Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

ସହଜ ବ୍ୟବସାୟ ସ୍ଥିତିରେ ୧୦୦ ସ୍ଥାନକୁ ଉଠିଲା ଭାରତ

Date: Nov 1, 2017    Views: 28


ନୂଆଦିଲ୍ଲୀ: ଇଜ୍ ଅଫ୍ ଡୁଇଂ ବିଜନେସ ବା ସହଜରେ ବ୍ୟବସାୟ କରିବା ବର୍ଗୀକରଣରେ ଭାରତର ସ୍ଥାନ ୧୩୦ରୁ ୧୦୦କୁ ଉଠିଛି । ବିଶ୍ୱ ବ୍ୟାଙ୍କ ତରଫରୁ ପ୍ରକାଶ ପାଇଥିବା ବର୍ଗୀକରଣ ତାଲିକାରେ ଭାରତ ୧୯୦ ଦେଶଙ୍କ ମଧ୍ୟରେ ୧୦୦ ସ୍ଥାନରେ ରହିଛି । ଗତ ତିନି ବର୍ଷରେ ହୋଇଥିବା ସଂସ୍କାର ଯୋଗୁଁ ଭାରତରେ ବ୍ୟବସାୟ କରିବା ଅଧିକ ସହଜ ହୋଇଛି ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ।
ବିଶ୍ୱ ବ୍ୟାଙ୍କ ତାଲିକା ଅନୁସାରେ ବ୍ୟାବସାୟିକ ପରିବେଶ ସହଜ କରିବାରେ ସଫଳତା ଅର୍ଜନ କରିଥିବା ସର୍ବୋଚ୍ଚ ୧୦ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି । ତେବେ ଏହି ସଫଳତା ସତ୍ତ୍ୱେ ଭାରତର ସ୍ଥାନ ୧୯୦ ଦେଶ ମଧ୍ୟରେ ଶେଷ ଅଧାରେ ରହିଛି । ତଥାପି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହି ସ୍ଥାନୋନ୍ନତିରେ ଆତ୍ମସନ୍ତୋଷ ପ୍ରକାଶ କରିବା ସହିତ କହିଛନ୍ତି ଯେ ଏହି ରିପୋର୍ଟରେ ସରକାର ଗ୍ରହଣ କରିଥିବା ଅନେକ ନୂତନ ସଂସ୍କାରକୁ ବିବେଚନା କରାଯାଇ ନାହିଁ । ଆଗକୁ ଏସବୁ ସଂସ୍କାରର ମୂଲ୍ୟାୟନ ହେଲେ ଭାରତର ସ୍ଥାନ ସହଜ ବ୍ୟାବସାୟିକ ସ୍ଥିତି ତାଲିକାରେ ନିଶ୍ଚୟ ଅଧିକ ଉପରକୁ ଉଠିବ ।
ବିଶ୍ୱ ବ୍ୟାଙ୍କ ଅନୁସାରେ ସହଜ ବ୍ୟବସାୟ ସ୍ଥିତିର କେତେକ ମାନକରେ ଭାରତ ଅନେକ ଅଗ୍ରଗତି କରିଛି । ଋଣ ମିଳିବା କ୍ଷେତ୍ରରେ ଭାରତର ସ୍ଥାନ ଆଗରୁ ୪୪ ଥିଲାବେଳେ ଏଥର ୨୯କୁ ଉଠିଛି । ସେହିପରି କ୍ଷୁଦ୍ର ନିବେଶକାରୀଙ୍କ ସୁରକ୍ଷା କ୍ଷେତ୍ରରେ ୧୩ ସ୍ଥାନରୁ ୪କୁ ଉଠିଛି ଭାରତ । ଟିକସ ମାମଲା ସୁଧାରିବାରେ ୧୭୨ରୁ ୧୧୯, ଚୁକ୍ତି କାର୍ଯ୍ୟାନ୍ୱୟନରେ ୧୭୨ରୁ ୧୬୪ ସ୍ତାନକୁ ଉନ୍ନୀତ ହୋଇଛି । ତେବେ ସଂପତ୍ତି ପଂଜୀକରଣ କ୍ଷେତ୍ରରେ ଭାରତର ସ୍ଥାନ ୧୩୮ରୁ ୧୫୪କୁ , ବିଦୁ୍ୟତ ସଂଯୋଗ ପାଇବା କ୍ଷେତ୍ରରେ ୨୬ରୁ ୨୯ ଏବଂ ସୀମାପାର ବାଣିଜ୍ୟ କ୍ଷେତ୍ରରେ ୧୪୩ରୁ ୧୪୬କୁ ଖସିଯାଇଛି ।
ଏହି ରିପୋର୍ଟ ଅନୁସାରେ ଭାରତ ବ୍ୟତିତ ଅନ୍ୟ ଯେଉଁ ୯ଟି ଦେଶ ଇଜ୍ ଅଫ୍ ଡୁଇଂ ବିଜନେସରେ ସର୍ବୋଚ୍ଚ ସଫଳତା ହାସଲ କରିଛନ୍ତି ସେସବୁ ଦେଶ ହେଲେ ବ୍ରୁନେଇ, ଇସ୍ରାଏଲ, ଥାଇଲାଣ୍ଡ, ମାଲୱି, କୋସୋଭୋ, ଜାମ୍ବିଆ, ଜିବୋଟି ଓ ଏଲ ସାଲଭାଡର । ଏହି ରିପୋର୍ଟରେ ଏକଥା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଭାରତରେ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ହେଲେ ବୃହତ ବ୍ୟବସାୟ ଅପେକ୍ଷା କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟକୁ ଅଧିକ ପ୍ରୋତ୍ସାହିତ କରାଯିବା ଦରକାର । ପୂର୍ବ ରିପୋର୍ଟରେ ଭାରତ ୧୩୦ତମ ସ୍ଥାନରେ ରହିଥିଲା ।


    

Maximum 500 characters