Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

ବିମୁଦ୍ରାକରଣ ଓ ଜିଏସଟି ଯୋଗୁଁ କମିବ ଭାରତର ଅଭିବୃଦ୍ଧି: ଆଇଏମଏଫ

Date: Oct 11, 2017    Views: 101


ନୂଆଦିଲ୍ଲୀ : ବିମୁଦ୍ରାକରଣ ଓ ଦ୍ରବ୍ୟ ଓ ସେବା କର ବା ଜିଏସଟି ଯୋଗୁଁ ମାନେ୍ଦଇ ଯାଇଛି ଭାରତୀୟ ଅର୍ଥନୀତି । ସେଥିପାଇଁ ଅଭିବୃଦ୍ଧି ହାର କମିବ ବୋଲି କହିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ । ଏହି କାରଣରୁ ୨୦୧୭ରେ ଭାରତର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆଇଏମଏଫ ଆକଳନ କରିଛି । ଚଳିତ ବର୍ଷ ଏପ୍ରିଲ ଓ ଜୁଲାଇରେ ଆଇଏମଏଫ ଯେଉଁ ଆକଳନ କରିଥିଲା ତା’ଠାରୁ ଏହି ହାର ୦.୫ ପ୍ରତିଶତ କମ୍ ।
କେବଳ ଏଇ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର କମାଇ ନାହିଁ ଆଇଏମଏଫ । ୨୦୧୮ ବର୍ଷ ପାଇଁ ମଧ୍ୟ ଭାରତର ଅଭିବୃଦ୍ଧି ହାର ପୂର୍ବ ଆକଳନ ଅପେକ୍ଷା ୦.୩ ପ୍ରତିଶତ କମ କରିଛି ଆଇଏମଏଫ । ଗତ ଏପ୍ରିଲ ଓ ଜୁଲାଇ ମାସରେ କରିଥିବା ଆକଳନରେ ଆଇଏମଏଫ କହିଥିଲା ଯେ ୨୦୧୮ ବର୍ଷରେ ଭାରତ ୭.୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ଏବେ ଏହାକୁ ୭.୪ ପ୍ରତିଶତକୁ କମାଇ ଦେଇଛି । ୨୦୧୬ ବର୍ଷରେ ଭାରତ ୭.୧ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଥିଲା ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ପ୍ରକାଶିତ ବିଶ୍ୱ ଆର୍ଥନୀତିକ ଆଭିମୁଖ୍ୟ ସଂପର୍କୀତ ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଆର୍ଥନୀତିକ ଅଭିବୃଦ୍ଧି ହାର ଧିମେଇ ଯାଇଛି । ଏହା ହେଉଛି କର୍ତ୍ତୃପକ୍ଷଙ୍କ ନୀତି, ନୋଟ୍ ପରିବର୍ତ୍ତନ ଓ ବର୍ଷ ଅଧାରେ ଜିଏସଟି ଲାଗୁ କରିବାର ପ୍ରତିଫଳନ । ରିପୋର୍ଟରେ କୁହାଯାଇଛି ସରକାରୀ ଖର୍ଚ୍ଚ ବୃଦ୍ଧି ଓ ତଥ୍ୟ ସଂଶୋଧନ ଜରିଆରେ ୨୦୧୬ ବର୍ଷରେ ୭.୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା । ସେହି ବର୍ଷ ଏପ୍ରିଲରେ ଏହି ହାର ଥିଲା ୬.୮ ପ୍ରତିଶତ । ୨୦୧୪ ଓ ୨୦୧୫ ବର୍ଷର ଅଭିବୃଦ୍ଧି ତୁଳନାରେ ଏହି ହାର ହାରାହାରି ୦.୨ ପ୍ରତିଶତ ଅଧିକ ଥିଲା ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଓ ବିଶ୍ୱ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ପ୍ରକାଶିତ ଏହି ରିପୋର୍ଟରେ ଚୀନର ଅଭିବୃଦ୍ଧି ହାର ଭାରତଠାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ୨୦୧୭ ବର୍ଷରେ ଚୀନର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ହେବ ବୋଲି ଏହି ରିପୋର୍ଟରେ ଆକଳନ କରାଯାଇଛି । ଏପ୍ରିଲ ଓ ଜୁଲାଇ ରିପୋର୍ଟରେ ଏହି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା । ତେବେ ୨୦୧୮ରେ ଚୀନର ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ଖସିଯିବ ବୋଲି ରିପୋର୍ଟରେ କୁହାଯାଇଛି ।
ରିପୋର୍ଟରେ କୁହାଯାଇଛି ଯେ ଜିଏସଟିର ଦୀର୍ଘକାଳୀନ ପ୍ରଭାବ ଯୋଗୁଁ ଭାରତୀୟ ଅର୍ଥନୀତି ୮ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ । ଶ୍ରମିକ ସଂସ୍କାର ଓ ଜମି ଅଧିଗ୍ରହଣ ଆଇନରେ ସଂଶୋଧନ ହେଲେ ଭାରତର ଅର୍ଥନୀତି ପୁଣି ଥରେ ଦ୍ରୁତଗତିରେ ଆଗେଇବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।
୧୯୯୯-୨୦୦୮ ମଧ୍ୟରେ ଭାରତୀୟ ଅର୍ଥନୀତି ବାର୍ଷିକ ହାରାହାରି ୬.୯ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା । ପରବର୍ତ୍ତୀ ୩ ବର୍ଷରେ ଭାରତର ଆର୍ଥନୀତିକ ଅଭିବୃଦ୍ଧି ହାର ଯଥାକ୍ରମେ ୮.୫ ପ୍ରତିଶତ, ୧୦.୩ ପ୍ରତିଶତ ଓ ୬.୬ ପ୍ରତିଶତ ହୋଇଥିଲା । ତେବେ ୨୦୧୨ରେ ଏହି ହାର ୫.୫ ପ୍ରତିଶତକୁ ଖସିଥିବାବେଳେ ୨୦୧୩ରେ ୬.୪ ଓ ୨୦୧୪ରେ ୭.୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୨୦୧୫ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଥିଲା ୮ ପ୍ରତିଶତ । ୨୦୨୨ ବେଳକୁ ଭାରତର ଅଭିବୃଦ୍ଧି ହାର ୮.୨ ପ୍ରତିଶତ ହୋଇଥିବ ବୋଲି ଆଇଏମଏଫ ଆକଳନ କରିଛି ।


    

Maximum 500 characters