Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ବମିଖାଲ ଘଟଣାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ

Date: Sep 11, 2017    Views: 104

ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଧାନସଭାରେ ବିବୃତି ରଖିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହରେ ତୁମୁଳ ହଟ୍ଟଗଳ କରିଛନ୍ତି । ଫଳରେ ଗୃହକୁ ୧୦.୩୬ରୁ ୧୧.୩୬ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦.୩୬ରୁ ୧୧.୩୬ ପର୍ଯ୍ୟନ୍ତ ମୁଲତବୀ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ୧୧.୩୮ରୁ ୩ଟା ପର୍ଯ୍ୟନ୍ତ  ମୁଲତବୀ  କରାଯାଇଥିଲା ।
 ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବମିଖାଲ ଘଟଣାରେ ବିବୃତି ରଖିବା ପାଇଁ ବାଚସ୍ପତି ପ୍ରଦୀପ କୁମାର ଅମାତ ମୁଖ୍ୟମନ୍ତ୍ରୀଙ୍କୁ ଡାକିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ଯେ, ଏକ ଦୁର୍ଭାଗ୍ୟଜନକ ଘଟଣା କ୍ରମେ ୧୦ ସେପ୍ଟେମ୍ବର ୧୨.୪୫ରେ ବମିଖାଲ ଠରେ ନିର୍ମାଣଧୀନ ଏକ ଓଭର ବ୍ରିଜ ଭୁଶୁଡ଼ି ପଡ଼ିଥିଲା । ଫଳରେ ଜଣଙ୍କର ଜୀବନ ହାନି ଘଟିଥିବା ବେଳେ ୧୧ ଆହତ ହୋଇଥିଲେ ।  ପରେ ପରେ ଜିଲା ପ୍ରଶାସନ, ବିଏମସି, ପୁଲିସ, ଅଗ୍ନିଶମ ବିଭାଗ, ଓଡ୍ରାଫ ଓ ଏନଡିଆରଏଫ ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲ । ଏତଦବ୍ୟତୀତ ସ୍ୱତନ୍ତ୍ର ରିଲିଫ କମିଶନର, ପୂର୍ତ୍ତବିଭାଗର ସଚିବ, ସ୍ୱାସ୍ଥ୍ୟବିଭାଗ ସଚିବ, ଆରଡିସି, ପୁଲିସ କମିଶନର ଓ ଡିଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସେହିପରି ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଭର୍ତ୍ତି କରାଯିବା ସହ ସେମାନଙ୍କର ସ୍ୱତନ୍ତ୍ର ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ପ୍ରକାଶ କରିଥିଲେ ।
 ସେ କହିଥିଲେ ଯେ, ମୃତ ସତ୍ୟଜିତ ପଟ୍ଟନାୟକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର  ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା ପାଇଁ ପଦକ୍ଷେପ ଗହଣ କରାଯାଇଛି । ଏଥିସହ ତାଙ୍କ ବିୟୋଗରେ ସେ ଶୋକ ପ୍ରକାଶ ମଧ୍ୟ କରିଥିଲେ । ଏହାଛଡ଼ା ରାଜ୍ୟ ସରକାର ଆହତମାନଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।  ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ, ଡେପୁଟି ଏକଜିକୁ୍ୟଟିଭ ଯନ୍ତ୍ରୀ ବଂଶୀଧର ପ୍ରହରାଜ, ଆସିଷ୍ଟାଣ୍ଟ ଇଞ୍ଜିନିୟର କିଶୋର ରାଉତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅପରପକ୍ଷରେ ଉୟଭ ଇଞ୍ଜିନିୟରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ଏହାଛଡ଼ା ଦାୟିତ୍ୱରେ ଥିବା ଏକଜିକୁ୍ୟଟିଭ ଇଞ୍ଜିନିୟର ଦୁଃଖବନ୍ଧୁ ବେହେରାଙ୍କୁ ମଧ୍ୟ ନିଲମ୍ବନ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଲେ ଯେ, ମୁଖ୍ୟଯନ୍ତ୍ରୀ(ଡିଜାଇନ) ଓ ମୁଖ୍ୟଯନ୍ତ୍ରୀ(ରୋଡ)କୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯିବା ସହ ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଘଟଣାରେ ଯିଏ ଦାୟୀ ଥିବେ ସେମାନଙ୍କ  ତାଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତି ରଖୁଥିବାବେଳେ ବିଜେପି ଓ କଂଗ୍ରେସ ବିଧାୟକମାନେ  ଗୃହର ମଧ୍ୟ ଭାଗକୁ ମାଡ଼ି ଆସି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଗୃହରେ ହଟ୍ଟଗଳ ଲାଗି ରହିବାରୁ ବାଚସ୍ପତି ୧୦.୩୬ରୁ ୧୧.୩୬ ପର୍ଯ୍ୟନ୍ତ ମୁଲତବୀ  କରି ଦେଇଥିଲେ । ୧୧.୩୬ରେ ଗୃହ କାର୍ଯ୍ୟ ବନ୍ଦ ହେବା ପରେ ପୂର୍ବ ଭଳି ହୋହାଲ୍ଲା ଓ ହଟ୍ଟଗୋଳ ଲାଗିରହିଥିଲା । ଘଟଣାର ସିବିଆଇ ତଦନ୍ତ ଦାବିରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଅପରପକ୍ଷରେ ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ହଟ୍ଟଗୋଳ ଲାଗି ରହିବାରୁ ଗୃହକୁ ୧୧.୩୮ରୁ ୩ଟା ପର୍ଯ୍ୟନ୍ତ ମୁଲତବୀ  କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରଥମ ଦିନଟି ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ବିୟୋଗରେ ଗୃହ ମଲତବୀ ରହିଥିବାବେଳେ ଦ୍ୱିତୀୟ ଦିନ ଏମଏସପି ବୃଦ୍ଧି ପ୍ରସଙ୍ଗରେ ହଟ୍ଟଗୋଳ ହେବାରୁ ଗୃହ କର୍ଯ୍ୟ ସୂଚବାରୁଭାବେ ସମ୍ପାଦିତ ହୋଇପାରିନଥିଲା ।


    

Maximum 500 characters