Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ଏସିଆ କପ୍ ଚାମ୍ପିଅନ୍ ମୁକୁଟ ପିନ୍ଧିଲା ଭାରତୀୟ ମହିଳା ହକି ଦଳ

Date: Nov 6, 2017    Views: 28


କାକମିଗହରା:   ଦୀର୍ଘ ୧୩ ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଏସିଆ କପ୍ ଚାମ୍ପିଅନ୍ ମୁକୁଟ ପିନ୍ଧିଛି । ରବିବାର ଅନୁଷ୍ଠିତ ଫାଇନାଲ୍ରେ ଭାରତ ୫-୪ ଟାଇବ୍ରେକର ଗୋଲ୍ରେ ଚୀନକୁ ମାତ୍ ଦେଇ ଟାଇଟଲର ସ୍ୱାଦ ଚାଖିଛି । ଟାଇଟଲ ଜିତି ଭାରତ ୨୦୧୮ ହକି ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଛି । ବିଶ୍ୱକପ୍ ଯୋଗ୍ୟତା ସହ  ଭାରତର ଟାଇଟଲ ପ୍ରତୀକ୍ଷାର ଅନ୍ତ ଘଟିଛି । ପୂର୍ବରୁ ଭାରତ ୨୦୦୪ରେ ପ୍ରଥମ ଥର ପାଇଁ ଏସିଆ କପ୍ ଟ୍ରଫି ଜିତିଥିଲା । ଅନ୍ୟପକ୍ଷରେ ଭାରତ ଟାଇଟଲ ଲଢେ଼ଇରେ ଚୀନକୁ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି । ୨୦୦୯ ସଂସ୍କରଣରେ ଭାରତ ଶକ୍ତିଶାଳୀ ଚୀନଠୁ ହାରି ରନର୍ସ ଅପ୍ ହୋଇଥିଲା । କିନ୍ତୁ ଏଥର ଭାରତ ଶ୍ରେଷ୍ଠ ପ୍ରଦର୍ଶନ ସହ ଦ୍ୱିତୀୟ ଥର ପାଇଁ ଏସୀୟ ଚାମ୍ପିଅନ୍ ହୋଇଛି । ଭାରତର ଟାଇଟଲ ବିଜୟରେ ଓଡ଼ିଆ ଝିଅ ଲିଲିମା ମିଞ୍ଜ ଅନ୍ୟତମ ଭୂମିକା ଗ୍ରହଣ କରିଛନ୍ତି । ନିକଟରେ ଭାରତୀୟ ପୁରୁଷ ହକି ଦଳ ଏସିଆ କପ୍ ଟ୍ରଫି ଜିତିଥିଲା । ଫାଇନାଲ୍ରେ ଭାରତ ୨-୧ ଗୋଲ୍ରେ ମାଲେସିଆକୁ ହରାଇ ଚାମ୍ପିଅନ୍ ହୋଇଥିଲା ।
ଜାପାନର ଗିଫୁ ହକି ଷ୍ଟାଡିୟମରେ ଖେଳାଯାଇଥିବା  ଭାରତ-ଚୀନ ଫାଇନାଲ୍ ମୁକାବିଲା କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏଥିରେ ଦୁଇ ଦଳ ଖେଳାଳି ପରସ୍ପରକୁ ଭରପୂର ଚ୍ୟାଲେଞ୍ଜ ଦେଇଥିଲେ । ୬୦ ମିନିଟ୍ ବିଶିଷ୍ଟ ଏହି ମ୍ୟାଚ୍ର ପ୍ରଥମ କ୍ୱାର୍ଟରର ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା । ଦ୍ୱିତୀୟ କ୍ୱାର୍ଟରରେ ଭାରତ ଖାତା ଖୋଲିଥିଲା । ଖେଳର ୨୫ତମ ମିନିଟ୍ରେ ତାରକା ଖେଳାଳି ନବଜ୍ୟୋତ କୌର ଗୋଟିଏ ଚମକ୍ରାର ଫିଲ୍ଡ ଗୋଲ୍ କରି ଦଳକୁ ୧-୦ ଗୋଲ୍ରେ ଅଗ୍ରଣୀ ଦେଇଥିଲେ । ଏହି କ୍ୱାର୍ଟରରେ ଚୀନ୍ ଗୋଲ୍ ଦେବାରେ ବିଫଳ ହୋଇଥିଲା । ପରେ ତୃତୀୟ କ୍ୱାର୍ଟରର ଖେଳ ଗୋଲଶୂନ୍ୟ ରହିଥିଲା । ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଚୀନ୍ ଉକ୍ତ ଗୋଲ୍କୁ ପରିଶୋଧ କରି ମ୍ୟାଚ୍କୁ ୧-୧ରେ ବରାବର କରିଥିଲା । ଚୀନ୍ର ତିଆନ୍ତିଆନ୍ ଲୌ (୪୭ତମ) ଏହି ଗୋଲ୍ଟି ଦେଇଥିଲେ । ତେବେ ନିର୍ଦ୍ଧାରିତ ସମୟର ଖେଳ ଶେଷ ସୁଦ୍ଧା ମ୍ୟାଚ୍ଟି ୧-୧ ଗୋଲ୍ରେ ବରାବର ରହିଥିଲା । ଫଳରେ ରେଫରୀ ଟାଇବ୍ରେକରର ସହାୟତା ନେଇଥିଲେ । ଏଥିରେ ଭାରତ ୫ଟି ଗୋଲ୍ କରିଥିବାବେଳେ ଚୀନ ୪ଟି ଗୋଲ୍ କରି ଅଳ୍ପକେ ପରାଜୟବରଣ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରାଣୀ ରାମପଲ ୨ଟି ଏବଂ ମୋନିକା ମଲ୍ଲିକ, ଲିଲିମା ମିଞ୍ଜ ଓ ନବଜ୍ୟୋତ କୌର ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମୋନିକାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ ସବିତାଙ୍କୁ ଗୋଲକିପର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ କରାଯାଇଛି ।


    

Maximum 500 characters