Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗୃହରେ ଉଦ୍ବେଗ

Date: Sep 15, 2017    Views: 62

ଭୁବନେଶ୍ୱର: ସ୍କୁଲରେ ଶିକ୍ଷକ ନାହାନ୍ତି  । ଶ୍ରେଣୀ ଗୃହ ବି ନାହିଁ, ସପ୍ତମ ଶ୍ରେଣୀ ପିଲାଙ୍କୁ ପ୍ରଥମ ଶ୍ରେଣୀ ପାଠ ଜଣାନାହିଁ  । ଇଏ ହେଉଛି ଆମ ରାଜ୍ୟର ପ୍ରାଥମିକ ଶିକ୍ଷାର ସ୍ଥିତି  । ବିଧାୟକମାନଙ୍କୁ ବଦଳି କମିଟିରେ ରଖାଯାଉଛି  । ହେଲେ ତାଙ୍କ ସୁପାରିଶକୁ କାର୍ଯ୍ୟକାରୀ କରାଯାଉନାହିଁ  । ଲାଞ୍ଚ ଦେଇ  ଗୋଟିଏ ଗୋଟିଏ ସ୍କୁଲରେ ୧୫/୨୦ ବର୍ଷ ଧରି ଶିକ୍ଷକ ରହୁଛନ୍ତି  । ତେଣୁ ବିଧାୟକମାନଙ୍କୁ କମିଟିରୁ ବାଦ୍ ଦିଆଯାଉ  । ବିଧାନସଭାରେ ଆଜି ଏମିତି ଭାବେ ଶାସକ ଓ ବିରୋଧୀ ବିଧାୟକମାନେ ଉଦ୍ବେଗ ପ୍ରକାଶ କରିଥିଲେ  ।
ବିଧାୟକ ନବ କିଶୋର ଦାସଙ୍କ  ଏ ସଂକ୍ରାନ୍ତୀୟ ମୂଳ ପ୍ରଶ୍ନରେ ଉଭୟ ଶାସକ ଓ ବିରୋଧୀ ଦଳର ବହୁ ବିଧାୟକ ଅଂଶଗ୍ରହଣ କରିଥିଲେ  । ବିଧାୟକ ତାରାପ୍ରସାଦ ବାହିନୀପତି, ଅମର ପ୍ରସାଦ ଶତପଥୀ, ରାଧାରାଣୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ନାୟକ, ସଂଜୟ ଦାସବର୍ମା, ଲକ୍ଷ୍ମଣ ମୁଣ୍ଡା, ପ୍ରଶାନ୍ତ ମୁଦୁଲି, ଦେବେନ୍ଦ୍ର ଶର୍ମା, ଗୋବିନ୍ଦ ଚନ୍ଦ୍ର ଦାସ, ଜୀବନ ପ୍ରଦୀପ ଦାସ, ପଦ୍ମନାଭ ବେହେରା, କୈଳାସ କୁଳେସିକା, ସୁକାନ୍ତ ନାୟକ, ଜାକବ ପ୍ରଧାନ ଓ ଆୟୁବ ଖାନ୍ ପ୍ରମୁଖ  ସ୍କୁଲରେ ଶିକ୍ଷକ ଓ ଶ୍ରେଣୀ ଗୃହର ଅଭାବ, ଶିକ୍ଷକ ନିଯୁକ୍ତି ଆଦି ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ  । ଆଲୋଚନା କାଳରେ ବିଧାୟକ ଜୀବନ ପ୍ରଦୀପ ଦାସ କହିଲେ ଯେ, ଏମଏଲଏ ମାନଙ୍କୁ ରାସନାଇଲେସନ କମିଟି ଏମଏଲଏମାନଙ୍କୁ କାଢ଼ି ଦିଆଯାଉ  । ଏମଏଲଏମାନଙ୍କୁ ସୁପାରିଶ କରିବାକୁ କୁହାଯାଇଛି  । ହେଲେ ସେ ଯେଉଁ ସୁପାରିଶ କରୁଛନ୍ତି, ତାହାକୁ ଗ୍ରହଣ କରାଯାଉନାହିଁ  । ତେଣୁ ସେ କମିଟିରେ ରହି କ’ଣ ଲାଭ ବୋଲି ସେ ପ୍ରଶ୍ନ କରିଥିଲେ  । ଶ୍ରୀ ଦାସ ଏହି ପ୍ରସଙ୍ଗ ଉଠାଉଥିବା ବେଳେ ଶାସକ ଓ ବିରୋଧୀ ଦଳର କେତେକ ବିଧାୟକ  ସମର୍ଥନ କରାଯାଉଥିବା ଦେଖିବାକୁ ମିଳିଥିଲା  ।
ବିଧାୟକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଲେ ଯେ, ରାଜ୍ୟରେ ୟୁ-ଡିଆଇଏସଇ ୨୦୧୬ ତଥ୍ୟ ଅନୁସାରେ ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୩୩,୩୯୮ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ୧୭,୬୯୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି  । ଏହିଭଳି ମୋଟ ୫୧,୦୯୪ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି  ।
ଏହି ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୧,୬୭,୭୪୩ ସଂଖ୍ୟକ ଶ୍ରେଣୀ ଥିବାବେଳେ ୯୬,୩୦୬ ଗୋଟି ଶ୍ରେଣୀ ଗୃହ ଅଛି  । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୧,୨୨,୦୪୫ ସଂଖ୍ୟକ ଶ୍ରେଣୀ ଗୃହ ରହିବା ଆବଶ୍ୟକ ଥିବାବେଳେ ମୋଟ ୧,୯୨,୨୯୨ ଟି ଶ୍ରେଣୀ ଗୃହ ଅଛି  । ଏହାର ଜିଲାୱାରୀ ତଥ୍ୟ ସଂଲଗ୍ନ ‘କ’ରେ ପ୍ରଦାନ କରାଗଲା  ।
ଶିକ୍ଷା ଅଧିକାର ନିୟମ ଅନୁସାରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ୩୦:୧ ଛାତ୍ର ଶିକ୍ଷକ ଅନୁପାତ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୫:୧ ଥିବା ବେଳେ, ଓଡ଼ିଶାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ବିଦ୍ୟାାଳୟ ମାନଙ୍କରେ ଏହି ଅନୁପାତ ଯଥାକ୍ରମେ ୨୪:୧ ଓ ୨୩:୧ ରହିଅଛି  । ତଥାପି ଜିଲାମାନଙ୍କରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟାକୁ ହିସାବକୁ ନେଇ ଆହୁରି ୧୪୦୮୭ ଅଧିକ ଶିକ୍ଷକ ନିୟୋଜିତ କରିବା ପାଇଁ ଚଳିତ ବର୍ଷ ବିଜ୍ଞାପନ ଆହ୍ୱାନ କରାଯାଇ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି, ଯାହାର ତଥ୍ୟ ପରିଶିଷ୍ଟ- ‘ଖ’ରେ ପ୍ରଦାନ କରାଗଲା  ।
ଆବଶ୍ୟକ ହେଉଥିବା ଶ୍ରେଣୀ ଗୃହ ନିର୍ମାଣ ପାଇଁ ବାର୍ଷିକ ଅଟକଳ ଯୋଜନାରେ ୨୦୧୭-୧୮ ଆର୍ଥିକ ବର୍ଷରେ ୮,୫୪୬ ଟି ଶ୍ରେଣୀ ଗୃହ ନିର୍ମାଣ ପାଇଁ ବାର୍ଷିକ ଅଟକଳ ଯୋଜନାରେ ୨୦୧୭-୧୮ ଆର୍ଥିକ ବର୍ଷରେ ୮,୫୪୬ ଟି ଶ୍ରେଣୀ ଗୃହ ପାଇଁ ଭାରତ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା  । ତନ୍ମଧ୍ୟରୁ ୭୧୩ ଟି ଶ୍ରେଣୀ ଗୃହ ପାଇଁ ଅର୍ଥ ବରାଦ କରାଯାଇଛି  । ଆସନ୍ତା ଆର୍ଥିକ ବର୍ଷରେ ବକେୟା ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଠାରେ ସର୍ବଶିକ୍ଷା ଅଭିଯାନରେ ଅର୍ଥ ମଞ୍ଜୁର ପାଇଁ ପ୍ରସ୍ତାବ ଆଗତ କରାଯିବ  ।


    

Maximum 500 characters