତ ଚାଷୀ ଋଣ ନେଉଛି କି ? ଯଦି ଋଣ ନେଉଛି ସେହି ଋଣ ପାଇଁ କମିଶନ ଦେବାକୁ ପଡ଼ୁଛି କି ? ଏନେଇ ବି ସରକାର ତଦନ୍ତ କରିବା ଦରକାର  । ସେହିପରି ଜଣେ କ୍ଷୁଦ୍ର ଚାଷୀକୁ କେତେ ଟଙ୍କାର ଋଣ ମିଳେ  । ଏକର ପିଛା ମାତ୍ର ୨୦ ହଜାର ଟଙ୍କା  । ପୁଣି ସେ ଋଣ ବାର୍ଷିକ ୧%ରୁ ୩% ଋଣ ହାରରେ  । ଏହି ଋଣ ଶୁଝିବାକୁ ସୋସାଇଟ୍ ବାଧ୍ୟ କରିବାର ନଜିର ବି ନାହିଁ  । ଯେଉଁମାନେ ନଶୁଝିବେ ସେମାନେ ପରବର୍ତୀ ଋଣ ପାଇବେନି ? ବାସ୍ ଏହାହିଁ ବ୍ୟବସ୍ଥା  । ଚଳିତ ବର୍ଷ ସେ ଟେନସନ୍ ବି ନାହିଁ  । ପୂର୍ବ ଋଣକୁ ମଧ୍ୟମବର୍ତୀ ଋଣରେ ପରିବର୍ତନ କରାଯାଇ ତାହାର ପରିଶୋଧ ସୀମା ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  । ସେହିପରି ସାନି ଋଣ ନେବାର ବି ବ୍ୟବସ୍ଥା ରହିଛି  । ଏପରି କ୍ଷେତ୍ରରେ ଋଣ ବୋଝ କିଭଳି ଚାଷୀକୁ ମାଡ଼ିବସୁଛି ସେନେଇ ଅନ୍ଧାରରେ କି ରାଜନୀତିକ ଦୃଷ୍ଟିକୋଣରୁ ବିଚାର ନକରି ପ୍ରକୃତ ଅନୁଶୀଳନ କରିବା ଦରକାର  । 


(୪) ଏହି ପରିପ୍ରେକ୍ଷୀରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଅବତାରଣା କରାଯାଇପାରେ  । ଚାଷ ପାଇଁ ହାତ ଉଧାରି ଋଣ କଥା କୁହାଯାଉଛି  । ବିଶେଷକରି ଭାଗଚାଷୀମାନେ ଏଭଳି ଋଣ କରୁଥିବା ଚର୍ଚ୍ଚା ହେଉଛି  । ପାଠକମାନଙ୍କୁ ଆମେ ସୂଚାଇ ଦେଉଛୁଯେ, ଅଧିକାଂଶ ଭାଗଚାଷୀମାନେ ଜଳସେଚିତ ଓ ଭଲ ଜମି ଚାଷ କରିନଥା’ନ୍ତି  । କାରଣ ମୂଳ ଚାଷୀ ଭଲ ବିଲରେ ଚାଷ କରେ  । ଯେଉଁ ବିଲରେ ଭଲ ଧାନ ନହୁଏ ସେହି ବିଲ ଭାଗଚାଷୀକୁ ଦେଇଥାଏ  । ସେହିପରି ଭାଗଚାଷୀ ନିଜ ଜମିକୁ ଭଲ ଭାବେ କମଣି କରିବା ପରେ ଯେଉଁ ସମୟ ମିଳେ ସେତେବେଳେ ଭାଗ ବିଲ କଥା ଚିନ୍ତା କରେ  । ଯଦି ବି ଏଥିପାଇଁ ଟଙ୍କା ଖର୍ଚ୍ଚ କରୁଥିବ ତେବେ ଏକର ପିଛା ତାହା ମାତ୍ର ଟଙ୍କା ଦଶ ହଜାର ଭିତରେ ହୋଇଥିବ  । ତେଣୁ ମାତ୍ର ଟଙ୍କା କୋଡ଼ିଏ ହଜାର ପାଇଁ ଚାଷୀ ଆତ୍ମହତ୍ୟା କରିବା ଘଟଣା ବିଶ୍ୱାସଯୋଗ୍ୟ ହେଉନାହିଁ  । କାହିଁକିନା ଝିଅ ବାହାଘର ବେଳେ ବି କ୍ଷୁଦ୍ର ଚାଷୀଟିଏ ୨୦/୩୦ ହଜାର ଟଙ୍କାର ଋଣ କରୁଥିବା କଥାକୁ କେହି ଅସ୍ୱୀକାର କରୁନାହାନ୍ତି  । ଧିରେଧିରେ ସେ ତାହାକୁ ଶୁଝିବାକୁ ଚେଷ୍ଟା କରେ  । କିନ୍ତୁ ଏହି କାରଣରୁ କେହି ଆତ୍ମହତ୍ୟା କରିବାର ଖବର ଅଛି କି ? ଯଦି ନାହିଁ ତେବେ ଫସଲ ହାନି ଯୋଗୁଁ ଚାଷୀ ଆତ୍ମହତ୍ୟାର ଯେଉଁ ଅଭିଯୋଗ ଆସୁଛି ତାହାର ସତ୍ୟତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ  । ତେବେ କାଁ ଭାଁ କିଛି ଚାଷୀ ଧାନ ବ୍ୟତୀତ ଅନ୍ୟ ଫସଲ ଚାଷ ପାଇଁ ଋଣ କରି ଚାପରେ ରହୁଛନ୍ତି  । କାରଣ ଅନ୍ୟ ଫସଲ ପାଇଁ ସରକାର ଋଣ ଦେଉନଥିବାବେଳେ ସେଥିରେ ଅଧିକ ଖର୍ଚ୍ଚ କରିବାକୁ ପଡେ଼  । ସେଥିରେ ଲାଭର ସମ୍ଭାବନା ଯେତିକି କ୍ଷତିର ଆଶଙ୍କା ବି ସେତିକି  । ସେକ୍ଷେତ୍ରରେ ଚାଷୀ ଏଭଳି ପଦକ୍ଷେପ ନେଉଥିଲେ ସେଥିରେ ସତ୍ୟତା ରହିଥିବ ବୋଲି ଆମେ ମନେକରୁଛୁ  । କିନ୍ତୁ ଖାଲି ଧାନଚାଷ କରିଯେ, ଚାଷୀ ଫସଲ ହାନି ଯୋଗୁଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବ ତାହା ବିଶ୍ୱାସଯୋଗ୍ୟ ନୁହେଁ  ।


(୫) ପରିଶେଷରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିବର୍ଷ ଅମଳ ଋତୁରେ ଏଭଳି ଅଭିଯୋଗ ଆସୁଥିବାବେଳେ ସରକାର ଯନôବାନ ହେବା ଦରକାର  । ଗ୍ରାମସଭାରେ ଚାଷୀମାନଙ୍କ ସହ କୃଷି ଅଧିକାରୀ ଆଲୋଚନା କରିବା ସହ ଚାଷୀଙ୍କ ସ୍ଥିତି ସଂକ୍ରାନ୍ତୀୟ ରିପୋର୍ଟ ନେବା ଦରକାର  । ମନସ୍ତତ୍ୱବିତ ଓ ଚାଷୀ ନେତାମାନେ ଚାଷୀ କିଭଳି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନନେବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି  ।


    

Maximum 500 characters