Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

‘ଆଗକୁ ବଢ଼, ମା ମାଟିର ଗୌରବକୁ ଉଚ୍ଚା କର’

Date: Nov 14, 2017    Views: 211

ଭୁବନେଶ୍ୱର : ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ  । ଭଲ ପାଠ ପଢ଼ିବା ସହ ନିଜ ସ୍ୱପ୍ନକୁ ସାକାର କରିବା, ପିତାମାତାଙ୍କ ପ୍ରତି କର୍ତବ୍ୟ ନିର୍ବାହ କରିବା ଓ ସମାଜ, ଦେଶ, ଗାଁ ପାଇଁ କିଛି କରିବା ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କର ଧ୍ୟେୟ ହେବା ଦରକାର  । ପିଲାମାନଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଥିବାବେଳେ ଆଗକୁ ବଢ଼ି ମା’ ମାଟିର ଗୌରବକୁ ଉଚ୍ଚା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି  । ଓଡ଼ିଆ ଭାଷାର ବିକାଶ ପାଇଁ ମାଟ୍ରିକ୍ ପରୀକ୍ଷାରେ ଓଡ଼ିଆରେ ଭଲ ନମ୍ବର ରଖିଥିବା ପ୍ରତି ବ୍ଲକ୍ର ୧୦ ଜଣ ପିଲାଙ୍କୁ ୫ ହଜାର ଟଙ୍କା ଲେଖାଏଁ ଓ ସାମଗ୍ରୀକ ଭାବେ ମାଟ୍ରିକ୍ରେ ଭଲ କରିଥିବା ରାଜ୍ୟର ପ୍ରାୟ ୪୦ ହଜାର ପିଲାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  । ସେହିପରି ବ୍ଲକ୍ର ଶ୍ରେଷ୍ଠ ତିନି ବିଦ୍ୟାଳୟକୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବା ସହ ପିତାମାତା ଓ ଶିକ୍ଷକଙ୍କୁ ମଧ୍ୟ ସମ୍ମାନୀତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ  । ଶିକ୍ଷାର ବିକାଶ ପାଇଁ ସରକାର ଦ୍ୱିଗୁଣା ଅର୍ଥ ଖର୍ଚ୍ଚ କରିବାକୁ ପ୍ରତିଶ୍ରୁୂତିବଦ୍ଧ ଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ୧୦୦ କୋଟିର କର୍ପସ ପାଣ୍ଠି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟସ୍ତରୀୟ ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି  ।


କ୍ୟାପିଟାଲ୍ ହାଇସ୍କୁଲ୍ ପରିସରରେ ଆୟୋଜିତ ଶିଶୁ ଦିବସର ବର୍ଣ୍ଣାଢ଼୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁଙ୍କ ଜୀବନୀରୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ  । ମଧୁବାବୁ କିଭଳି ସ୍କୁଲ ଯିବା ରାସ୍ତାକୁ ଛୁଟି ଦିନରେ ନିଜେ ମରାମତି କରିବା ସହ ବଡ଼ ହୋଇ ସ୍ୱାଭିମାନର ବାର୍ତା ଦେଇଥିଲେ  ତାହାର ଅବତାରଣା କରିଥିଲେ  । ସେହିପରି ବିଜୁଙ୍କ ସାହସ କଥା ମଧ୍ୟ ପିଲାମାନଙ୍କୁ ମନେ ପକାଇ ଦେଇଥିଲେ  ।


ମୁଖ୍ୟମନ୍ତ୍ରୀ କହିଲେଯେ, ପ୍ରତି ପିଲାଙ୍କ ମଧ୍ୟରେ ବିପୁଳ ସମ୍ଭାବନା ରହିଛି  । ଭଲ ପାଠ ପଢ଼ିବା ସହ ନିଜ ସ୍ୱପ୍ନକୁ ସାକାର କରିବା, ପିତାମାତାଙ୍କ ପ୍ରତି ଥିବା ଦାୟିତ୍ୱ ପ୍ରତି ଧ୍ୟାନ ଦେବା ଓ ସମାଜ, ଦେଶ, ଗାଁ ପାଇଁ କିଛି କରିବା ହେଉଛି ଛାତ୍ରଛାତ୍ରୀମାନଙ୍କର ତିନୋଟି ମୁଖ୍ୟ ଦାୟିତ୍ୱ  । ଦେଶ ଓ ଜାତି ପାଇଁ କାମ କରିବାର ସୁଯୋଗ ସବୁଠାରୁ ବଡ଼ ଆନନ୍ଦ ବୋଲି ନବୀନ କହିଥିଲେ  । ନବୀନ କହିଲେ ସେ ଚାହୁଁଛନ୍ତି, ତାଙ୍କ ରାଜ୍ୟର ସବୁ ପିଲା ସ୍କୁଲ୍କୁ ଆସନ୍ତୁ ଓ ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ  । ପାଠ ସହ କ୍ରୀଡ଼ା, ସଂଗୀତ, ସମାଜସେବା ଆଦି କ୍ଷେତ୍ରରେ ଓଡ଼ିଶାକୁ ଗୌରାବନ୍ୱିତ କରିବା ସହ ସେମାନଙ୍କ ମନରେ ଜିଜ୍ଞାସାା ଓ ବୈଜ୍ଞାନିକ ମନୋବୃତି ସୃଷ୍ଟି ହେଉ  । ସେହିପରି ଅତ୍ୟାଧୁନିକ ପ୍ରଯୁକ୍ତି ବିଷୟରେ ଭଲ ଭାବେ ଜାଣିବା ସହ ସ୍କୁଲ୍ରେ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି ହେବା ଦରକାର ବୋଲି ସେ କହିଥଲେ  । ଓଡ଼ିଶାର ପିଲାମାନେ ସବୁବେଳେ ବଡ଼ ବଡ଼ ସ୍ୱପ୍ନ ଦେଖି ଜୀବନର ସବୁ ଆହ୍ୱାନକୁ ସାମ୍ନା କରିବା ପାଇଁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ ବୋଲି ନବୀନ କହିଥିଲେ  ।


ଶିଶୁମାନେ ଆମ ଜନସଂଖ୍ୟାର ଏକ ତୃତୀୟାଂଶ ହୋଇଥିବାବେଳେ ସେମାନେ ସମସ୍ତେ ଆମର ଭବିଷ୍ୟତ  । ଏବେ ଓଡ଼ିଶାର ପିଲାମାନେ ଭଲ ପ୍ରଦର୍ଶନ କରୁଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ନବୀନ କହିଥିଲେ  । ପଂଚସଖାଙ୍କ ଭାର୍ଗବୀ ଶପଥର ଆଲୋକପାତ କରି ନବୀନ କହିଲେଯେ, ଓଡ଼ିଆ ସ୍ୱାଭିମାନର ବିକାଶ ପାଇଁ ସବୁ ସ୍କୁଲ୍ରେ ଶପଥ ପତ୍ର ଆରମ୍ଭ କରାଯାଇଛି  । ନିଜ ସ୍ୱପ୍ନ ସାକାର କରିବା ପାଇଁ ଏହା ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ  ।


ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଉପରେ ଗୁରୁତ୍ୱାରୋପ କରି କହିଲେଯେ, ଭାଷା ହେଉଛି ଆମର ଗୌରବ  । ଓଡ଼ିଆ ଭାଷା ପ୍ରତି ଆଦର ବୃଦ୍ଧି ପାଇଁ ଦଶମ ଶ୍ରେଣୀରେ ଓଡିଆରେ ଭଲ କରିଥିବା ପିଲାଙ୍କୁ ଓଡ଼ିଆ ଭାଷା ବୃତି ପୁରସ୍କାର ପ୍ରଦାନ କରାଯିବ  । ପ୍ରତି ବ୍ଲକର ୧୦ ଜଣ ପିଲାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ସେହିପରି ପ୍ରତି ବ୍ଲକ୍ ଓ ସହରାଂଚଳର ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତି ପୁରସ୍କାର ଦିଆଯିବ  । ପ୍ରତିବର୍ଷ ରାଜ୍ୟର ପ୍ରାୟ ୪୦ ହଜାର ପିଲାଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ସେ କହିଲେଯେ, ପିଲାମାନଙ୍କୁ ମଣିଷ କରିବାରେ ପିତାମାତା ଓ ଶିକ୍ଷକମାନଙ୍କ ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ  । ତେଣୁ ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପିଲାମାନଙ୍କ ପିତାମାତା ଓ ଶିକ୍ଷକମାନଙ୍କୁ ମଧ୍ୟ ରାଜ୍ୟ ସରକାର ସମ୍ମାନୀତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ଏତଦ୍ବ୍ୟତୀତ ପ୍ରତି ବ୍ଲକ୍ର ଶ୍ରେଷ୍ଠ ୩ଟି ସ୍କୁଲ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ, ଯେଉଁ ଅର୍ଥ ଶିକ୍ଷକମାନଙ୍କ ମଧ୍ୟରେ ଆବଂଟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  ।


ଓଡ଼ିଶାର ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେଯେ, ବହୁ ସୂଚକାଙ୍କରେ ଓଡ଼ିଶା ଏକ ନିର୍ଦ୍ଧିଷ୍ଟ ସ୍ତରରେ ପହଁଚିସାରିଛି  । ତେବେ ଶିକ୍ଷା ହିିଁ ଆମକୁ ବିକାଶର ପରବର୍ତୀ ସ୍ତରରେ ପହଁଚାଇପାରିବ  । ଶିକ୍ଷା ଦ୍ୱାରା ହିଁ ବିକାଶ ସମ୍ଭବ ବୋଲି ସଭ୍ୟତାର ଇତିହାସକୁ ଅନୁଶୀଳନ କଲେ ଜଣାପଡେ଼  । ଶିଶୁର ବିକାଶ ଓ ଶିକ୍ଷାର ସଶକ୍ତିକରଣ ଦ୍ୱାରା ଦେଶର ବିକାଶ ହୋଇଥାଏ  । ତେଣୁ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିବାବେଳେ ଏହି ଅଭିଯାନରେ ସଭିଏଁ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ  । ଏଥିପାଇଁ ମୋ ସ୍କୁଲ୍ ଅଭିଯାନ ଆରମ୍ଭ କରାଯାଇଛି  । ଶୈଶବର ସ୍କୃତିକୁ ଉଜ୍ଜୀବିତ କରିବା ସହ ବିଦ୍ୟାଳୟରେ ପରିବର୍ତନ ପାଇଁ ଏହା ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ  । ଏହି ଅଭିଯାନ ପାଇଁ ସମୟ, ଜ୍ଞାନ, ଦକ୍ଷତା ଉପଯୋଗ କରିବା ସହ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ରାଜ୍ୟ ସରକାର ସ୍ୱୀକୃତି ଦେବେବୋଲି ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧତା ପ୍ରକାଶ କରିଥିଲେ  ।


ପରିଶେଷରେ ମୁଖ୍ୟମନ୍ତ୍ରୀ କହିଲେଯେ, ବିଦ୍ୟାଳୟର ବିକାଶ ପାଇଁ ରାଜ୍ୟ ସରକାର ଦ୍ୱିଗୁଣା ଅର୍ଥ ଖର୍ଚ୍ଚ କରିବେ  । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିପାଇଁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  । ପିଲାମାନଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଥିବାବେଳେ ସଂକଳ୍ପର ସହ ଆଗକୁ ବଢ଼ି ମା’ ମାଟିର ଗୌରବକୁ ଉଚ୍ଚା କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ  ।


    

Maximum 500 characters