Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ଆଜି ଭାରତ-ନୁ୍ୟଜିଲାଣ୍ଡ ଟ୍ୱେଣ୍ଟି-୨୦ ଫାଇନାଲ୍

Date: Nov 7, 2017    Views: 15


ଥିରୁଅନନ୍ତପୁରମ :ମଙ୍ଗଳବାର କେରଳର ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବା ଭାରତ-ନୁ୍ୟଜିଲାଣ୍ଡ ତୃତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ । ଦୁଇ ଦଳ ମଧ୍ୟରେ ଚାଲିଥିବା ଟ୍ୱେଣ୍ଟି-୨୦ ସିରିଜ୍ ୧-୧ରେ ବରାବର ରହିଥିବାରୁ ଏହି ମ୍ୟାଚ୍ ଫାଇନାଲ୍ ମୁକାବିଲା ହେବ । ଭାରତ ଓ ନୁ୍ୟଜିଲାଣ୍ଡ ଦଳ ଏହି ମ୍ୟାଚ୍ ସହ ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି । ଏହି ‘କର ବା ମର’ ମ୍ୟାଚ୍ ପାଇଁ ଉଭୟ ଦଳ ଖେଳାଳି ଜୋରଦାର ପ୍ରସ୍ତୁତି କରିଛନ୍ତି । କିନ୍ତୁ ଏହି ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି । ଯାହାକୁ ନେଇ ଉଭୟ ଦଳ ଚିନ୍ତାରେ ପଡ଼ିଯାଇଛନ୍ତି ।  ପିଚ୍ କୁ୍ୟରେଟରଙ୍କ ଆକଳନ ଅନୁଯାୟୀ ଏହି ମ୍ୟାଚ୍ରେ ବଡ଼ ସ୍କୋର ହେବ । ଭାରତ-ନୁ୍ୟଜିଲାଣ୍ଡ ଫାଇନାଲ୍ ମ୍ୟାଚ୍ଟି କଡ଼ା ସଂଘର୍ଷପୂର୍ଣ୍ଣ ହେବ ବୋଲି ପିଚ୍ କୁ୍ୟରେଟର ମତ ପ୍ରକାଶ କରିଛନ୍ତି ।
ନୁ୍ୟଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟ୍ୱେଣ୍ଟି-୨୦ରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଦଳୀୟ ଖେଳାଳିଙ୍କୁ ଚାପରେ ରଖିଛି । ରାଜକୋଟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ୪୦ ରନ୍ରେ ପରାସ୍ତ ହୋଇଥିଲା । ପରାଜୟ ଚାପ ସତ୍ତ୍ୱେ କୋହଲି ଅପରିବର୍ତ୍ତିତ ଦଳ ନେଇ ମଇଦାନ୍କୁ ଓହ୍ଲାଇବାକୁ ସ୍ଥିର କରିଛନ୍ତି । ସିରିଜ୍ ଜିତିବାକୁ ହେଲେ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାବନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଦୁହେଁ ପୂର୍ବ ମ୍ୟାଚ୍ରେ ନିରାଶ କରିଥିଲେ । ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ୍ରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସ୍ଥିର ପ୍ରଦର୍ଶନ ଦେଇ ପାରିନଥିଲେ । ଯାହାକି ଦଳ ପରାଜୟର ମୁଖ୍ୟ କାରଣ ହୋଇଥିଲା । ବ୍ୟାଟିଂ ବିଭାଗ ପ୍ରତି କୋହଲି ଅଧିକ ଗୁରୁତ୍ୱ ଦେଇଛନ୍ତି । ଅନ୍ୟପକ୍ଷରେ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ଦୁହେଁ ଶତପ୍ରତିଶତ ପ୍ରଦର୍ଶନ ଦେବାରେ ବିଫଳ ରହିଛନ୍ତି । ତେଣୁ ଉଭୟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବୋଲିଂ ବିଭାଗ ଭଲ ଲୟରେ ରହିଛି । ଏହା କୋହଲିଙ୍କ ମନୋବଳ ବଢ଼ାଇଛି । ଆମେ ପ୍ରତ୍ୟାବର୍ତ୍ତନ କରିବା ସହ ସିରିଜ୍ ଜିତିବୁ ବୋଲି କୋହଲି ମ୍ୟାଚ୍ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଭ୍ରମଣକାରୀ ନୁ୍ୟଜିଲାଣ୍ଡ ଚଳିତ ସିରିଜ୍ରେ ପ୍ରଭାବୀ ପ୍ରଦର୍ଶନ କରିଛି । ନୂଆଦିଲ୍ଲୀ ଟ୍ୱେଣ୍ଟି-୨୦ରେ ନିରାଶ ହୋଇଥିବା ନୁ୍ୟଜିଲାଣ୍ଡ ଦ୍ୱିତୀୟ ଟ୍ୱେଣ୍ଟି-୨୦ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା । ଦଳ ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଖାସ କରି ଓପନିଂ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନ୍ରୋ ଓ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । ରାଜକୋଟ ଟ୍ୱେଣ୍ଟି-୨୦ରେ ମୁନ୍ରୋ ଶତକ ହାସଲ କରିଥିବାବେଳେ ବୋଲ୍ଟ ୪ଟି ୱିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେଣୁ ଏହି ଦୁଇ ଖେଳାଳି କୋହଲିସେନା ପାଇଁ ବିପଦଜନକ ରହିଛନ୍ତି । ନୁ୍ୟଜିଲାଣ୍ଡ ଶେଷ ଟ୍ୱେଣ୍ଟି-୨୦ ଜିତି ସିରିଜ୍ ସହ ଏକନମ୍ବର ସ୍ଥାନକୁ ଫେରିବ ବୋଲି ଅଧିନାୟକ କେନ୍ ୱିଲିୟମସନ୍ ଦୃଢେ଼ାକ୍ତି ଦେଇଛନ୍ତି ।


    

Maximum 500 characters