Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

ଚାଷୀମାନଙ୍କ ରାଜ୍ୟ ସରକାରଙ୍କ ଉପରେ ଆଉ ଭରଷା ନାହିଁ : ବିଜେପି

Date: Nov 5, 2017    Views: 26


 ଭୁବନେଶ୍ୱର:ଚାଷୀମାନଙ୍କ ରାଜ୍ୟ ସରକାରଙ୍କ ଉପରେ ଆଉ ଭରଷା ନାହିଁ । ଚକଡା ପୋକ ଦାଉରେ ସର୍ବସ୍ୱାନ୍ତ ହୋଇ ଚାଷୀ ମାନେ ଧାନ ବିଲରେ ଲଗାଉଥିବା ନିଆଁ ବନାଗ୍ନି ପରି ବ୍ୟାପକ ଗତିରେ ଜିଲ୍ଲା ପରେ ଜିଲ୍ଲା ମାଡି ଚାଲିଥିବା ବେଳେ ନିଆଁ ଲଗାଇବା ପରେ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାବନଙ୍କ ପରିବାରକୁ କ୍ଷତିପୂରଣ ମିଳିବ ନାହିଁ ବୋଲି କୃଷି ମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ବୟାନ ଏକ ସମ୍ବେଦନହୀନ ସରକାରର ମୁଖଶାଳା ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି । ମାନବିକତାହୀନ ଏବଂ ସମ୍ବେଦନହୀନ କୃଷିମନ୍ତ୍ରୀ ଡା.ରାଉତଙ୍କ ଏତାଦୃଶ ଚାଷୀବିରୋଧୀ ମାନସିକତା କାରଣରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ଶ୍ରୀ ପଣ୍ଡା ଦାବୀ କରିଛନ୍ତି । କଲେକ୍ଟରଙ୍କ ରିପୋର୍ଟ ପଢିବା ପୂର୍ବରୁ ବୃନ୍ଦାଙ୍କ ଆତ୍ମହତ୍ୟା ଋଣଜନିତ ନୁହେଁ ବୋଲି କହି ନବୀନ ସରକାର ଚାଷୀଙ୍କ ଦାୟ ନୁହେଁ ରାଜନୈତିକ ସ୍ୱାର୍ଥର ଦାୟ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି । ବରଗଡ ଜିଲ୍ଲା କଳାପାଣିର ଚାଷୀ ବୃନ୍ଦାବନ ପୋକ ଆକ୍ରମଣ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରି ଗୁହାରି କେହି ଶୁଣି ନଥିଲେ । ପ୍ରତିବାଦରେ ଧାନ କ୍ଷେତରେ ନିଆଁ ଲଗାଇଲେ । ଏହା ପରେ  ବୃନ୍ଦାବନ ନିଜ କ୍ଷେତରେ ବସି ବିଷ ପିଇ ଜୀବନ ଦେଲେ । ବୃ୍ନ୍ଦାବନଙ୍କ ମୃତ୍ୟୁ ସରକାରଙ୍କୁ ନୋଟିସ ଦେଇ ସରକାରଙ୍କ ଆଖି ଆଗରେ ଜୀବନ ତ୍ୟାଗ କରିବା ସହ ସମାନ ବୋଲି ଶ୍ରୀ ପଣ୍ଡା କହିବା ସହ ମନ୍ତ୍ରୀଙ୍କ ସମ୍ବେଦନହୀନତା ସହିବାର ସବୁ ସୀମା ସରହଦ ପାର କରୁଛି ବୋଲି କହିଛନ୍ତି । ରାଜ୍ୟ ତମାମ ଚାଷୀ ସ୍ୱଳ୍ପ ବୃଷ୍ଟି କାରଣରୁ ଫସଲ ହାନୀ ଓ ଘାତକ ପୋକ ଆକ୍ରମଣରେ ବ୍ୟାପକ ଫସଲ ନଷ୍ଟକୁ ସାମନା କରି ହତୋତ୍ସାହିତ ହୋଇ ପଡିଥିବା ବେଳେ ରାଜ୍ୟ ସରକାର ଠୋସ ପଦକ୍ଷେପ ନ ନେଇ କେବଳ ଭାଷଣବାଜୀରେ ନିଜକୁ ସୀମିତ କରିଛନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।ରାଜ୍ୟର  କୃଷି, ପଶୁ ସମ୍ପଦ ଉଭୟ ବିଭାଗ ଦାୟିତ୍ୱରେ ଥିବା ଡା. ଦାମୋଦର ରାଉତ ଦାୟିତ୍ୱହୀନତାର ଯନ୍ତ୍ରଣା ଚାଷୀ କୂଳ ଭୋଗୁଛି ବୋଲି କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡିଶାରେ ଫସଲ ହାନୀ ଓ ଋଣ ବୋଝ ଯୋଗୁ ଚାଷୀ ଆତ୍ମହତ୍ୟା କରୁ ନାହାନ୍ତି ବୋଲି ସରକାରଙ୍କର ରିପୋର୍ଟ ଦୋଷ ତ୍ରୁଟି ଘୋଡାଇବା ପାଇଁ ମିଥ୍ୟା ଦଲିଲ । ବୃନ୍ଦାବନଙ୍କ ଆତ୍ମହତ୍ୟାକୁ ଫସଲ ହାନୀ ଓ ଋଣ ଜନିତ ବୋଲି ତୁରନ୍ତ ମାନିବା ସହ ପରିବାରକୁ ଆବଶ୍ୟକୀୟ କ୍ଷତିପୂରଣ ଯୋଗାଇ ଦେବାକୁ ଶ୍ରୀ ପଣ୍ଡା ଆହ୍ୱାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ସଜ୍ଜନ ଶର୍ମା, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


    

Maximum 500 characters