Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

ଭିତରକନିକା ଓ ସାତଭାୟାରେ ବିଦେଶୀ ପକ୍ଷୀଙ୍କ କଳରବ

Date: Nov 4, 2017    Views: 28


ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ, ସାତଭାୟାର ପକ୍ଷୀବିହାର, ବରୁଣେଇ ମୁହାଣ ଓ ଜଉଦିଆ, ଚିଚିଂରୀ ମୁହାଣ, ପ୍ରହରାଜପୁର ପଠା ପ୍ରଭୃତି ଅଂଚଳ ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଛି । ଅଧିକ ଶୀତ ଓ ଖାଦ୍ୟ ଅଭାବରୁ ରକ୍ଷା ପାଇବା ପାଇଁ ପକ୍ଷୀମାନେ ଦେଶାନ୍ତର ହୋଇଥାନ୍ତି । କାହିଁ କେଉଁ ଆବହମାନ କାଳରୁ ପକ୍ଷୀମାନେ ଦେଶାନ୍ତରୀ ହେଉଥିବା ନଜିର ରହିଛି । ସୁଦୂର ସାଇବେରିଆ, ଋଷିଆ, ଚୀନ, ତିବ୍ତ, ମଙ୍ଗୋଲିଆ ପ୍ରଭୃତି ଶୀତ ପ୍ରଧାନ ଦେଶମାନଙ୍କରେ ଅଧିକ ଶୀତ ଓ ଖାଦ୍ୟ ଅଭାବ ଦୂର ପାଇଁ ସେମାନେ ଭିତରକନିକାରେ ଥିବା ବିଭିନ୍ନ ପାଟିଆ ଓ ଏହାର ନଦୀନାଳ ପ୍ରଭୃତିରେ ବିଶେଷକରି ପକ୍ଷୀବିହାର ଭାବେ ପରିଚିତ ସାତଭାୟା ପାଟିଆରେ ନର୍ଦ୍ଧନ ପିନ୍ଟେଲ, ନର୍ଦ୍ଧନ ଶୋଭେଲର, କମନଟିଲ୍, କମନକୁକ୍,ଗାର୍ଗେନି, ଗଡୱାଲ, ୟୁରୋସିଆନ ଉୟେନ,ଓଏଷ୍ଟର କାଟାପର ପ୍ରଭୃତି ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ସହ ଦେଶୀୟ ପକ୍ଷୀ ପାଣିକୂଆ, ଗେଣ୍ଡାଳିଆ, କପରଖାଇ, ଅଂଜନା, ରାଣୀବଗଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଏହି ଅଂଚଳରେ ପ୍ରଚୁର ପରିମାଣରେ ମାଛ, କଙ୍କଡା ଓ ଅନ୍ୟାନ୍ୟ ପୋକଜୋକ ଉପଲବ୍ଧ ହେଉଥିବାରୁ ଏବଂ ଶୀତ କମ ଥିବାରୁ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ବିଦେଶୀ ପକ୍ଷୀ ଦେଖିବାକୁ ମିଳିବେ । ଏହାଙ୍କୁ ଦେଖିବା ପାଇଁ ସାତଭାୟା ଅଂଚଳକୁ ବହୁ ପର୍ଯ୍ୟଟକ ଯାଉଥିବା ଦେଖିବାକୁ ମିଳିଛି । ଏମାନଙ୍କ ସୁରକ୍ଷା ପାଇଁ ବନକର୍ମଚାରୀଙ୍କୁ ସଜାଗ ରଖାଯାଇଛି ବୋଲି ବନଖଣ୍ଡ ଅଧିକାରୀ ବିମଳପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଅଧିକ ଶୀତ ଓ ଖାଦ୍ୟାଭାବରୁ ରକ୍ଷା ପାଇବା ପାଇଁ ଏଅଂଚଳକୁ ଆସିଥିବା ଏହି ବିଦେଶୀ ପକ୍ଷୀ ସମୁହ ଗ୍ରୀଷ୍ମ ଋତୁର ଆରମ୍ଭରେ ପୁନର୍ବାର ନିଜସ୍ଥାନକୁ ଚାଲିଯାଇଥାନ୍ତି । ପ୍ରତିବର୍ଷ ପକ୍ଷୀମାନଙ୍କର ଦେଶାନ୍ତର ,ବିଶେଷକରି ଆକାଶରେ ଭି ଆକୃତିରେ ଉଡୁଥିବାର ଦୃଶ୍ୟ ବେଶ ମନୋରମ ।


    

Maximum 500 characters