Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

ଆଜି ଭାରତ-ନୁ୍ୟଜିଲାଣ୍ଡ ପ୍ରଥମ ଟ୍ୱେଣ୍ଟି-୨୦

Date: Nov 1, 2017    Views: 29

 

ନୂଆଦିଲ୍ଲୀ: ବୁଧବାର ସ୍ଥାନୀୟ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଖେଳାଯିବ ଭାରତ-ନୁ୍ୟଜିଲାଣ୍ଡ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଭାରତ ଟ୍ୱେଣ୍ଟି-୨୦ରେ ନୁ୍ୟଜିଲାଣ୍ଡକୁ ହରାଇବାରେ ବିଫଳ ରହିଛି । ପୂର୍ବରୁ ଭାରତ ଓ ନୁ୍ୟଜିଲାଣ୍ଡ ପାଞ୍ଚଥର ଟ୍ୱେଣ୍ଟି-୨୦ରେ ମୁହାଁମୁହିଁ ହୋଇଥିବାବେଳେ ଏଥିରେ ନୁ୍ୟଜିଲାଣ୍ଡ ଅପରାଜେୟ ରହିଛି । ତେଣୁ ଭାରତ ନୂଆଦିଲ୍ଲୀ ଟ୍ୱେଣ୍ଟି-୨୦ ଜିତି ପରାଜୟଧାରା ଭାଙ୍ଗିବା ଲକ୍ଷ୍ୟରେ ରହିଛି । ଭାରତ ୨୦୦୭ ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ନୁ୍ୟଜିଲାଣ୍ଡକୁ ପ୍ରଥମଥର ଭେଟିଥିଲା । ଏଥିରେ ଭାରତ ୧୦ ରନ୍ରେ ପରାସ୍ତ ହୋଇଥିଲା । ପରେ ଭାରତ ୨୦୦୯ରେ ନୁ୍ୟଜିଲାଣ୍ଡ ଗସ୍ତ କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳି ୦-୨ରେ ପରାସ୍ତ ହୋଇଥିବାବେଳେ ୨୦୧୨ରେ ଘରୋଇ ମାଟିରେ ଭାରତ ଏକମାତ୍ର ଟ୍ୱେଣ୍ଟି-୨୦ ମ୍ୟାଚ୍ ହାରି ଯାଇଥିଲା । ୨୦୧୬ ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ଭାରତ-ନୁ୍ୟଜିଲାଣ୍ଡ ଶେଷଥର ପାଇଁ ସାମ୍ନାସାମ୍ନି ହୋଇଥିବାବେଳେ ଏଥିରେ ନୁ୍ୟଜିଲାଣ୍ଡ ବିଜୟୀ ହୋଇଥିଲା । ତେବେ ନୁ୍ୟଜିଲାଣ୍ଡ ଭାରତ ବିପକ୍ଷରେ ତା’ର ପୂର୍ବ ଦବ୍ଦବା ଜାରି ରଖିବା ନେଇ ଆଶାବାଦୀ ରହିଛି । ଘରୋଇ ମାଟିରେ ଭାରତ ବିଜୟର ସ୍ୱାଦ ଚାଖିବ ବୋଲି କ୍ରିକେଟ୍ ବିଶେଷଜ୍ଞ ଆକଳନ କରିଛନ୍ତି ।
ଚଳିତ ସିଜିନରେ ବିରାଟ କୋହଲିଙ୍କ ନେତୃତ୍ୱାଧିନ ମ୍ୟାନ୍ ଇନ୍ ବ୍ଲୁ ଦଳ ନିକଟରେ ଇଂଲଣ୍ଡ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍ ଜିତି ଦୃଢ଼ ମନୋବଳରେ ରହିଛି । ଏପରିକି ସଦ୍ୟଶେଷ ନୁ୍ୟଜିଲାଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୧ରେ ଜିତି ଭାରତ ଭଲ ଲୟରେ ରହିଛି । ବର୍ତ୍ତମାନର ପ୍ରଦର୍ଶନ ଭାରତକୁ ବିଜୟ ଦାବିଦାର କରିଛି । ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ୍ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶ ଅସ୍ପଷ୍ଟ ରହିଛି । ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟଷ ଆୟର ପଦାର୍ପଣ କରିବା ସମ୍ଭାବନା ରହିଛି । ଅନ୍ୟପଟେ ଏହି ମ୍ୟାଚ୍ ବରିଷ୍ଠ ପେସ୍ ବୋଲର ଆଶିଷ ନେହେରାଙ୍କ ପାଇଁ ଶେଷ ମ୍ୟାଚ୍ ହେବ । ତେଣୁ ନେହେରାଙ୍କୁ ବିଜୟ ବିଦାୟ ଦେବାକୁ କୋହଲିସେନା  ଲକ୍ଷ୍ୟ ରଖିଛି । ଦିନିକିଆ ଭଳି ଟ୍ୱେଣ୍ଟି-୨୦ରେ ବି ଓପନର ରୋହିତ ଶର୍ମା, କୋହଲି, ପେସ୍ ବୋଲର ଜସ୍ପ୍ରୀତ ବୁମ୍ରା ନୁ୍ୟଜିଲାଣ୍ଡ ଦଳ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରନ୍ତି । ଟ୍ୱେଣ୍ଟି-୨୦ରେ ବି ଭାରତ ତା’ର ଦବ୍ଦବା ଜାରି ରଖିବ ବୋଲି କୋହଲି ପ୍ରକାଶ କରିଛନ୍ତି ।
ଦିନିକିଆରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ସିରିଜ୍ ପରାଜୟବରଣ କରିଥିବା ନୁ୍ୟଜିଲାଣ୍ଡ ଟ୍ୱେଣ୍ଟି-୨୦ରେ ଶ୍ରେଷ୍ଠ ପ୍ରଦର୍ଶନ ନେଇ ଆଶାବାଦୀ ରହିଛି । ରେକଡର଼୍ ବି ନୁ୍ୟଜିଲାଣ୍ଡ ସପକ୍ଷରେ ରହିଛି । ଟ୍ୱେଣ୍ଟି-୨୦ରେ ନୁ୍ୟଜିଲାଣ୍ଡ ପୂର୍ବରୁ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ଭାରତ ବିପକ୍ଷରେ ଅପରାଜେୟ ରହିଛି । ଯାହାକି ଦଳୀୟ ଖେଳାଳିଙ୍କ ମନୋବଳ ଦୃଢ଼ କରିଛି । ଦଳରେ ଅନେକ ଅଭିଜ୍ଞ ଓ ଦକ୍ଷତା ସଂପନ୍ନ ଖେଳାଳି ରହିଛନ୍ତି । ଓପନର ମାର୍ଟିନ ଗୁପଟିଲ, ଅଧିନାୟକ କେନ୍ ୱିଲିୟମସନ୍, ଟମ୍ ଲାଥମ, କଲିନ୍ ମୁନ୍ରୋ, ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଟିମ୍ ସାଉଦି ଭାରତ ପାଇଁ ବିପଦଜନକ ରହିଛନ୍ତି । ଟ୍ୱେଣ୍ଟି-୨୦ରେ ଦଳ ପୂର୍ବ ରେକଡର଼୍ ବଜାୟ ରଖିବ ବୋଲି ୱିଲିୟମସନ୍ ଦୃଢେ଼ାକ୍ତି ଦେଇଛନ୍ତି ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଜସ୍ପ୍ରୀତ ବୁମ୍ରା, ଯଜୁବେନ୍ଦ୍ର ଚହଲ, ଶିଖର ଧାବନ, ମହେନ୍ଦ୍ର ସିଂହ ଧୋନି, ଶ୍ରେୟଷ ଆୟର, ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ୍, ଆଶିଷ ନେହେରା, ମନୀଷ ପାଣ୍ଡେ, ହାର୍ଦ୍ଧିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଲୋକେଶ ରାହୁଲ ।
ନୁ୍ୟଜିଲାଣ୍ଡ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ଟଡ୍ ଆସଲେ୍, ଟ୍ରେଣ୍ଟ ବୋଲ୍ଟ, ଟମ୍ ବ୍ରୁସ୍, କଲିନ୍ ଡି’ ଗ୍ରାଣ୍ଡହୋମ୍, ମାର୍ଟିନ ଗୁପଟିଲ, ମ୍ୟାଟ୍ଟ ହେନ୍ରି, ଟମ୍ ଲାଥମ, ହେନ୍ରି ନିକୋଲ୍ସ, ଆଦାମ ମିଲ୍ନେ, କଲିନ୍ ମୁନ୍ରୋ, ଗ୍ଲେନ୍ ଫିଲିପ୍, ମିଚେଲ ସାଣ୍ଟନର, ଇଶ୍ ସୋଢ଼ୀ, ଟିମ୍ ସାଉଦି ।


    

Maximum 500 characters