Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

୧ନଂରେ କୋହିଲି ଓ ମିଥାଲି

Date: Oct 31, 2017    Views: 32


ଦୁବାଇ:ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଆଉଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ଦିନିକିଆ ମାନ୍ୟତାରେ କୋହଲି ଶୀର୍ଷ ସ୍ଥାନକୁ ଫେରିବା ସହ କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକରଙ୍କ ପୂର୍ବ ରେକଡର଼୍କୁ ଭାଙ୍ଗି ଦେଇଛନ୍ତି । ଆଇସିସି ମାନ୍ୟତାର ରେଟିଂ ପଏଣ୍ଟରେ କୋହଲି ମାଷ୍ଟର ବ୍ଲାଷ୍ଟରଙ୍କୁ ଟପି ଯାଇଛନ୍ତି । କୋହଲି ସର୍ବାଧିକ ୮୮୯ ପଏଣ୍ଟ ସହ ରେକଡର଼୍ କରିଛନ୍ତି । ପୂର୍ବରୁ ସଚିନ ୧୯୯୮ରେ ୮୮୭ ପଏଣ୍ଟ ଲାଭ କରିଥିଲେ । ଯାହାକି ଭାରତୀୟ ଖେଳାଳି ସଚିନ ସର୍ବାଧିକ ରେଟିଂ ପଏଣ୍ଟ ପାଇଥିଲେ । କିନ୍ତୁ କୋହଲି ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ସଦ୍ୟଶେଷ ନୁ୍ୟଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ କୋହଲି ଦୁଇଟି ଶତକ ସହ ମୋଟ ୨୬୩ ରନ୍ କରିବା ସହ ଏକନମ୍ବର ସ୍ଥାନ ଦଖଲ କରିଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଡି’ଭିଲିୟର୍ସ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି । ସେହିପରି ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ସପ୍ତମ ସ୍ଥାନ ବଜାୟ ରଖିଥିବାବେଳେ ମହେନ୍ଦ୍ର ସିଂହ ଧୋନି ୧୧ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବୋଲିଂ ମାନ୍ୟତାରେ ଭାରତୀୟ ପେସ୍ ବୋଲର ଜସ୍ପ୍ରୀତ୍ ବୁମ୍ରା କ୍ୟାରିୟର ଶ୍ରେଷ୍ଠ ତୃତୀୟ ସ୍ଥାନ ଦଖଲ କରିଥିବାବେଳେ ସ୍ପିନର ଅକ୍ଷର ପଟେଲ ପୂର୍ବଭଳି ଅଷ୍ଟମ ସ୍ଥାନ ବଜାୟ ରଖିଛନ୍ତି । ପାକିସ୍ଥାନର ହାସନ ଅଲ୍ଲୀ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡର ମାନ୍ୟତାର ଟପ୍-୧୦ରେ କୌଣସି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନି । ପାକିସ୍ଥାନର ମହମ୍ମଦ ହାଫିଜ୍ ଏକନମ୍ବର ସ୍ଥାନ ବଜାୟ ରଖିଛନ୍ତି ।
ସେହିପରି ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ମହିଳା ଦିନିକିଆ ମାନ୍ୟତା ଭାରତୀୟ ଖେଳାଳିଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଭାରତୀୟ ଦଳ ଅଧିନାୟିକା ମିଥାଲି ରାଜ ଏକନମ୍ବର ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ଲାଭ କରିଛନ୍ତି । ସେ ମୋଟ ୭୫୩ ପଏଣ୍ଟ ସହ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ଅନ୍ୟପକ୍ଷରେ ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଏଲିସ ପେରି ଦ୍ୱିତୀୟ ଓ ନୁ୍ୟଜିଲାଣ୍ଡର ଆମି ସାଟ୍ଟର୍ଥୱେଟ୍ ତୃତୀୟ ସ୍ଥାନ ଲାଭ କରିଛନ୍ତି । ତେବେ ପୂର୍ବତନ ଏକନମ୍ବର ଅଷ୍ଟ୍ରେଲୀୟ ଖେଳାଳି ମେଗ୍ ଲାନିଙ୍ଗ୍ ଚତୁର୍ଥ ସ୍ଥାନକୁ ଖସି ଯାଇଛନ୍ତି । ସେହିପରି ବୋଲିଂ ମାନ୍ୟତାରେ ଭାରତୀୟ ପେସ୍ ବୋଲର ଝୁଲଣ ଗୋସ୍ୱାମୀ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଝୁଲଣ ମୋଟ ୬୫୨ ପଏଣ୍ଟ ପାଇଛନ୍ତି । ଦକ୍ଷିଣ ଆଫ୍ରିକା ପେସ୍ ବୋଲର ମରିଜାନେ କାପ୍ ସର୍ବାଧିକ ୬୫୬ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି । ଦଳୀୟ ମାନ୍ୟତାରେ ଅଷ୍ଟ୍ରେଲିଆ ମୋଟ ୧୨୯ ପଏଣ୍ଟ ସହ ଏକନମ୍ବର ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଇଂଲଣ୍ଡ ୧୨୭ ପଏଣ୍ଟ ସହ ଦ୍ୱିତୀୟ, ନୁ୍ୟଜିଲାଣ୍ଡ ୧୧୮ ପଏଣ୍ଟ ସହ ତୃତୀୟ, ଭାରତ ୧୧୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।


    

Maximum 500 characters