Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

ନିଷିଦ୍ଧ ନୋଟର ଯାଞ୍ଚ ସାରିନାହିଁ ଆରବିଆଇ

Date: Oct 30, 2017    Views: 16


ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣ ନିଷ୍ପତ୍ତିକୁ ବର୍ଷ ପୂରିବା ପାଇଁ ଆଉ ମାତ୍ର କେଇଟି ଦିନ ବାକି । ତଥାପି ବ୍ୟାଙ୍କକୁ ଫେରିଥିବା ନିଷିଦ୍ଧ ନୋଟର ଯାଞ୍ଚ ସାରିନାହିଁ ଭାରତୀୟ ରିଜର୍ଭ ବ୍ୟାଙ୍କ । ଉନ୍ନତ ଧରଣର ନୋଟ ଯାଞ୍ଚ ବ୍ୟବସ୍ଥାରେ ଏସବୁ ନୋଟକୁ ଦିନରାତି ଲାଗି ଯାଞ୍ଚ କରାଯାଉଛି ବୋଲି ଏକ ଆରଟିଆଇ ପ୍ରଶ୍ନର ଉତ୍ତରରେ ରିଜର୍ଭ ବ୍ୟାଙ୍କ କହିଛି । ସୂଚନା ଅଧିକାର ଆଇନ ବଳରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୫.୬୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୧୩୪ କୋଟି ଖଣ୍ଡ ୫୦୦ ଟଙ୍କିଆ ଏବଂ ୫.୨୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫୨୪.୯୦ କୋଟି ଖଣ୍ଡ ୧୦୦୦ ଟଙ୍କିଆ ନୋଟର ଯାଞ୍ଚ ସରିଛି । ଏସବୁ ନୋଟର ମୋଟ ମୂଲ୍ୟ ହେଉଛି ୧୦.୯୧ ଲକ୍ଷ କୋଟି ଟଙ୍କା ।
ଏକ ସମ୍ବାଦ ସରବରାହ ସଂସ୍ଥା ଆରଟିଆଇ ଆଇନ ବଳରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଯେ ଦୁଇଟି ସିଫ୍ଟରେ ୬୬ଟି ଅତ୍ୟାଧୁନିକ ନୋଟ ଗଣା ଯନ୍ତ୍ର ବ୍ୟବହାର କରି ଏହିସବୁ ନିଷିଦ୍ଧ ନୋଟର ଗଣତି ଚାଲିଛି । କେବେ ସୁଦ୍ଧା ନିଷିଦ୍ଧ ନୋଟର ଗଣତି ସରିବ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ରିଜର୍ଭ ବ୍ୟାଙ୍କ କହିଛି ଯେ ଏହା ଏକ ଚିରନ୍ତନ ପ୍ରକ୍ରିୟା ।
୨୦୧୬-୧୭ ବର୍ଷର ବାର୍ଷିକ ରିପୋର୍ଟରେ ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ୧୫.୨୮ ଲକ୍ଷ କୋଟି ଟଙ୍କାର ନିଷିଦ୍ଧ ହୋଇଥିବା ୧୦୦୦ ଓ ୫୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରି ଆସିଛି । ଏହା ହେଉଛି ମୋଟ ନିଷିଦ୍ଧ ନୋଟର ୯୯ ପ୍ରତିଶତ । ଜୁନ୍ ୩୦ ତାରିଖ ସୁଦ୍ଧା ମାତ୍ର ୧୬,୦୫୦ ଖଣ୍ଡ ନୋଟ୍ ବ୍ୟାଙ୍କକୁ ଫେରି ନାହିଁ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଥିଲା । ଏହି ରିପୋର୍ଟରେ ରହିଥିବା ତଥ୍ୟ ଅନୁଯାୟୀ ୨୦୧୬ ନଭେମ୍ବର ୮ ତାରିଖ ସୁଦ୍ଧା ଦେଶରେ ୧୭୧୬.୫ କୋଟି ଖଣ୍ଡ ୫୦୦ ଟଙ୍କିଆ ଏବଂ ୬୮୫.୮ କୋଟି ଖଣ୍ଡ ୧୦୦୦ ଟଙ୍କିଆ ନୋଟ ପ୍ରଚଳନରେ ଥିଲା । ଏହାର ମୋଟ ମୂଲ୍ୟ ହେଉଛି ୧୫.୪୪ ଲକ୍ଷ କୋଟି ଟଙ୍କା । ଗତ ବର୍ଷ ନଭେମ୍ବର ୮ ତାରିଖରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦୦ ଓ ୫୦୦ ଟଙ୍କିଆ ନୋଟକୁ ନିଷିଦ୍ଧ କରିଥିଲେ ।
ବିମୁଦ୍ରାକରଣ ପରେ ନୂଆ ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍ ଛାପିବା ବାବଦରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୭୯୬୫ କୋଟି ଟଙ୍କା ଖର୍ଚ୍ଚ କରିଛି । ପୂର୍ବ ବର୍ଷ ଏହି ପରିମାଣର ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍ ଛାପିବାରେ ଖର୍ଚ୍ଚ ହୋଇଥିଲା ୩୪୨୧ କୋଟି ଟଙ୍କା ।


    

Maximum 500 characters