Nov 20, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଧାନସଭା ଖବର

ମୁଖ୍ୟ ଖବର

ମୋଦିଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ କଂଗ୍ରେସର ଦାବି

Date: Sep 9, 2017    Views: 68

ଭୁବନେଶ୍ୱର:  ଏମଏସପି ବୃଦ୍ଧି ଦାବିରେ ଗୃହର ପୂର୍ବାହ୍ନ ଅଧିବେଶନ ବିଜେଡ଼ିର ନାରାବାଜି ଯୋଗୁ ଧୋଇହୋଇ ଯାଇଥିବା ବେଳେ ଅପରାହ୍ନ ଅଧିବେଶନରେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରିଥିଲେ  । ମୋଦିଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ବିରୋଧୀ କଂଗ୍ରେସ ଦାବି କରିଥିବା ବେଳେ ସର୍ବଦଳୀୟ ବୈଠକ ଦାବିରେ ହଟ୍ଟଗୋଳ କରିଛି  । ବିରୋଧୀ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ଗୃହ ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ ରହିଛି  ।
ଅପରାହ୍ନ ଅଧିବେଶନରେ ଏମଏସପି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ  । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପି ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧାନସଭା ଗୃହ କମିଟିକୁ ସମୟ ଦେଇ ନଥିବାରୁ ଗଭୀର କ୍ଷେଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ
ନେତା ନରସିଂହ ମିଶ୍ର । ପ୍ରଧାନମନ୍ତ୍ରୀ ଏତାଦୃଶ ନିଷ୍ପତ୍ତି ନେଇ ସାଢେ ଚାରି କୋଟି ଓଡ଼ିଆଙ୍କୁ  ଅପମାନିତ କରିଛନ୍ତି । ଏନେଇ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଅଣାଯାଉ ବୋଲି ନରସିଂହ ଦାବି କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁ୍ୟଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଗୃହରେ ଏକ ସର୍ବସମ୍ମତି ସଂକଳ୍ପ ପାରିତ ହୋଇଥିଲା । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନା କରିବା ନିମନ୍ତେ ସବୁ ଦଳ ନିଷ୍ପତ୍ତି ନେଇଥିଲେ ।  ତେବେ ଦୁଃଖ ଓ ପରିତାପର ବିଷୟ ପ୍ର୍ରଧାନମନ୍ତ୍ରୀ ମୋଦି ଗୃହକମିଟିକୁ ଭେଟିବା ପାଇଁ ସମୟ ଦେବା ଦୂରର କଥା ବରଂ ଗୃହକମିଟିର ଅନୁରୋଧ ସଂକ୍ରାନ୍ତରେ ସୌଜନ୍ୟମୂଳକ ଉତ୍ତର ମଧ୍ୟ ଦେଇନଥିଲେ । ୨୦୧୪ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଏମଏସପିକୁ ଦେଢ ଗୁଣା ବୃଦ୍ଧି କରିବା ପାଇଁ ଭାଷଣ ଦେଇଥିବାବେଳ କୃଷି ପ୍ରତି ତାଙ୍କର କେତେ ଦରଦ ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ସମୟ ନଦେବା ପରେ ପ୍ରତିମାସରେ ଗୃହ କମିଟିର ବୈଠକ କରି ବାରମ୍ବାର ପତ୍ର ଲେଖିବା ପାଇଁ ମୁଁ ଦାବି କରିଥିଲେ ମଧ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରିନାହାନ୍ତି ।
ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଲେ ଯେ, ଏମଏସପି ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ଆମେ ମୁଲତବୀ ପ୍ରସ୍ତାବ ଦେଇଥିଲୁ । ବାଚସ୍ପତି ମଧ୍ୟ ତାହାକୁ ଗ୍ରହଣ କରିଥିଲେ । କିନ୍ତୁ ପ୍ରଶ୍ନ ଉତ୍ତର କାଳରେ ଏହି ପ୍ରସଙ୍ଗ ଉଠାଇ ଶାସକଦଳ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଗୃହକୁ ସୁରୁଖୁରରେ ଚଳାଇବା ଦାୟିତ୍ୱ ହେଉଛି ଶାସକ ଦଳର କର୍ତ୍ତବ୍ୟ । କିନ୍ତୁ ଦଳୀୟ କାର୍ଯ୍ୟକ୍ରମ ପାଇଁ ଗୃହକୁ ମୁଲତବୀ ରଖିବା ଠିକ ନୁହେଁ । ବାଚସ୍ପତି ଚାହିଁଥିଲେ ଗୃହକୁ କିଛି ସମୟ ପାଇଁ ମୁଲତବୀ କରିପାରିଥାନ୍ତେ । ତେବେ ସିଧାସଳଖଭାବେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ କାହିଁକି ମୁଲତବୀ କରଗଲା ବୋଲି ସେ ପ୍ରଶ୍ନକରିଥିଲେ ।
ଶ୍ରୀ ମିଶ୍ର କହିଲେ ଯେ, ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗ ସାରା ରାଜ୍ୟର ଚାଷୀକୁଳର ବୃହତ୍ତର ସ୍ୱାର୍ଥ ସହ ଜଡ଼ିତ । କିନ୍ତୁ କେନ୍ଦ୍ରସରକାର ଓ ପ୍ରଧାନମନ୍ତ୍ରୀ ଯେଉଁ ଆଭିମୁଖ୍ୟ ପୋଷଣ କରିଛନ୍ତି ତାହ ଅତ୍ୟନ୍ତ ନିନ୍ଦନୀୟ । ଓଡ଼ିଶାର ସାଢେ ୪କୋଟି  ଲୋକଙ୍କୁ  କ୍ରୀତଦାସ ଭଳି ବ୍ୟବହାର କରାଯାଇ ପାରିବନି । ରାଜ୍ୟର ଅଧିକାଂଶ ଲୋକ ଅଶିକ୍ଷିତ ହୋଇଥିବାରୁ ମିଛ କହି ପ୍ରଧାନମନ୍ତ୍ରୀ ତାହାର ଫାଇଦା ନେଉଛନ୍ତି । ଏନେଇ ସର୍ବଦଳୀୟ ବୈଠକ ଡକାଯାଇ ଆଲୋଚନା କରାଯାଉ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ତେବେ ଆସନ୍ତା ୧୧ ତାରିଖ ଦିନ କୃଷି ସଂକ୍ରାନ୍ତୀୟ ଆଲୋଚନା ହେବ ବୋଲି ବାଚସ୍ପତି ପ୍ରଦୀପ ଅମାତ ଘୋଷଣା କରିଥିଲେ  ।
ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ତାରାପ୍ରସାଦ ବାହିନୀପତି କହିଲେ ଯେ, ବିଜେପି ଓ ବିଜେଡି ୯ ବର୍ଷ ଧରି ଶାସନ କରି ଓଡ଼ିଶାକୁ ଲୁଟ୍ କରିଛନ୍ତି । ତେବେ ବିଜେପିର ରାଷ୍ଟ୍ରୀୟ ସଭାପତି ଓଡ଼ିଶା ଆସିଥିବାବେଳେ ୧୨୦ ଆସନ ଜିତିବେ ବୋଲି ବାହୋସ୍ପଟ ମାରିଛନ୍ତି । ସେପଟେ ବିଜେଡି ମଧ୍ୟ ୧୨୩ଟି ସିଟ ଜିତିବ ବୋଲି କହୁଛି । ସେ କହିଲେ ଯେ,  ଗୃହକୁ ୩ ଦିନ କାଳ ବନ୍ଦ କରାଯିବା ପରେ ଗତ ଅଧିବେଶନରେ ଏମଏସପି ବୃଦ୍ଧି ସଂକ୍ରାନ୍ତରେ ସର୍ବସମ୍ମତି ସଂକଳ୍ପ ପାରିତ ହୋଇଥିଲା ।  ତେବେ ଗୃହ କମିଟିକୁ ସାକ୍ଷାତ କରିବା ପାଇଁ ପ୍ରଧାନମନ୍ତ୍ରୀ ସମୟ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଚାଷୀଙ୍କୁ ନେଇ ବିଜେଡି ଶାସ୍ତା ରାଜନୀତି କରୁଛି ।  ଯଦି ସରକାରଙ୍କ ଚାଷୀ ପ୍ରତି ଏତେ ଦରଦ ତେବେ ଋଣ ଛାଡ଼ କରାଯିବା ସହ ମାସକୁ ୨୦୦୦ ଟଙ୍କା ପେନସନ ଘୋଷଣା କରାଯାଉ । ସେହିପରି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ମଧ୍ୟ ସେ ଦାବି କରିଥିଲେ । କଂଗ୍ରେସ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ ଓ ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଥିଲେ ।
 ଏହି ପ୍ରସଙ୍ଗରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଲେ ଯେ, ୫୦ ବର୍ଷ ଶାସନ କରିଥିବା କଂଗ୍ରେସ ଓ ୧୭ ବର୍ଷ ଶାସନ କରିଥିବା ବିଜେଡି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।  ବେଦାନ୍ତର ଆସପଣ୍ଡ ଭାଙ୍ଗିଯିବାରୁ ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷୀମାନେ ଆନେ୍ଦାଳନକୁ ଓହ୍ଲାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସରକାର ବେଦାନ୍ତର ଦଲାଲୀ କରୁଛନ୍ତି ।  ଚାଷୀଙ୍କ ଆକାଉଣ୍ଟକୁ ଏମଏସପି ଯାଉନାହିଁ । ମିଲରମାନେ ଲୁଟ କରୁଛନ୍ତି । ଚାଷୀଙ୍କ ପାଇଁ ଆସିଥିବା ବିହନ ମଧ୍ୟ ଖାଇଦେଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।  
ଶାସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେ ଯେ, ସରକାରଙ୍କ ଚାଷୀ ପ୍ରତି ଦରଦ ରହିଛି । ଚାଷୀଙ୍କ ବିକାଶ ପାଇଁ ଅତୀତରେ ବହୁ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ।  ଏମଏସପି ସଂକ୍ରାନ୍ତୀୟ ଗୃହ କମିଟି ମଧ୍ୟ ରହିଥିବାବେଳେ ଏନେଇ ଆଲୋଚନା କରାଯାଉ ବୋଲି ମଧ୍ୟ ସେ କହିଥିଲେ । ତେବେ ଶ୍ରୀ ଶତପଥୀ କହୁଥିବାବେଳେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା ହଟ୍ଟଗୋଳ କରିଥିଲେ । ଫଳରେ ଗୃହକୁ ୩.୩୩ରୁ ୪ଟା୦୩ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ପୁନଶ୍ଚ ୪ଟା୦୩ ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ ୪ଟା୦୩ରୁ ସୋମବାର ପୂର୍ବାହ୍ନ୧୦.୩୦ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ କରିଦେଇଥିଲେ ।

 


    

Maximum 500 characters