Apr 22, 2018
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ମୁଖ୍ୟ ଖବର

    ୩୦ ବର୍ଷରେ ଭାରତ ହେବ ଉଚ୍ଚ ମଧ୍ୟ ଆୟକାରୀ ରାଷ୍ଟ୍ର: ବିଶ୍ୱ ବ୍ୟାଙ୍କ

    Share on :
    Date: Nov 5, 2017    Views: 145


    ନୂଆଦିଲ୍ଲୀ : ଦ୍ରବ୍ୟ ଓ ସେବା କର ଏବଂ ଅନ୍ୟାନ୍ୟ ସଂସ୍କାର କାର୍ଯ୍ୟକ୍ରମ ଯୋଗୁଁ ଆସନ୍ତା ୩୦ ବର୍ଷ ଭିତରେ ଭାରତ ଉଚ୍ଚ ମଧ୍ୟ ଆୟକାରୀ ଅର୍ଥନୀତିରେ ପରିଣତ ହେବ ବୋଲି ଭବିଷ୍ୟବାଣୀ କରିଛି ବିଶ୍ୱ ବ୍ୟାଙ୍କ । କେଇ ଦିନ ତଳେ ସୁଗମ ବ୍ୟବସାୟ ସ୍ଥିତି ରିପୋର୍ଟରେ ଭାରତକୁ ୧୩୦ ସ୍ଥାନରୁ ୧୦୦ ସ୍ଥାନକୁ ଉଠାଇଥିବା ବିଶ୍ୱବ୍ୟାଙ୍କ କହିଛି ଯେ ଗତ ତିନି ଦଶନ୍ଧି ଭିତରେ ଭାରତ ସରକାର ଗ୍ରହଣ କରିଥିବା ଆର୍ଥନୀତିକ ସଂସ୍କାର କାର୍ଯ୍ୟକ୍ରମ ଫଳରେ ଲୋକମାନଙ୍କର ମୁଣ୍ଡ ପିଛା ଆୟ ୪ ଗୁଣ ବୃଦ୍ଧି ପାଇଛି ।
    ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ହୋଇଥିବା ଭାରତର ବ୍ୟବସାୟ ସଂସ୍କାର ଶୀର୍ଷକ ସମ୍ମିଳନୀରେ ବକ୍ତବ୍ୟ ପ୍ରଦାନ କରି ବିଶ୍ୱ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି ଯେ ଅଗ୍ରଣୀ ସଂସ୍କାର ନୀତି ଓ ଉଚ୍ଚ ସ୍ତରୀୟ ମାଲିକାନା ଏଭଳି ସଫଳତା ପାଇଁ ଅତ୍ୟନ୍ତ ଆବଶ୍ୟକ । ସଂସ୍କାର କ୍ଷେତ୍ରରେ ନିଷ୍ଠା ହିଁ ସଫଳତା ଆଣିଥାଏ । ଭାରତରେ ଏହି ସଫଳତା ଭବିଷ୍ୟତରେ ଅଧିକ ସଂସ୍କାର ପାଇଁ ଶକ୍ତି ଯୋଗାଇବ ।
    ବର୍ତ୍ତମାନ ସରକାରଙ୍କ ଦ୍ରବ୍ୟ ଓ ସେବା କର ପ୍ରଚଳନକୁ ପ୍ରଶଂସା କରି ଜର୍ଜିଏଭା କହିଛନ୍ତି ଯେ ପରୋକ୍ଷ କରଗୁଡ଼ିକ ମିଶାଇ ନୂଆ ଏକକ କର ବ୍ୟବସ୍ଥା ଭାରତକୁ ଅଧିକ ଅଭିବୃଦ୍ଧି ଦିଗରେ ଆଗେଇ ନେବାରେ ସହାୟକ ହେବ । ସଂସ୍କାର ଫଳରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ ପାଖାପାଖି ଦୁଇ ଗୁଣ ବୃଦ୍ଧି ପାଇଛି । ୨୦୧୩-୧୪ ବର୍ଷ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ ପରିମାଣ ଥିଲା ୩୬୦୦ କୋଟି ଡଲାର । ଏବେ ତାହା ୬୦୦୦ କୋଟି ଡଲାରକୁ ବୃଦ୍ଧି ପାଇଛି ।
    ଭିତ୍ତିଭୂମି ନିର୍ମାଣ, ମାନବ ସମ୍ବଳ ବିକାଶରେ ପୁଂଜିନିବେଶ, ସମବାୟ ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ପ୍ରତିଯୋଗିତାମୂଳକ ସଂଘୀୟ ବ୍ୟବସ୍ଥା ଭବିଷ୍ୟତର ପ୍ରଗତି ପାଇଁ ଆବଶ୍ୟକ ଆଧାର ଯୋଗାଇଦେବ ବୋଲି ସେ କହିଛନ୍ତି । ୨୦୨୨ ସୁଦ୍ଧା ଭାରତରେ ଉକ୍ରଟ ଦାରିଦ୍ର୍ୟ ଇତିହାସ ହୋଇଯିବ ବୋଲି ଆକଳନ କରି ସେ କହିଛନ୍ତି ଯେ ଏବେ ସୁଦ୍ଧା ଦେଶ ଯେପରି ଚାଲିଛି ୨୦୨୬ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ୨୦୨୨ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି । ଏହା ସମ୍ଭବ ହୋଇପାରେ ବୋଲି ଜର୍ଜିଏଭା କହିଛନ୍ତି ।
    କ୍ରିକେଟ ପ୍ରେମୀ ଭାରତୀୟଙ୍କ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ସୁଗମ ବ୍ୟବସାୟ ସ୍ଥିତିରେ ଭାରତ ଶତକ ଅର୍ଜନ କରିବା ନିଶ୍ଚିତ ଏକ ଭଲ ଖବର । ୨୦୪୭ରେ ଯେତେବେଳେ ଭାରତ ତା’ର ସ୍ୱାଧୀନତାର ଶତ ବର୍ଷ ପୂରଣ କରିବ ସେତେବେଳକୁ ଏହା ଏକ ଉଚ୍ଚ ମଧ୍ୟ ଆୟକାରୀ ରାଷ୍ଟ୍ରରେ ପରିଣତ ହୋଇଥିବ । ନିକଟରେ ଭାରତର ୬ କୋଟି ଲୋକ ଅସହାୟ ଅବସ୍ଥାରୁ ଉପରକୁ ଉଠିଥିବା ଏକ ଆଶାଜନକ ଖବର ବୋଲି ସେ କହିଛନ୍ତି ।

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook