ମୁଖ୍ୟ ଖବର
ଦଶପଲ୍ଲା : ଚକଡାପୋକ ଓ ମାଟିଆ ଗୁଣ୍ଡି ପୋକକୁ ନେଇ ସାରା ରାଜ୍ୟରେ ଛାଷୀ ଆତ୍ମହତ୍ୟା ଏବଂ କ୍ଷେତରେ ନିଆଁ ଲଗାଇବା ଭଳି ଅଭାବନୀୟ ଘଟଣା ବଢିଚାଲିଛି । ଦଶପଲା ବ୍ଲକରେ ଏହି ସମସ୍ୟା ଜଟିଳ ଆକାର ଧାରଣ କରୁଥିଲେ ବି କୃଷି ବିଭାଗ ଏଥିପ୍ରତି ସମାନ୍ୟତମ ଦୃଷ୍ଟି ଦେଉନାହାନ୍ତି । ଦଶପଲ୍ଲା ବ୍ଲକର ବିଭିନ୍ନ୍ ଗ୍ରାମପଞ୍ଚାୟତରେ ଧାନ ବିଲରେ ମାଟିଆ ଗୁଣ୍ଡି ପୋକ ଯୋଗୁ ଏକର ଏକର ଜମିର ଧାନ ନଷ୍ଟ ହୋଇସାରିଲେଣି । ଚାଷୀମାନେ ଖର୍ଚ୍ଚାନ୍ତ ହୋଇ କୀଟନାଶକ ପ୍ରୟୋଗ କରୁଥିଲେ ମଧ୍ୟ ରୋଗପୋକ ନିୟନ୍ତ୍ରଣାଧୀନ ହେଉନାହିଁ । ଏହାର ସଦ୍ୟ ଉଦାହରଣ ଏହି ବ୍ଲକର ଗୋଡିବିଡା ମୌଜାର କୃଷ୍ଣଚନ୍ଦ୍ର ପ୍ରଧାନ ପୂଜାଧାନ କରିଥିବା ବେଳେ ୫୦ ଏକର ବିଲ ପୋକଲାଗି ଧାନଗଛ ମୂଳ ପଚିଗଲାଣି । ଇନ୍ଦ୍ରମଣି ପ୍୍ରଧାନଙ୍କ ଦେଢଶର ମୌଜାର ୧୫ ଗୁଣ୍ଠ ଜମିରେ, ବୀର ଦଳବେହେରାଙ୍କର ୧୫ ଗୁଣ୍ଠ, ଭୀମ ପ୍ରଧାନ ଗୋଡିବିଡା ମୌଜାର ୧୨ ଗୁଣ୍ଠ ଜମିରେ, କାଶୀସାହୁ ଗୋଡିବିଡା ବାରମାଣିଆ ମୌଜାର ଏକ ଏକର, ବୈକୁଣ୍ଠ ପ୍ରଧାନଙ୍କର ଶିମିଲି ସାହି ଏକ ଏକରରେ ଜଉପୋକ ଓ ମାଟିଆ ଗୁଣ୍ଡି ପୋକ, ହରି ପ୍ରଧାନଙ୍କ ୧୨ ଗୁଣ୍ଠ, ଯୁଧିଷ୍ଠିର ପ୍ରଧାନଙ୍କ ୧୦ ଗୁଣ୍ଠ ଜମିରେ ରୋଗପୋକ ଲାଗି ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ଚାଷୀମାନେ ରୋଗପୋକ ଦମନ ଔଷଧ ବ୍ୟବହାର କରିଥିଲେ ବି ପୋକ ମରିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଘଟଣା ସ୍ଥଳକୁ ଜିଲା କୃଷି ବୈଜ୍ଞାନିକ ଦଳ ପହଞ୍ଚି ଏହାର ଉପଯୁକ୍ତ ଅନୁସନ୍ଧାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବା ପାଇଁ ପ୍ରଚେଷ୍ଟା ନକଲେ ଦଶପଲ୍ଲା ଚାଷୀମାନେ ମଧ୍ୟ ଆତ୍ମହତ୍ୟା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟାଇପାରନ୍ତି ।
Comments ସମସ୍ତ ମତାମତ 0