Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ବସୁନି ସାକ୍ଷରତା ମିଶନ ବୈଠକ

Date: Sep 15, 2017    Views: 58

ଭୁବନେଶ୍ୱର:  ଓଡ଼ିଶାରେ ନିରକ୍ଷରଙ୍କ ସଂଖ୍ୟା କୋଟିଏରୁ ଅଧିକ । କିନ୍ତୁ ୨୦୦୧ରୁ ଗଢ଼ା ଯାଇଥିବା ରାଜ୍ୟ ସାକ୍ଷରତା ମିଶନ୍ର ବୈଠକ ଅଦ୍ୟାବଧି ହୋଇନାହିଁ । ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ବିକାଶ ପାଇଁ ଗଢ଼ା ଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ମିଶନ୍ର ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଅଛନ୍ତି । ଏହି ମିଶନ୍ର ବୈଠକ ଅନ୍ତତଃପକ୍ଷେ ପ୍ରତି ୬ ମାସରେ ଥରେ ବସିବା କଥା । କିନ୍ତୁ ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ମିଶନ୍ର ବୈଠକ ବସିନାହିଁ । ରାଜ୍ୟର ଆର୍ଥôକ ସମ୍ବଳକୁ ଅନୁଧ୍ୟାନ କରି ତାକୁ ସଜାଡ଼ିବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ସହିତ ସୁଚିନ୍ତିତ ଯୋଜନା ପ୍ରଣୟନ ପାଇଁ ପରାମର୍ଶ ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ଯୋଜନା ବୋର୍ଡର ବୈଠକ ୧୦ ବର୍ଷ ଧରି ଅନୁଷ୍ଠିତ ହୋଇନାହିଁ । ବିଜେପି ବିଧାୟକ ଦିଲିପ ରାୟଙ୍କ ଭିନ୍ନ ଭିନ୍ନ ୪ଟି ପ୍ରଶ୍ନର ଉତ୍ତରରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀମାନେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ବିଦ୍ୟାଳୟଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଶ୍ରୀ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସର୍ବଶେଷ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟା ୪,୧୯,୭୪,୨୧୮ ଥିବା ବେଳେ ଏମାନଙ୍କ ମଧ୍ୟରୁ ନିରକ୍ଷରଙ୍କ ସଂଖ୍ୟା ହେଉଛି ୧,୦୧,୯୯,୫୩୨ । ଓଡ଼ିଶାର ଏହି ନିରକ୍ଷରଙ୍କ ଭିତରୁ ୩୨,୭୨,୪୩୪ ଜଣ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ହେଉଛି ୬୯,୨୭,୦୯୮ । ରାଜ୍ୟରେ ନିରକ୍ଷରତା ଦୂରୀକରଣ ପାଇଁ କେନ୍ଦ୍ର ସରକାର ୪୮ କୋଟି ୮ ଲକ୍ଷ ଟଙ୍କା ଗତ ଆର୍ଥôକ ବର୍ଷ ସୁଦ୍ଧା ଦେଇଥିବା ବେଳେ ଏଥିରୁ ୪୧ କୋଟି ୭୩ ଲକ୍ଷ ଟଙ୍କା ଗତ ୫ ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଛି । ୨୦୦୧ ମସିହାରୁ ରାଜ୍ୟ ସାକ୍ଷରତା ମିଶନ୍ କର୍ତ୍ତୃପକ୍ଷ କାର୍ଯ୍ୟକାରୀ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଛନ୍ତି ଏବଂ ଏଥିରେ ୩୦ ଜଣ ସଦସ୍ୟ ରହିଛନ୍ତି । ସାକ୍ଷରତା ମିଶନ୍ର ବୈଠକ ଅଦ୍ୟାବଧି ହୋଇନାହିଁ ଓ ବୈଠକ ବସିବା ନିମନ୍ତେ ସରକାରଙ୍କ ତରଫରୁ ଉଦ୍ୟମ  କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ମିଶନ୍ ୨୦୦୫ ମସିହାରୁ ଗଠନ କରାଯାଇଛି । ଏହି ମିଶନ୍ରେ ୩୩ ଜଣ ସଦସ୍ୟ ଅଛନ୍ତି । ମିଶନ୍ର ବୈଠକ ପ୍ରତି ୬ ମାସରେ ଅନ୍ତତଃପକ୍ଷେ ଥରେ ବସିବା କଥା । ରାଜ୍ୟ ସ୍ୱାସ୍ଥ୍ୟ ମିଶନ୍ର ସର୍ବଶେଷ ବୈଠକ ୨୦୧୫ ମଇ ୧୯ରେ ଅନୁଷ୍ଠିତ ହୋଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଯେ, ରାଜ୍ୟ ଯୋଜନା ବୋର୍ଡର ସର୍ବଶେଷ ବୈଠକ ୨୦୦୭ ଅକ୍ଟୋବର ୧୦ରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଯୋଜନା ପ୍ରଣୟନ, ତାହାର ମୂଲ୍ୟାୟନ ଓ ରୂପାୟନ ସଙ୍ଗେ ସଙ୍ଗେ କାର୍ଯ୍ୟକାରିତା ପାଇଁ ଏହି ବୋର୍ଡ ପରାମର୍ଶ ଦେବା କଥା । ରାଜ୍ୟର ଆର୍ଥôକ ସମ୍ବଳକୁ ଅନୁଧ୍ୟାନ କରି ତାକୁ ସଜାଡ଼ିବା, ଆଗାମୀ ୫ ବର୍ଷ ପାଇଁ ଯୋଜନାର ପୁନର୍ବିନ୍ୟାସ କରି ସୁଚିନ୍ତିତ ଯୋଜନା ପ୍ରଣୟନ ପାଇଁ ପରାମର୍ଶ, ମାନବ ସମ୍ବଳର ସର୍ବେକ୍ଷଣ ଓ ତା'ର ଉପଯୁକ୍ତ ବିନିଯୋଗ ସହିତ ଯୋଜନା ପ୍ରଣୟନ, କାର୍ଯ୍ୟାନୁ୍ୟୟନ ଓ ମୂଲ୍ୟାୟନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ସହିତ ଆର୍ଥିକ, ନୀତିଗତ ଓ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଯୋଜନା ବୋର୍ଡ ପରାମର୍ଶ ଦେଇଥାଏ । ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ଏବେ ଜଣେ ଉପାଧ୍ୟକ୍ଷ, ଉପଦେଷ୍ଟା ଓ ଓଏସ୍ଡି ଅଛନ୍ତି । ଉପାଧ୍ୟକ୍ଷ ଓ ଉପଦେଷ୍ଟା ଯଥାକ୍ରମେ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ପାଉଥିବା ବେଳେ ଓଏସ୍ଡିଙ୍କୁ ସ୍ୱତନ୍ତ୍ର ସଚିବ ପଦବୀର ସୁବିଧା ମିଳୁଛି । ତେବେ ଯୋଜନା ବୋର୍ଡର ୧୦ଟି ସଭ୍ୟ ପଦବୀ ଖାଲି ପଡ଼ିଛି ବୋଲି ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି ।


    

Maximum 500 characters