Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ପିତ୍ତକୋଷରେ ରୋଗ

Date: Oct 6, 2017    Views: 73


ସାଧାରଣତଃ ପିତ୍ତକୋଷରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ  । ସେଗୁଡ଼ିକ ହେଲା ହଠାତ୍ ପିତ୍ତକୋଷ ଫୁଲିଯିବା, ଦରଜ ହେବା, ଜ୍ୱର ହେବା, ହଳଦିଆ ପରିସ୍ରା ହେବା ଇତ୍ୟାଦି  । ଏହାକୁ ଏକୁ୍ୟଟ୍ କୋଲେସିସ୍ଟାଇଟିସ୍ କୁହାଯାଏ  । ହଠାତ୍ ଏହି ରୋଗ ଆରମ୍ଭ ହୁଏ  । ରୋଗୀ ପେଟରେ ଯନ୍ତ୍ରଣା ଅନୁଭବ କରେ  । ଭୀଷଣ ଜ୍ୱର ହୁଏ  । ବାନ୍ତି ଏବଂ ହଳଦିଆ ପରିସ୍ରା ହୁଏ  । ବେଳେବେଳେ ଆଖି ହଳଦିଆ ଦେଖାଯାଏ  । ପିତ୍ତକୋଷରେ ପଥର ଥିଲେ ଏହି କୋଲେସିସ୍ଟାଇଟିସ୍ ହୁଏ  । ସାଧାରଣତଃ ମହିଳାମାନଙ୍କଠାରେ ଏହି ରୋଗ ଅଧିକ ହୋଇଥାଏ  । ବିଶେଷ କରି ମୋଟା ସ୍ତ୍ରୀ ଲୋକ, ଛୁଆପିଲା ଥିବା ସ୍ତ୍ରୀ ଲୋକ, ୪୦ ବର୍ଷ ବା ତା'ଠାରୁ ଅଧିକ ବର୍ଷର ମହିଳାମାନଙ୍କଠାରେ ଏହି ରୋଗ ବେଶି ଦେଖାଯାଏ  । ପୁରୁଷମାନଙ୍କ ମଧ୍ୟରେ ଅଳ୍ପ  ସଂଖ୍ୟାରେ ଏହି ରୋଗ ଦେଖାଯାଏ  । ଦୁଇଟି କାରଣରୁ ଏହି ରୋଗ ହୋଇଥାଏ  । ପ୍ରଥମତଃ ପିତ୍ତକୋଷରେ ପଥର ଏବଂ ଦ୍ୱିତୀୟରେ ପିତ୍ତକୋଷରୁ ପିତ୍ତ ଯିବା ବାଟରେ ମଇଳା ରହି ବାଟ ବନ୍ଦ ହୋଇଗଲେ ଏହି ରୋଗ ହୁଏ, ଯାହାକୁ କୋଲାଞ୍ଜାଇଟିସ୍ କୁହାଯାଏ  ।
ଏପରି ହେଲେ ପିତ୍ତକୋଷ ଫୁଲିଯାଏ ଏବଂ ବ୍ୟଥା ହୁଏ  । ପିତ୍ତକୋଷରେ ପଥର ଅଧିକ ଭାବରେ ମହିଳାମାନଙ୍କଠାରେ ହୁଏ  । ପିତ୍ତକୋଷରେ ପଥର ହେବାରେ ବିଭିନ୍ନ କାରଣ ରହିଛି  । ତେବେ ମୂଳ କାରଣ ହେଲା ପିତ୍ତକୋଷରେ ଥିବା ପିତ୍ତ ଜମିଗଲେ ଏହା ଧୀରେ ଧୀରେ ଟାଣ ହୋଇଯାଏ ଏବଂ ପଥର ପରି ଶକ୍ତ ହୋଇଯାଏ  । ଏହାକୁ ପିତ୍ତକୋଷରେ ପଥର (ଗଲବ୍ଲାଡର ଷ୍ଟୋନ୍‍) କୁହାଯାଏ  । ପିତ୍ତକୋଷରେ ପଥର ଥିଲେ ଏବଂ ହଠାତ୍ ସଂକ୍ରମଣ ନହେଲେ ଅନେକ ଦିନ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଏନାହିଁ  । କୌଣସି କାରଣରୁ ପେଟରେ ଅଲଟ୍ରାସୋନୋଗ୍ରାଫି କରିବା ବେଳେ ଏହା ଜଣାପଡେ଼  । ପିତ୍ତକୋଷରେ ପଥର ଥିଲେ ଏବଂ ସଂକ୍ରମଣ ହୋଇନଥିଲେ ଏହାର କୌଣସି ନିର୍ଦ୍ଧିଷ୍ଟ ଲକ୍ଷଣ ନଥାଏ  । କେବଳ ବେଳେବେଳେ ପେଟ ଫୁଲାଇବା, ଅଧିକ ଚର୍ବିଜାତୀୟ ଖାଦ୍ୟ ଖାଇଲେ ହଜମ ନହେବା, ଆମ୍ବିଳା ହାକୁଟିରୁ ଅମ୍ଳପିତ୍ତ ହୋଇଥିବା ଜଣାପଡେ଼  । ପିତ୍ତକୋଷରେ ପଥର ଚିକିତ୍ସାରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି  । ଏହା ସହଜ ଏବଂ ସୁବିଧାଜନକ ହୋଇପାରିଛି  । ପୂର୍ବେ ଅପରେସନ ମାଧ୍ୟମରେ ପଥର ବାହାର କରାଯାଉଥିଲା  । ତେବେ ବର୍ତ୍ତମାନର ପରିବର୍ତ୍ତିତ ଚିକିତ୍ସା ଅନୁସାରେ ପେଟ କଟା ହେବାର ଚିନ୍ତାନାହିଁ  । ମାତ୍ର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ହେଉଛି  । ଲାପୋରୋସ୍କୋପି ଯନ୍ତ୍ର ଯୋଗୁଁ ଏହା ସମ୍ଭବ ହୋଇପାରୁଛି  । ପେଟ ନକାଟି ୪ଟି ଛୋଟ କଣା ସାହାଯ୍ୟରେ ଏହି ଯନ୍ତ୍ରର ଅଂଶ ବିଶେଷ ପେଟ ଭିତରେ ଭର୍ତ୍ତି କରାଯାଏ ଏବଂ ଡାକ୍ତର ବାହାରେ ଥାଇ ଏହି ଅପରେସନ୍‍ କରିଥାନ୍ତି  । ଛିଦ୍ର ଦେଇ ପିତ୍ତକୋଷ ଓ ପଥର ବାହାର କରାଯାଏ  । ଅପରେସନର ୨୪ ଘଣ୍ଟା ପରେ ରୋଗୀକୁ ତରଳ ଖାଦ୍ୟ ଦିଆଯାଏ ଏବଂ ୪୮ରୁ ୭୨ ଘଣ୍ଟା ମଧ୍ୟରେ ହାଲୁକା କଠିନ ଖାଦ୍ୟ ଦିଆଯାଏ  । ତେବେ କେତେକ କ୍ଷେତ୍ରରେ ଲାପୋରୋସ୍କୋପି ଅପରେସନ ସମ୍ଭବ ହେଉନଥିବାରୁ ପେଟ କାଟି ଅସ୍ତ୍ରୋପଚାର କରାଯାଇଥାଏ  । ରାଜ୍ୟର ସର୍ବବୃହତ୍ ବଡ଼ ମେଡ଼ିକାଲଠାରୁ ଜିଲ୍ଲାସ୍ତରୀୟ ସଦର ମହକୁମା ଡାକ୍ତରଖାନାରେ ସର୍ଜରୀ ବିଭାଗରେ ଏହି ଅସ୍ତ୍ରୋପଚାର ହୋଇପାରୁଛି  । ସୁଦକ୍ଷ ସର୍ଜନମାନେ ରୋଗୀଙ୍କ ପରୀକ୍ଷାନିରୀକ୍ଷା କରି ଏହି ଅପରେସନ କରିଥାଆନ୍ତି  । ତେବେ ପ୍ରାଥମିକସ୍ତରରେ କିଛି ରୁଟିନ୍ ଜୀବନକୁ ସ୍ୱାସ୍ଥ୍ୟପ୍ରଦ ରଖିପାରିଲେ ଏହି ସମସ୍ୟା ଜଟିଳ ହେବନାହିଁ  ।
ଦେଖାଯାଏ, ଅନେକ କ୍ଷେତ୍ରରେ ରୋଗୀଟି ପ୍ରାଥମିକସ୍ତରରେ ଏହାକୁ ମାମୁଲି ଯନ୍ତ୍ରଣା ବା ରୋଗ ଭାବି ଚିକିତ୍ସା ବ୍ୟବସ୍ଥାକୁ ବିଳମ୍ବିତ କରିଥାନ୍ତି  । କାରଣ କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର କରାନଗଲେ ବି ପ୍ରାଥମିକ ସ୍ତରରେ ଏହାର ପରୀକ୍ଷା କରି ନିର୍ଦ୍ଧିଷ୍ଟ ବ୍ୟବଧାନରେ ଔଷଧ ଖାଇବା ଦ୍ୱାରା ଉପଶମ ମିଳିଥାଏ  । ଦୈନନ୍ଦିନ ଜୀବନରେ ନିଜର ଖାଦ୍ୟ ଓ ବିଶ୍ରାମକୁ ନିର୍ଦ୍ଧିଷ୍ଟ ସମୟରେ ରଖନ୍ତୁ  । ପ୍ରଦୂଷିତ ପାଣି, ବାସି ଖାଦ୍ୟ, ଅତ୍ୟଧିକ ଚର୍ବିଯୁକ୍ତ ଖାଦ୍ୟ, ଆମିଷ ଖାଦ୍ୟ, ମଦ୍ୟପାନ, ବହୁମୂତ୍ର ରୋଗ ଇତ୍ୟାଦି ପିତ୍ତକୋଷରେ ପଥର ହେବାର କାରଣ  । ପିତ୍ତକୋଷରେ ପଥର ଥିଲେ ବହୁ ଦିନ ପରେ ଏହା ପିତ୍ତକୋଷ କର୍କଟ ରୋଗରେ ପରିଣତ ହୁଏ  । ସେହିପରି ଗୁଣିଟୁଣି କିମ୍ବା ତୁଟୁକାତୁଟିକି ଚିକିତ୍ସା ଗ୍ରହଣ ନକରି ସର୍ବପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଲିଭର ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ  । ପେଟର ସାମୟିକ ଯନ୍ତ୍ରଣା ପାଇଁ ମନଇଛା ନିଜେ ନିଜେ କୌଣସି ଯନ୍ତ୍ରଣାନିବାରକ ଔଷଧ ଖାଆନ୍ତୁ ନାହିଁ  । ପେଟଟଣା ପାଇଁ କେହି କେହି ସୋଢ଼ା, କେହି କେହି ପେଟ ଉପରେ ଗରମ ପାଣି ସେକର ତୁଟୁକା ଚିକିତ୍ସା ବତାଇଥାନ୍ତି, ଯାହାକି ରୋଗୀ ପାଇଁ କ୍ଷତିକାରକ  । ସେହିପରି ସମସ୍ତ ପ୍ରକାର ନିଶାଦ୍ରବ୍ୟ, ମାଦକ ସେବନଠାରୁ ଦୂରେଇ ରୁହନ୍ତୁ  । ରାତି ଅନିଦ୍ରା କିମ୍ବା ଫ୍ରିଜ୍ର ଥଣ୍ଡା ଖାଦ୍ୟ ପ୍ରତି ରୁଚି ରଖନ୍ତୁ ନାହିଁ  । ଖାଦ୍ୟ ତାଲିକାରେ ପ୍ରତିଦିନ ସାଲାଡ଼, ଦହି, ସବୁଜ ପନିପରିବାର ସନ୍ତୁଳା କିମ୍ବା ତଟକା ଫଳ ରସ ସାମିଲ୍‍ କରିବା ସବୁଠୁ ଭଲ  । ବିଶୋଧନ ହୋଇଥିବା ପରିଷ୍କାର ପାଣି ପିଅନ୍ତୁ  । ଏ କ୍ଷେତ୍ରରେ ସବୁଠାରୁ ସିଝା ପାଣି ଭଲ  । ପ୍ରାଥମିକସ୍ତରରେ ପେଟଟଣା ପ୍ରତି ଅବହେଳା କଲେ ପରବର୍ତ୍ତୀ ସମୟରେ ପିତ୍ତକୋଷରେ ପଥର ଦେଖାଦେବା ଭଳି ସମସ୍ୟା ଉପୁଜିଥାଏ  । ତେଣୁ ଏଭଳି କ୍ଷେତ୍ରରେ ସଚେତନ ହୋଇ ପ୍ରାଥମିକ ଅବସ୍ଥାରୁ ବିଶେଷଜ୍ଞଙ୍କ ପରାମର୍ଶ ଜରୁରୀ  ।


    

Maximum 500 characters