Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ପ୍ରଥମ ଟ୍ୱେଣ୍ଟି-୨୦ରେ ହାରିଲା ନୁ୍ୟଜିଲାଣ୍ଡ

Date: Nov 2, 2017    Views: 28

 

ନୂଆଦିଲ୍ଲୀ: ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ଶିଖର ଧାବନଙ୍କ ଦମ୍ଦାର ଅର୍ଦ୍ଧଶତକ ସାଙ୍ଗକୁ ବୋଲିଂ ବିଭାଗର ମାପଚୁପ ବୋଲିଂକୁ ପାଥେୟ କରି ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟ୍ୱେଣ୍ଟି-୨୦ରେ ନୁ୍ୟଜିଲାଣ୍ଡକୁ ୫୩ ରନ୍ରେ ମାତ୍ ଦେଇ ସହଜ ବିଜୟ ହାସଲ କରିଛି । ଏଥିସହ ମ୍ୟାନ୍ ଇନ୍ ବ୍ଲୁ ଦଳ ବରିଷ୍ଠ ପେସ୍ ବୋଲର ଆଶିଷ ନେହେରାଙ୍କ ବିଦାୟୀ ମ୍ୟାଚ୍ରେ ନୁ୍ୟଜିଲାଣ୍ଡ ବିପକ୍ଷରେ ପରାଜୟଧାରା ଭାଙ୍ଗିଛି । ଫଳରେ ଟ୍ୱେଣ୍ଟି-୨୦ରେ ନୁ୍ୟଜିଲାଣ୍ଡର ଦବ୍ଦବା ଶେଷ ହୋଇଯାଇଛି । ନୁ୍ୟଜିଲାଣ୍ଡ ପୂର୍ବରୁ ଭାରତ ବିପକ୍ଷରେ ୫ଟି ମ୍ୟାଚ୍ ଖେଳି ଅପରାଜେୟ ରହିଥିଲା । ଶେଷରେ ଭାରତ ଟ୍ୱେଣ୍ଟି-୨୦ରେ ବି ନୁ୍ୟଜିଲାଣ୍ଡକୁ ଧୂଳି ଚଟାଇଛି । ଉକ୍ତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ହରାଇ ୨୦୨ ରନ୍ର ବୃହତ ସ୍କୋର କରିଥିଲା । ଜବାବରେ ନୁ୍ୟଜିଲାଣ୍ଡ ନିର୍ଦ୍ଧାରିତ ଓଭର ଖେଳି ୮ ୱିକେଟ୍ ବିନିମୟରେ ୧୪୯ ରନ୍ କରି ପରାଜୟବରଣ କରିଛି । ନୁ୍ୟଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍ ୱିଲିୟମସନ୍ ୨୮, ଟମ୍ ଲାଥମ ୩୯, ମିଚେଲ ସାଣ୍ଟନର ଅପରାଜିତ ୨୭ ରନ୍ କରିଥିଲେ । ଭାରତର ସଫଳ ବୋଲର ଯଜୁବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ୨ଟି କରି ୱିକେଟ୍ ନେଇଥିଲେ ।
ସ୍ଥାନୀୟ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆମନ୍ତ୍ରଣ ପାଇ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଦୁଇ ଇନ୍ ଫର୍ମ ଓପନର ରୋହିତ ଓ ଧାବନ ପ୍ରଥମରୁ ଧୂଆଁଧାର ବ୍ୟାଟିଂ କରିଥିଲେ । ଦୁହେଁ ନୁ୍ୟଜିଲାଣ୍ଡ ବୋଲରଙ୍କୁ ନିର୍ମମ ଛେଚିଥିଲେ । ରୋହିତ ଓ ଧାବନ ଛକା ଓ ଚୌକା ବର୍ଷା କରିଥିଲେ । ଦୁଇ ଓପନରଙ୍କ ଆଗରେ ନୁ୍ୟଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ଙ୍କ ସମସ୍ତ ଚାଲ ଫେଲ୍ ମାରିଥିଲା । ଏପରିକି ରୋହିତ-ଧାବନ ଯୋଡ଼ି ୧୫୦ ରନ୍ର ବୃହତ ଭାଗିଦାରୀ ଯୋଗଦାନ କରି ଭାରତକୁ ଭଲ ସ୍ଥିତି ଦେଇଥିଲେ । ତେବେ ନୁ୍ୟଜିଲାଣ୍ଡ ସ୍ପିନର ଇଶ୍ ସୋଢ଼ୀ ସେଟ୍ ବ୍ୟାଟ୍ସମ୍ୟାନ୍ ଧାବନଙ୍କୁ ଆଉଟ୍ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ । ଧାବନ ୫୨ ବଲ୍ରୁ ୧୦ ଚୌକା ଓ ୨ ଛକା ସହ ୮୦ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତାଙ୍କ ସ୍ଥାନରେ ହାର୍ଦ୍ଧିକ ପାଣ୍ଡ୍ୟା ଖେଳିବାକୁ ଆସିଥିଲେ । ଅଧିନାୟକ କୋହଲି ଅଲରାଉଣ୍ଡର ପାଣ୍ଡ୍ୟାଙ୍କୁ ନେଇ କରିଥିବା ଯୋଜନା ଫେଲ୍ ମାରିଥିଲା । ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ସୋଢ଼ୀଙ୍କ ଶିକାର ପାଲଟିଥିଲେ । ପରେ ରୋହିତ ଓ କୋହଲି ଇନିଂସ୍କୁ ଆଗକୁ ନେଇଥିଲେ । କୋହଲି ଆରମ୍ଭରୁ ଗିଅର ବଦଳାଇବା ସହ ଆକ୍ରାମକ ବ୍ୟାଟିଂ କରିଥିଲେ । ଅନ୍ୟପଟେ ରୋହିତ ୮୦ (୫୫ ବଲ୍, ୬ ଚୌକା, ୪ ଛକା) ରନ୍ କରି ଆଉଟ୍ ହୋଇଯାଇଥିଲେ । ତେବେ କୋହଲି ଅପରାଜିତ ୨୬ (୧୧ ବଲ୍, ୩ ଛକା) ଓ ଧୋନି ଅପରାଜିତ ୭ ରନ୍ ଯୋଗଦାନ କରି ଭାରତକୁ ୩ ୱିକେଟ୍ରେ ୨୦୨ ରନ୍ର ଦୃଢ଼ ସ୍ଥିତି ପ୍ରଦାନ କରିଥିଲେ । ନୁ୍ୟଜିଲାଣ୍ଡ ବୋଲର ସୋଢ଼ୀ ୨ଟି ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ୱିକେଟ୍ ନେଇଥିଲେ ।


    

Maximum 500 characters