Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ଆଜି ଭାରତ-ନୁ୍ୟଜିଲାଣ୍ଡ ଦ୍ୱିତୀୟ ଟ୍ୱେଣ୍ଟି-୨୦

Date: Nov 4, 2017    Views: 25


ରାଜକୋଟ: ଶନିବାର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ ଭାରତ-ନୁ୍ୟଜିଲାଣ୍ଡ ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ । ଚଳିତ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ଥିବା ଭାରତ ଏହି ମ୍ୟାଚ୍ ଜିତି ସିରିଜ୍ କବ୍ଜା କରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ନୁ୍ୟଜିଲାଣ୍ଡ ପ୍ରତ୍ୟାବର୍ତ୍ତନ ନେଇ ଆଶାବାଦୀ ରହିଛି । ଗତ ନୂଆଦିଲ୍ଲୀ ଟ୍ୱେଣ୍ଟି-୨୦ରେ କୋହଲିସେନା ଦମ୍ଦାର ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚ୍ରେ ଭାରତ ୫୩ ରନ୍ରେ ନୁ୍ୟଜିଲାଣ୍ଡକୁ ମାତ୍ ଦେଇଥିଲା । ଏହି ବିଜୟ ସହ ଭାରତ ଭ୍ରମଣକାରୀ ନୁ୍ୟଜିଲାଣ୍ଡ ବିପକ୍ଷରେ ପରାଜୟଧାରା ଭାଙ୍ଗିଥିଲା । ଏହି ପ୍ରଦର୍ଶନ ଭାରତକୁ ବିଜୟ ଦାବିଦାର କରିଛି । ସିରିଜ୍ ପରାଜୟ ଚାପରେ ଥିବା ନୁ୍ୟଜିଲାଣ୍ଡ ଗତ ମ୍ୟାଚ୍ରେ ସମସ୍ତ ବିଭାଗରେ ଫେଲ୍ ମାରିଥିଲା । ଯାହାକି ଦଳକୁ ଚାପରେ ରଖିଛି । ଏହା ସତ୍ତ୍ୱେ ନୁ୍ୟଜିଲାଣ୍ଡ ଘରୋଇ ଭାରତକୁ କଡ଼ା ଟକ୍କର ଦେବ ବୋଲି କ୍ରିକେଟ୍ ବିଷାରଦ ଆକଳନ କରିଛନ୍ତି ।
ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚ୍ ପାଇଁ କୋହଲି ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିବେ । ନୂଆଦିଲ୍ଲୀ ଟ୍ୱେଣ୍ଟି-୨୦ ଖେଳି ବରିଷ୍ଠ ପେସ୍ ବୋଲର ଆଶିଷ ନେହେରା କ୍ରିକେଟ୍ରୁ ସନ୍ନ୍ୟାସ ନେଇଥିବାରୁ ତାଙ୍କ ସ୍ଥାନରେ ଯୁବ ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିପାରେ । ଦୁଇ ଓପନର ରୋହିତ ଶର୍ମା, ଶିଖର ଧାବନ ଓ ଅଧିନାୟକ ବିରାଟ କୋହଲି ଏବେ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ସେହିପରି ଦୁଇ ପେସ୍ ବୋଲର ଭୁବନେଶ୍ୱର କୁମାର, ଜସ୍ପ୍ରୀତ ବୁମ୍ରାଙ୍କ ସମେତ ସ୍ପିନ୍ ଯୋଡ଼ି ଅକ୍ଷର ପଟେଲ ଓ ଯଜୁବେନ୍ଦ୍ର ଚହଲ ଭଲ ଲୟରେ ରହିଛନ୍ତି । ଯାହାକି ଭାରତକୁ ଅଧିକ ଶକ୍ତିଶାଳୀ କରିଛି । ପ୍ରଥମ ମ୍ୟାଚ୍ରେ ପଦାର୍ପଣ କରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟଷ ଆୟର ବ୍ୟାଟିଂ କରିବାକୁ ସୁଯୋଗ ପାଇନଥିଲେ । ତେବେ ସେ ଦ୍ୱିତୀୟ ମ୍ୟାଚ୍ରେ ସୁଯୋଗ ପାଇବା ଆଶାରେ ରହିଛନ୍ତି । ପୂର୍ବଭଳି ମହେନ୍ଦ୍ର ସିଂହ ଧୋନି ଓ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସିରିଜ୍ ଜିତିବା ସହ ଦଳ ଦବ୍ଦବା ବଜାୟ ରଖିବ ବୋଲି କୋହଲି ମ୍ୟାଚ୍ ପୂର୍ବବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଦୃଢେ଼ାକ୍ତି ଦେଇଛନ୍ତି ।
ଭ୍ରମଣକାରୀ ନୁ୍ୟଜିଲାଣ୍ଡ ପ୍ରଥମ ଟ୍ୱେଣ୍ଟି-୨୦ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଦୁଇ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସାଉଦି ଏବଂ ବ୍ୟାଟ୍ସମ୍ୟାନ୍ ଟମ୍ ଲାଥମଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ଖେଳାଳି ସ୍ଥିର ପ୍ରଦର୍ଶନ କରି ପାରିନଥିଲେ । ଯାହାକି ନୁ୍ୟଜିଲାଣ୍ଡ ପରାଜୟର ମୁଖ୍ୟ କାରଣ ହୋଇଥିଲା । ଫଳରେ ଟ୍ୱେଣ୍ଟି-୨୦ରେ ନୁ୍ୟଜିଲାଣ୍ଡର ଆଧିପତ୍ୟ ବି ଶେଷ ହୋଇଯାଇଥିଲା । ତଥାପି ଦଳ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି । ଅଧିନାୟକ କେନ୍ ୱିଲିୟମସନ୍ଙ୍କ ନେତୃତ୍ୱାଧିନ ନୁ୍ୟଜିଲାଣ୍ଡ ଦଳ ଦ୍ୱିତୀୟ ମ୍ୟାଚ୍ ପାଇଁ ଜୋରଦାର ଅଭ୍ୟାସ କରିଛନ୍ତି । ପୂର୍ବ ପରାଜୟକୁ ଭୁଲି ଆମେ ବିଜୟ ଲକ୍ଷ୍ୟ ନେଇ ମଇଦାନ୍କୁ ଓହ୍ଲାଇବୁ ବୋଲି ୱିଲିୟମସନ୍ ପ୍ରକାଶ କରିଛନ୍ତି ।


    

Maximum 500 characters