ମୁଖ୍ୟ ଖବର
ଡେରାବିଶ: ଡେରାବିଶ ବ୍ଲକର ଚାଷୀମାନେ ଦୁଇ ପଇସା ଅର୍ଜନ କରିବା ଲକ୍ଷ୍ୟରେ ଧାନଚାଷ କରିଥିଲେ । ମୁଣ୍ଡଝାଳ ତୁଣ୍ଡରେ ମାରି ଧାର ଉଧାର କରି ଚାଷୀ ଆଶାବାନ୍ଧିଥିଲେ ଭଲଧାନ ଅମଳ ହେଲେ ଦୁଇପାଦ ଆଗକୁ ବଢିବେ । ମାତ୍ର ଧାନଚାଷ ପାଇଁ ବର୍ତ୍ତମାନ ପାଣି ସମସ୍ୟା ମୁଣ୍ଡଟେକିଛି । କେନାଲରେ ଆବଶ୍ୟକ ପରିମାଣର ପାଣି ନଥିବାରୁ ବହୁଧାନ ବିଲ ଫାଟି ଆଁ କଲାଣି । ଫଳରେ ଡେରାବିଶ ବ୍ଲକରେ ମରୁଡିର ଆଶଙ୍କା ସୃଷ୍ଟି ହୋଇଛି । ଜଳସଂପଦ ବିଭାଗ ବ୍ଲକ ଅଂଚଳରେ ଥିବା କେନାଲରେ ପାଣି ଦେବାକୁ ଡେରି କରିଥିଲେ ସୁଦ୍ଧା ମୌସୁମୀର ଆଗମନ ପରେ କୃଷକମାନେ ନିଜ ନିଜ ଚାଷ ଜମିରେ ହଳ କରିବା ସହିତ ତଳିଘେରା ପକାଇ ଧାନ ରୋଇଥିଲେ ।
ଚଳିତ ବର୍ଷ ବର୍ଷା ଠିକ ପରିମାଣର ହେବ ବୋଲି ପାଣିପାଗ ବିଭାଗର ଅନୁମାନ ଚାଷୀମାନଙ୍କ ପାଇଁ ଶୁଭ ଖବର ହୋଇଥିବା ବେଳେ ଏବେ ଜମିରେ ଧାନ ଚାଷ ବଢିବା ଓ ଏହାକୁ ବଛାବଛି କରିବାର ବେଳ ଆସି ଯାଇଥିବା ବେଳେ ପ୍ରକୃତି ବର୍ଷା ମାଧ୍ୟମରେ ଚାଷୀଙ୍କ ପ୍ରତି ଦାଉ ସାଧିବାରେ ଲାଗିଥିବା ଦେଖାଯାଇଛି । ବର୍ଷାକୁ ଚାହିଁ ଚାହିଁ ପ୍ରତ୍ୟେକ ଦିନ ଚାଷୀ ଚିନ୍ତିତ ହୋଇ ଉଠିଥିବା ବେଳେ ଜଳସଂପଦ ବିଭାଗ ମଧ୍ୟ ବିଭିନ୍ନ କେନାଲରେ ବହୁ କମ ପରିମାଣର ପାଣି ଛାଡି ଥିବାରୁ ଏହାର ଜଳ ଉଚ୍ଚ ସ୍ଥାନରେ ଥିବା କିମ୍ବା ଶେଷ ମୁଣ୍ଡରେ ଥିବା ଚାଷ ଜମିରେ ପହଂଚି ପାରି ନଥିବାରୁ ଡେରାବିଶ ବ୍ଲକ ଅଂଚଳରେ ଚାଷୀ ସମସ୍ୟା ଉକôଟ ରୂପ ଧାରଣ କରିବାରେ ଲାଗିଥିବା ଦେଖାଯାଇଛି । ଫଳରେ ବହୁ ଚାଷ ଜମି ସବୁ ଫାଟି ଆଁ କରିଯାଇଥିବା ବେଳେ ପାଣିର ଅଭାବ ଜନିତ ପାଇଁ ଜମିରେ ଲାଗିଥିବା ଧାନ ଗଛ ଅନେକ ସ୍ଥାନରେ ହଳଦିଆ ରଙ୍ଗ ଧରିବାରେ ଲାଗିଥିବା ଓ ବିଭିନ୍ନ ପୋକ ଲାଗି ଗଛ ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷିକୂଳ ଏଥରପାଇଁ ଚିନ୍ତିତ ହୋଇପଡିଥିବା ବେଳେ ଡେରାବିଶ ଅଂଚଳରେ ଏହା ମରୁଡିର ପଦଧ୍ୱନୀ ବୋଲି ବହୁ ଚାଷୀ କହୁଛନ୍ତି ।
ଏପରିକି ବହୁ ସ୍ଥାନରେ ଚାଷୀମାନେ ପାଣି ପମ୍ପ ସାହାଯ୍ୟରେ ନିଜ ନିଜ ବିଲକୁ ପାଣି ମଡାଉଥିବା ଦେଖାଯାଇଛି । ଏହି ପରିସ୍ଥିତି ଲାଗି ରହିଲେ ଆଉ ଅଳ୍ପ ଦିନ ମଧ୍ୟରେ ଧାନ ଚାଷ ସମ୍ପୂର୍ଣ୍ଣ ଭାବେ ଉଜୁଡି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଧାରକରଜ କରି ବହୁ କଷ୍ଟ ସହକାରେ ଚଳିତ ଋତୁରେ କରିଥିବା ଧାନ ଫସଲ ଯଦି ନଷ୍ଟ ହୋଇଯାଏ ତେବେ ଚାଷୀମାନଙ୍କ ଅଣ୍ଟା ଭାଙ୍ଗିଯିବା ସହ ବହୁ ଅର୍ଥôକ ଦୂର୍ଗତୀର ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରିବା ସହିତ ସରକାର ଏହାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ କେନ୍ଦ୍ରାପଡା ଚାଷି ମୁଲିଆ ସଂଘର ସଭାପତି କୃତିବାସ ଦାସଙ୍କ ସମେତ ଅଗ୍ରଣୀ ଚାଷି ତ୍ରିଲୋଚନ ରାଉତ, ବ୍ରହ୍ମାନନ୍ଦ ମଲିକ, କରୁଣାକର କର, ସେକ ରିୟାସତ ଓ ଦୟାନିଧି ସେଠୀ ପ୍ରମୁଖ ଦାବି କରିଛନ୍ତି ।
Comments ସମସ୍ତ ମତାମତ 0