Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

ସମସ୍ୟାଘେରରେ ନଟୋ ପଞ୍ଚାୟତ

Date: Sep 16, 2017    Views: 73

କପ୍ତିପଦା : କପ୍ତିପଦା ବ୍ଲକର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ନଟୋ ପଞ୍ଚାୟତର ଜନସାଧାରଣ ବହୁବିଧି ସମସ୍ୟା ଭିତରେ ରହିଥିବା ଅଭିଯୋଗ ହୋଇଛି  । ଗମନାଗମନ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ବିଦୁ୍ୟତ କ୍ଷେତ୍ରରେ ବହୁ ପଛରେ ପଡିଯାଇଛି ଏହି ପଞ୍ଚାୟତ  । ବିଶେଷ କରି ଭଞ୍ଜସାହି, ବରୁସାହି, ବିକ୍ରମସାହି, କଡାସାହି ଓ ସାନ୍ଦୁସାହି ପ୍ରଭୃତି ଗ୍ରାମକୁ ସଂଯୋଗ ରାସ୍ତା ନଥିବାରୁ ଗ୍ରାମବାସୀମାନେ ଅକଥନୀୟ ଦୁର୍ଦ୍ଧର୍ଶା ଭିତରେ କାଳାତିପାତ କରୁଛନ୍ତି  । ଏପରିକି ରାସ୍ତା ନଥିବାରୁ ଏହି ୫ଟି ଗ୍ରାମର ଛାତ୍ରଛାତ୍ରୀମାନେ ପ୍ରସନ୍ନଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟକୁ ଯାଆସ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି  ।
ରାସ୍ତା ସମସ୍ୟା ପାଇଁ ଏହି ଗ୍ରାମମାନଙ୍କୁ କୌଣସି ଚାରିଚକିଆ ଯାନ ତ ଦୂରର କଥା, ଚାଲିକି ଯିବା ମଧ୍ୟ କଷ୍ଟକର ହୋଇପଡେ  । ବର୍ଷାଦିନେ ଏମାନଙ୍କ ପାଠପଢା ବନ୍ଦ ରହୁଥିବା ବେଳେ ଅନ୍ୟ ସମୟରେ ବିଲ ହିଡ, ଜଙ୍ଗଲ ରାସ୍ତା ଦେଇ ୩କିମି ରାସ୍ତା ବିପଦସଂକୁଳ ଭାବେ ଯାଆସ କରିଥାନ୍ତି  । ଅଙ୍ଗନୱାଡି ପିଲାମାନେ ମଧ୍ୟ ସମଦଶା ଭୋଗ କରିଥାନ୍ତି  । ଏହି ଗମନାଗମନର ସମସ୍ୟା ପାଇଁ ଏଠାକାର ଗ୍ରାମବାସୀମାନେ ପଞ୍ଚାୟତକୁ ରାସନ ସାମଗ୍ରୀ ଆଣିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି  । ସେହିପରି ସ୍ୱାସ୍ଥ୍ୟ ଅବସ୍ଥା ନକହିଲେ ଭଲ  । ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ୧୦୨ କିମ୍ବା ୧୦୮ ଆମ୍ବୁଲାନସ୍ ଏହି ଗ୍ରାମମାନଙ୍କୁ ଆସନ୍ତି ନାହିଁ  । ଫଳରେ ଖଟିଆ କିମ୍ବା କାନ୍ଧରେ ବସାଇ ରୋଗୀ, ଗର୍ଭବତୀ ତଥା ଅସୁସ୍ଥ ବ୍ୟକ୍ତିମାନଙ୍କୁ ଦୀର୍ଘ ୩ କିମି ବାଟ ନେବା ପରେ ମଟରଯାନର ବ୍ୟବସ୍ଥା ହୋଇଥାଏ  । ସେହିପରି ପ୍ରତ୍ୟେକ ପଡା ଓ ରାଜସ୍ୱ ଗ୍ରାମମାନଙ୍କର ପ୍ରତ୍ୟେକ ବିପିଏଲ ଘରକୁ ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ନଟୋ ପଞ୍ଚାୟତର ୯୦ ଭାଗ ଗ୍ରାମରେ ବିଦୁ୍ୟତ ସାତସପନ ହୋଇପଡିଛି  । ପ୍ରମୁଖ ରାଜସ୍ୱ ଗ୍ରାମ ପ୍ରସନ୍ନଚନ୍ଦ୍ର ପୁର, ବାଘଦଫା ଓ କୁମୁଡାବାହାଳୀ ଗ୍ରାମବାସୀ ସ୍ୱାଧୀନତାର ୭୧ବର୍ଷ ପରେ ମଧ୍ୟ ବିଜୁଳିର ଅନୁଭବ କରିପାରିଲେ ନାହିଁ ବୋଲି ପୂର୍ବତନ ସରପଞ୍ଚ ଦୁମ୍ବି ସିଂ ପ୍ରକାଶ କରିଛନ୍ତି  ।
ନଟୋ ପଞ୍ଚାୟତର ବିଦୁ୍ୟତ, ରାସ୍ତା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଅନେକବାର ସାକ୍ଷତ କରି ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ବ୍ୟତୀତ ଆଉ କିଛି ମିଳିନଥିଲା ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି  । ଏପରିକି ଉପରୋକ୍ତ ସମସ୍ୟା ନେଇ ପୂର୍ବରୁ କପ୍ତିପଦା ଗୋଲେଇ ଠାରେ ଗ୍ରାମବାସୀମାନଙ୍କ ଦ୍ୱାରା ରାସ୍ତାରୋକ କରି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କୌଣସି ପ୍ରତିକାର ମଧ୍ୟ ହୋଇ ନାହିଁ  । ଏ ସଂପର୍କରେ ସରପଞ୍ଚ ଜ୍ୟୋତିଶ୍ରୀ ସିଂ କହିଛନ୍ତି ଯେ, ବିଦ୍ୟାଳୟ ଯିବା ପାଇଁ ସଂପୃକ୍ତ ରାସ୍ତାଟିରେ ବ୍ୟକ୍ତିଗତ ଜାଗା ପଡୁଥିବାରୁ ନୂତନ ରାସ୍ତା ନିର୍ମାଣ ପାଇଁ ସମସ୍ୟା ଦେଖାଦେଇଛି  । ତେବେ ଏହାର ସମାଧାନ ହେଲେ ମନରେଗା ଯୋଜନାରେ ନୂତନ ରାସ୍ତା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି  । ତେବେ ସଂପୃକ୍ତ ଗ୍ରାମମାନଙ୍କୁ ସରକାର ତୁରନ୍ତ ରାସ୍ତା ଓ ବିଦୁ୍ୟତ ଯୋଗାଇ ନଦେଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅନୀଲ ସିଂ, ସନୁ ମହାକୁଡ, ଭଂଜ ସିଂ, ପ୍ରଧାନ ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି  ।


    

Maximum 500 characters