ମୁଖ୍ୟ ଖବର
ସୋର: ଉନବିଂଶ ଶତାଦ୍ଧୀର ମଧ୍ୟଭାଗରେ ଓଡ଼ିଆ ସାହିତ୍ୟାକାଶରେ ଦେଖାଦେଇଥିବା ଉଜ୍ଜ୍ୱଳ ନକ୍ଷତ୍ରମାନଙ୍କ ମଧ୍ୟରେ କବିବର ରାଧାନାଥ ରାୟ ଅନ୍ୟତମ । ବଙ୍ଗଭାଷୀ ହୋଇସୁଦ୍ଧା ଜନ୍ମ ମାଟି ଓଡ଼ିଆ ଭାଷାରେ ଲେଖନୀ ଚାଳନା କରି ଓଡ଼ିଆ କାବ୍ୟ କ୍ଷେତ୍ରରେ ଆଣିଥିଲେ ବୈପ୍ଳବିକ ପରିବର୍ତ୍ତନ । ରୀତିଯୁଗୀୟ କାବ୍ୟ କବିତାର ଅନ୍ତ ଘଟାଇ ଆଧୁନିକ କାବ୍ୟଧାରା ସୃଷ୍ଟିକରି ନୂତନ ଯୁଗର ଭିତ୍ତି ସ୍ଥାପନ କରିଥିବା ରାଧାନାଥ କେବଳ ଯେ ସାହିତ୍ୟ ସୃଷ୍ଟି ପାଇଁ ନୁହେଁ ବିପଦ ମୁଖୀ ଓଡ଼ିଆ ଭାଷାକୁ ସୁରକ୍ଷା ଦେବାର ଆପ୍ରାଣ ଉଦ୍ୟମ କରି ଏଜାତି ନିକଟରେ ହୋଇ ରହିଛନ୍ତି ଚିର ନମସ୍ୟ । ସଂକଟମୟ ମୁହୂର୍ତ୍ତରେ ମଧୁସୂଦନ ଏବଂ ଫକୀର ମୋହନଙ୍କ ସହିତ ରାଧାନାଥ ମିଳିତ ଭାବେ ଲେଖନୀ ମୂନରେ ସଂଘର୍ଷ ଆରମ୍ଭ କରି ଉକ୍ରଳ ସମ୍ମିଳନୀ ଜରିଆରେ ଭାଷା ବିପ୍ଳବର ବହ୍ନି ଜଳାଇ ଦେଇଥିଲେ ।
ବିଜୟର ଫଳ ସ୍ୱରୂପ ୧୯୩୬ ମସିହାରେ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ଭିତ୍ତିକ ପ୍ରଦେଶର ଗୌରବ ଅର୍ଜନ କରିବାକୁ ସକ୍ଷମ ହୋଇପାରିଥିଲା । ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ କେଦାରପୁର ଗ୍ରାମରେ ୧୮୪୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ନେଇଥିଲେ ରାଧାନାଥ ରାୟ । ବଙ୍ଗଭାଷୀ ସୁନ୍ଦର ନାରାୟଣ ରାୟ ଏବଂ ତାରିଣୀ ଦେବୀଙ୍କ ପୁତ୍ର ରାଧାନାଥ ପାଶ୍ଚାତ୍ୟ ସାହିତ୍ୟର ଅନୁସରଣରେ ରୀତିଯୁଗୀୟ ପାରମ୍ପାରିକ କାବ୍ୟ କବିତାର ସେ ଆଣିଥିଲେ ପରିବର୍ତ୍ତନ । ତାଙ୍କ ରଚିତ ଚିଲିକା, ଦରବାର, ଉର୍ବଶୀ, ନନ୍ଦିକେଶ୍ୱରୀ, ଚନ୍ଦ୍ରଭାଗା, ପାର୍ବତୀ, କେଦାର ଗୌରୀ, ଉଷା, ଯଯାତିକେଶରୀ, ମହାଯାତ୍ରା ଭଳି କାଳଜୟୀ ମହାକାବ୍ୟ ରଚନା କରିଯାଇଛନ୍ତି, ଯାହା ଆଜି ଓଡ଼ିିଆ ସାହିତ୍ୟ ଭଣ୍ଡାରରେ ରତ୍ନ ଭଳି ଯୁଗ ଯୁଗ ପାଇଁ ସାଇତା ହୋଇ ରହିଥିବ । କବିଙ୍କର ପୈତୃକ ଜମି ଉପରେ ଥିବା ପୁରାତନ ମାଟି ଦୋତାଲାଟି ଏବେ ସଂପୂର୍ଣ ଭାଙ୍ଗି ଧରାଶାୟୀ ହୋଇଯାଇଥିବା ବେଳେ ମାଟି କାନ୍ଥଡ଼ାରେ ପରିଣତ ହୋଇଛି । ଏହାର ବ୍ୟବହୃତ ଜିନିଷ ଉଇଖାଇ ମାଟି ହୋଇ ଯାଇଛି । ଶେଷରେ କବିଙ୍କର ଷଠୀ ଘର ମାଟି ପାଲଟି ଯାଇଥିବା ବେଳେ ତାଙ୍କ ବ୍ୟବହୃତ ଅରଟ, ସୋଫା ଅର୍ଦ୍ଧ ଭଗ୍ନ ଅବସ୍ଥାରେ ପଡ଼ିଥିବା ବେଳେ ଏବେ ଆଉ ଦୃଷ୍ଟିକୁ ଆସୁନାହିଁ ।
୨୦୦୪ ମସିହାରେ କବିଙ୍କ ଜନ୍ମ ସ୍ଥାନ ସ୍ଥାବର ଜମିରୁ ୬ ଡ଼ିସିମିଲ ଜାଗା ଓଡ଼ିଶା ସରକାରଙ୍କ ନାମରେ ହସ୍ତାନ୍ତର କରାଯାଇଛି । ସେହି ବର୍ଷ ଏଠାରେ ସାଂସଦ ପାଣ୍ଠିରେ ଏକ ସଭାଗୃହ ନିର୍ମାଣ ହୋଇଛି । ଯାହା ଅର୍ଥାଭାବରୁ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ । ରାଧାନାଥ ରଥଙ୍କ ଉଦ୍ୟମରେ ‘ସମାଜ’ ପାଣ୍ଠିରୁ ଏଠାରେ ରାଧାନାଥଙ୍କ ଏକ ପୂର୍ଣ୍ଣବୟାବ ସ୍ଥାପିତ ହୋଇଛି । କେଦାରପୁର ଠାରେ ଗ୍ରାମବାସୀଙ୍କ ଉଦ୍ୟମରେ କବିବର ସ୍ମୃତି ପରିଷଦ ତରଫରୁ ଅତି ବେଶିରେ ବର୍ଷକରେ ଥରେ ସ୍ମୃତି ଚାରଣରେ ସୀମିତ ହୋଇଛି । କିଛି ବର୍ଷ ହେଲା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ତରଫରୁ ପ୍ରତିନିଧିମାନେ ପହଞ୍ଚô ଏହି ଦିନରେ ଥରେ ମନେପକାଉଛନ୍ତି । ଏଥିରେ ରାଜ୍ୟର ବହୁ ଜଣାଶୁଣା ପ୍ରଭାବଶାଳୀ ରାଜନେତା, ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଉଚ୍ଚଅଧିକାରୀମାନେ ପହଞ୍ଚô କବିଙ୍କର ଏହି ଶ୍ରୀହୀନ ଜନ୍ମପୀଠକୁ ଦେଖି ମିଛିମିଛିକା ଆଖିରୁ ଲୁହ ଝରାଇ ·ଲି ଯାଆନ୍ତି ସିନା ଏଭଳି କ୍ଷେତ୍ରର କିଛି ପରିବର୍ତ୍ତନ ଆସେ ନାହିଁ । ଏହା ବ୍ୟତୀତ ବର୍ଷକ ସାରା ତାଙ୍କ ଜନ୍ମପୀଠ ପାଲଟିଯାଏ ବୁଲା ସଣ୍ଢ, ସାପ ବେଙ୍ଗଙ୍କ ବାସସ୍ଥାନ । ସରକାରଙ୍କ ଅବହେଳାରୁ ଏହା ଜାତୀୟ ସ୍ମାରକୀ ପୀଠ ବଦଳରେ ଅସାମାଜିକଙ୍କ ଆଡ୍ଡÿାସ୍ଥଳୀରେ ପରିଣତ ହୋଇଛି । କବିଙ୍କ ସ୍ମୃତିରେ ସୋର ରାଧାନାଥ ନଗର ନାମରେ ନାମିତ ବଜାରରେ ୧୯୪୬ ମସିହାରେ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନନ୍ଦିଶୋର ଦାସଙ୍କ ଉଦ୍ୟମରେ ଗଠିତ ହୋଇଛି ରାଧାନାଥ ପାଠାଗାର । ବର୍ତ୍ତମାନ ଏଠାରେ ୧୬ ହଜାର ବହିଥିବା ବେଳେ ଅବହେଳିତ ଭାବେ ପଡ଼ି ରହିଛି । ସଂପ୍ରତି ପୂର୍ବତନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାଶ ମହାପାତ୍ର ଏହାର ସଭାପତି କାର୍ଯ୍ୟଭାର ସମ୍ଭାଳୁଥିବା ବେଳେ ସୁନ୍ଦର ମୋହନ ଦାସଙ୍କର ମୃତୁ୍ୟ ପରେ ତାଙ୍କର ଅନୂଜ ସୁଧୀର କୁମାର ଦାସ ସଂପାଦକ ଦାୟିତ୍ୱ ନେଇଛନ୍ତି । କିଛିଦିନ ତଳେ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଉଦ୍ୟମରେ ରାଧାନାଥ ମାଇନର ସ୍କୁଲ ନିକଟରେ ଏକ ପୂର୍ଣ୍ଣ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ଏଭଳି ଜାତୀୟ କ୍ଷେତ୍ରର ବିକାଶ ପାଇଁ ରାଜନୈତିକ ଇଚ୍ଛାଶକ୍ତି ସାଙ୍ଗକୁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ।
Comments ସମସ୍ତ ମତାମତ 0