ମୁଖ୍ୟ ଖବର
ହାଟଡ଼ିହି: ସରକାର ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକୁ ନୂତନ ଗୃହ ଯୋଗାଇ ଦେବା ସହିତ ସୌନ୍ଦର୍ଯ୍ୟକରଣ ଓ ପରିବେଶ ସ୍ୱଚ୍ଛତା, ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଖେଳନା ଓ ଭୋଜନ ଯୋଗାଇ ଦେଉଥିବା ଡ଼ିଣ୍ଡିମ୍ବ ପିଟୁଥିବା ବେଳେ କେନ୍ଦୁଝର ଜିଲାରେ ସରକାରଙ୍କ ଏହି ଯୋଜନାରେ ପ୍ରଶାସନର ଆନ୍ତରିକତାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ବ୍ଲକରେ ମୋଟ ୨୧୯ ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ସେଥିମଧ୍ୟରୁ ମାତ୍ର ୯୫ଟି ଅଙ୍ଗନୱାଡ଼ି କେନ୍ଦ୍ର ନିଜସ୍ୱ ଗୃହରେ ଚାଲୁଥିବା ବେଳେ ଅବଶିଷ୍ଟ କେନ୍ଦ୍ର ଗୁଡ଼ିକ ଦୟନୀୟ ଅବସ୍ଥାରେ ଚାଲିଛି । କେଉଁଠି ଅସୁରକ୍ଷିତ ଗୃହରେ ଶିକ୍ଷାଦାନ ଚାଲୁଥିବା ବେଳେ ତ କେଉଁଠି ଅଙ୍ଗନୱାଡ଼ି କର୍ମୀଙ୍କ ଘର ବାରଣ୍ଡାରେ, ବିଦ୍ୟାଳୟ ବାରଣ୍ଡା, ହେଲପରଙ୍କ ବାରଣ୍ଡାରେ ଓ କେଉଁଠି କମୁ୍ୟନିଟ ସେଣ୍ଟରରେ କେନ୍ଦ୍ର ଚାଲିଛି । ଜିଲା ପ୍ରଶାସନର ଅବହେଳା ପାଇଁ ଏଗୁଡ଼ିକୁ ଠିକ ଭାବରେ ତଦାରଖ କରାଯାଉନଥିବା ସହ ଅଙ୍ଗନୱାଡି କେନ୍ଦ୍ରର ସମସ୍ୟା ଗୁଡ଼ିକ ସୁଧାରୁ ନଥିବାରୁ ବର୍ଷ ବର୍ଷ ଧରି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ନିଜ ଇଚ୍ଛାରେ ଏବଂ ବହୁ କଷ୍ଟରେ ଚାଲିଛି । ବର୍ଷା ହେଲେ ବହୁ ସ୍ଥାନରେ ଅଙ୍ଗନୱାଡ଼ି ଗୁଡ଼ିକରେ ତାଲା ଝୁଲୁଥିବା ବେଳେ ବହୁ ଅପରିଷ୍କାର ଓ ଅସ୍ୱାସ୍ଥ୍ୟ ପରିବେଶ ମଧ୍ୟରେ କେନ୍ଦ୍ର ଗୁଡ଼ିକ ଚାଲିଛି । ସୂଚନା ଅନୁଯାୟୀ ନିଜସ୍ୱ ଗୃହ ନଥିବା କେନ୍ଦ୍ର ଗୁଡ଼ିକ ମଧ୍ୟରୁ ୩୮ ଟି ବିଦ୍ୟାଳୟର ଶ୍ରେଣୀ ଗୃହରେ ଚାଲିଛି । ବିଦ୍ୟାଳୟରେ ଶ୍ରେଣୀ ଗୃହ ନଥିବାରୁ ୩୧ ଟି ବିଦ୍ୟାଳୟର ଶ୍ରେଣୀ ଗୃହ ବାରଣ୍ଡାରେ ଚାଲିଛି । ୪୧ ଟି ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ଚାଲିଥିବା ବେଳେ ୩ ଟି ହେଲପରଙ୍କ ଘରେ ଚାଲିଛି । ଅବଶିଷ୍ଟ କମୁ୍ୟନିଟ୍ ସେଣ୍ଟର ଓ ଅନ୍ୟାନ୍ୟ ଗୃହରେ କେନ୍ଦ୍ର ଗୁଡ଼ିକ ଚାଲିଛି । ତେବେ ହାଟଡ଼ିହି ବ୍ଲକର ଏହି ଯୋଜନା ସରକାରଙ୍କ ଲକ୍ଷ କିଭଳି ପୂରଣ କରିଥିବ ଏହି କେନ୍ଦ୍ର ଗୁଡ଼ିକର ଶିକ୍ଷାଦାନରୁ ଅନୁମେୟ । ନିଜସ୍ୱ ଗୃହ ନଥିବାରୁ କାମଚଳା ଭାବେ ଛାତ୍ରଛାତ୍ରୀଙ୍କୁ ସ୍ନାକ୍ସ ଓ ଭୋଜନ ଦେଇ କର୍ତ୍ତବ୍ୟ ସାରିବାକୁ ପଡ଼ୁଥିବା ବେଳେ ସେମାନଙ୍କ ପାଇଁ କରାଯାଇଥିବା ଶିକ୍ଷାଦାନର ବ୍ୟବସ୍ଥା ଏକ ରକମର ଠପ ହୋଇପଡ଼ିଛି । ପ୍ରାଥମିକ ସ୍ତରରୁ ଏଭଳି ଅବ୍ୟବସ୍ଥା ମଧ୍ୟରେ କେନ୍ଦ୍ର ଗୁଡ଼ିକ ଚାଲୁଥିବାରୁ ସେମାନଙ୍କର ଭବିଷ୍ୟତ କ’ଣନେଇ ପ୍ରଶ୍ନ ଉଠିଛି । ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ସମୀକ୍ଷା ନକଲେ ଆଗାମୀ ଦିନରେ ଏହାର ସମସ୍ୟା ଜଟିଳ ରୂପ ଧାରଣ କରିବ ବୋଲି ଆଶଙ୍କା ପାଇଛି । ଏ ସଂପର୍କରେ ହାଟଡ଼ିହି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ପଚାରିବାରୁ ୨୧୯ ଟି କେନ୍ଦ୍ରରୁ ୯୫ ଟି ନିଜସ୍ୱ ଗୃହରେ କେନ୍ଦ୍ର ଗୁଡ଼ିକ ଚାଲିଥିବା ବେଳେ ବିଦ୍ୟାଳୟ ଗୃହ ଓ ବାରଣ୍ଡାରେ ୬୯ ଟି, ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ୪୧ଟି, ହେଲପରଙ୍କ ଘରେ ୩ ଟି ଓ ଅନ୍ୟାନ୍ୟ ସ୍ଥାନରେ ୧୧ କେନ୍ଦ୍ର ଚାଲିଥିବା କହିଥିଲେ । ନୂତନ ଗୃହ ପାଇ ୯ ଟି ଗୃହର ଟେଣ୍ଡର ହୋଇଥିବା ବେଳେ ପୁର୍ନବାର ୧୬ ଟି ଗୃହର ଅନୁଦାନ ଆସିଛି । ବ୍ଲକ ପ୍ରଶାସନ ପକ୍ଷରୁ ସେଗୁଡ଼ିକ କାର୍ଯ୍ୟାଦେଶ ଦିଆଯାଉଛି । ବିଭିନ୍ନ କେନ୍ଦ୍ର ଗୁଡ଼ିକର ସ୍ଥାନ ନିରୂପଣ ହୋଇ ପାରୁନଥିବାରୁ ଘର ଗୁଡ଼ିକ ହେବାରେ ବିଳମ୍ବ ହେଉଛି ବୋଲି କହିଥିଲେ ।
Comments ସମସ୍ତ ମତାମତ 0