ମୁଖ୍ୟ ଖବର
ରଗଡି: ଗାଁର ବିକାଶକୁ ପ୍ରଧାନ୍ୟତା ଦିଆଯାଇ କେନ୍ଦ୍ର ଏବଂ ରାଜ୍ୟ ସରକାର କୋଟି କୋଟି ଟଙ୍କାରେ ଯୋଜନା କରୁଛନ୍ତି । ରାଜ୍ୟର ବିଜୁ ଜନତା ଦଳ ସରକାର ଗାଁର ବିକାଶ କଥା କହୁଛନ୍ତି । କିନ୍ତୁ ଯୋଜନା ଏବଂ କହିବାର ବାସ୍ତବତା କ୍ଷେତ୍ରରେ ଅନେକ ଭିନ୍ନତା ପରିଲକ୍ଷିତ ହେଉଛି । କୋରେଇ ବ୍ଲକ ଅର୍ନ୍ତଗତ ତୁଳତୀ ପଞ୍ଚାୟତର (ସାଇଣ୍ଟୋ) କଣ୍ଡରାଗଡିଆ ଗ୍ରାମ ହେଉଛି ଏହାର ଏକ ଉଦାହରଣ । ଯେଉଁ ଗାଁରେ ବିକାଶର ଛିଟା ପଡ଼ିନଥିବା ବେଳେ ଏବେବି ସଂପୃକ୍ତ ଗାଁଟି ଅବହେଳିତ ଅବସ୍ଥାରେ ରହିଛି । ବ୍ଲକରୁ ମାତ୍ର ୫ କିମି ଭିତରେ ଥିବା ଏହି ଗ୍ରାମକୁ ନାହିଁ ରାସ୍ତା, ପାନୀୟଜଳ ସମସ୍ୟା ଯୋଗୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମରେ ୭୦ ପରିବାରର ୫ ଶହରୁ ଊଦ୍ଧ୍ୱର୍ ଲୋକ ରହୁଥିବାବେଳେ ବିକାଶ ସେମାନଙ୍କ ପାଇଁ ସାତସପନ ହୋଇ ରହିଯାଇଛି । ଗ୍ରାମବାସୀଙ୍କୁ ପାଦରେ ଚାଲି ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ । ଗ୍ରାମରେ ପାନୀୟ ଜଳର କୈାଣସି ସୁବିଧା ନଥିବାରୁ ପିଇବା ପାଣି ଟୋପେ ପାଇଁ ଲୋକମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଉତ୍ତମ ରାସ୍ତା ନଥିବାରୁ ଗ୍ରାମର ଲୋକେ ଯାନବାହାନରେ ଯିବା ଆସିବା କରିପାରନ୍ତି ନାହିଁ । ବର୍ଷା ଦିନ ଆସିଲେ ଗ୍ରାମବାସୀଙ୍କ ଯାତାୟତ ସ୍ଥିତି ଶୋଚନୀୟ ହୋଇପଡେ । ସ୍ୱାସ୍ଥ୍ୟ ସେବା ଏଠି ସାତ ସପନ । ଗାଁ ଗାଁ ବୁଲି ବିଭିନ୍ନ କାର୍ଯ୍ୟକ୍ରମ ତଥା ସଭାସମିତିରେ ନବୀନ ସରକାରର ପାରିବା ପଣିଆ କଥା ବୁଝାଉଥିବା ବିଧାୟକଙ୍କ ପାଦ ଏ ଗ୍ରାମରେ ନିର୍ବାଚନ ପରେ କେବେବି ପଡିନଥିବା ଅଭିଯୋଗ ହୋଇଛି ।
କୃଷି ଓ ଦୈନିକ ମଜୁରୀବ ଖଟି ପେଟ ପୋଷୁଥିବା ଆଦିବାସୀମାନେ ଦୁର୍ଗମ ଅଞ୍ଚଳ ନହୋଇ ମଧ୍ୟ ବିକାଶର ଛିଟା ବାଜି ନଥିବା ଗାଁ ସମସ୍ତଙ୍କ ପାଇଁ ଅଲୋଡା ବୋଲି ବୁଝିସାରିଲେଣି । ଅନେକ ପରିବାର ଝୁମ୍ପୁଡି କୁଡିଆ ଘରେ ବାସ କରୁଛନ୍ତି । ଏଠାକାର ଲୋକେ ପୋଖରୀ ଉପରେ ନିର୍ଭର କରୁଥିବାବେଳେ ଦୀର୍ଘ ବର୍ଷ ଧରି ପୋଖରୀ ପୁନରୁଦ୍ଧାର କରାଯାଇନଥିବାରୁ ପୋଖରୀ ପୋତି ହୋଇଗଲାଣି । ଜଳ ଅଭାବ ଓ ସେଥିଉପରେ ଗ୍ରାମବାସୀଙ୍କ ସମେତଗୃହ ପାଳିତ ପଶୁ କାରବାର କରୁଥିବାରୁ ପୋଖରୀ ଜଳ ଅପରିସ୍କାର ହେବା ସହିତ ଜଳ ବ୍ୟବହାର କରିବା ଲୋକେ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଣେ ଗ୍ରାମରେ ସ୍କୁଲ ନଥିବାରୁ ୨ କିଲୋମିଟର ଦୁରସ୍କୁଲକୁ ପାଠପଢିବାକୁ ଛୋଟ ଛୋଟ ପିଲାଙ୍କୁ ଯିବାକୁ ପଡୁଛି । ଗ୍ରାମରେ ଥିବା ଟ୍ରାନ୍ସଫରମର ଠାରୁ ବହୁ ଦୂରକୁ ତାର ସଂଯୋଗ କରାଯାଇ ବିଦୁ୍ୟତ ସଂଯୋଗ କରାଯାଇଥିଲେ ମଧ୍ୟ ଇଲେକ୍ଟ୍ରି ଖୁଣ୍ଟ ନଥିବା ଦେଖିବାକୁ ମିଳିଛି । ବିପଦଶଙ୍କୁଳ ଅବସ୍ଥାରେ ରହିଥିବାରୁ ବିଭିନ୍ନ ସମୟରେ ଗାଈ ଗୋରୁ ଭଳି ଅନ୍ୟ ଜୀବଜନ୍ତୁ ମରିବାର ମଧ୍ୟ ଅଭିଯୋଗ ହୋଇଛି । ପଞ୍ଚାୟତ ବୈଠକରେ ବିଭିନ୍ନ ସମୟରେ ଗ୍ରାମର ସମସ୍ୟା ନେଇ ଆଲୋଚନା ହୋଇଛି ସତ କିନ୍ତୁ ହୋଇପାରିନି ସମାଧାନ । ଏପରିକି ଗ୍ରାମର ରାସ୍ତାଘାଟ ଓ ପାନୀୟ ଜଳର ସମସ୍ୟା ନେଇ ବାରମ୍ବାର ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିରୁ କିଛି ସୁଫଳ ମିଳିପାରିନାହିଁ । ଗ୍ରାମର ଅଧିକାଂଶ ଏବେବି ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଥିଲେ ମଧ୍ୟ ସେମାନଙ୍କ ଅଭିଯୋଗକୁ ପ୍ରଶାସନ କିମ୍ବା ସ୍ଥାନୀୟ ନେତୃବୃନ୍ଦ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
ସେହିପରି ବୟସ ହୋଇଥିଲେ ମଧ୍ୟ ଭତ୍ତା ପାଇବାରୁୁ କିଛି ବୃଦ୍ଧ ଓ ବୃଦ୍ଧା ବଞ୍ଚିତ ଥିବା ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ମିଳିଛି । ଗାଁରେ ଥିବା ମାଟି ରାସ୍ତାଟି ଅତ୍ୟନ୍ତ ଖରାପ ହୋଇପଡିଥିବା ବେଳେ ଗ୍ରାମ ମଧ୍ୟକୁ ରାସ୍ତାର ଶୋଚନୀୟ ପରିସ୍ଥିତି ଯୋଗୁ ପ୍ରବେଶ କରିପାରୁନି ଆମ୍ବୁଲାନ୍ସ କି ଦମକଳ ଗାଡି । ସ୍କୁଲ ଯିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ବିପଦ ଶଙ୍କୁଳ ରାସ୍ତାରେ ଯାତାୟତ କରିବାକୁ ପଡୁଛି । ବିଶୁଦ୍ଧ ପାନୀୟ ଜଳ ପରି ଗ୍ରାମରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ତିଆରି ହୋଇପାରିନାହିଁ । ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଦୀର୍ଘ ଦିନ ଧରି ପଞ୍ଚାୟତର ଶାସନ ଦାୟିତ୍ୱ ନେଇଥିବା ସରପଞ୍ଚଙ୍କ ଠାରୁ ରାସ୍ତାର ଦୁରାବସ୍ତା ଦିଗରେ ସୁଧାର ଆଣୀବାକୁ ବହୁବାର ପ୍ରତିଶୃତି ମିଳିଥିଲେ ମଧ୍ୟ ରାଜ୍ୟ ନବୀନ ସରକାରର ୧୭ ବର୍ଷ ପରେ ମଧ୍ୟ ରାସ୍ତା, ବିଜୁଳି, ପନୀୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୈଳିକ ସମସ୍ୟାର ସମାଧାନ ହୋଇନପାରି ଅଧୁରା ରହିଛି । ନୁଆକରି ସରପଞ୍ଚ ଭାର ସମ୍ଭାଳିଥିବା ଦୀପ୍ତିମୟୀ କୁଅଁର ଗ୍ରାମର ସମସ୍ୟା ବିଷୟରେ ଜିଲାପାଳ, ବିଡିଓ ତଥା ବିଧାୟକଙ୍କୁ ଅବଗତ କରିଥିବା କହିଛନ୍ତି । ଏହି ଗରିବ ଆଦିବାସୀ ବହୁଳ ଗ୍ରାମର ସମସ୍ୟା କେବେ ସୁଧୁରୁଛି, ତାହା ଦେଖିବାର ଅଛି ।
Comments ସମସ୍ତ ମତାମତ 0