Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

Date: Jun 28, 2017    Views: 139


ଭୁବନେଶ୍ୱର:ଜନ୍ମବେଦୀ ତଥା ଆଡ଼ପ ମଣ୍ଡପକୁ ମଙ୍ଗଳବାର ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦୀର୍ଘ ଦୁଇ ଦିନ ଧରି ରଥ ଉପରେ ରହିବା ପରେ ଶ୍ରୀ ବିଗ୍ରହ ଗୋଟି ପହଣ୍ଡିରେ ବିଜେ କରିଛନ୍ତି । ଏକ ଭକ୍ତି ମୟ ପରିବେଶରେ ଦଇତାମାନେ ଶ୍ରୀଜୀଉଙ୍କୁ ପହଣ୍ଡିରେ ନେଇଛନ୍ତି । ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବାର ପରଦିନ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହୋଇଥାଏ । ତଦନୁସାରେ ମଙ୍ଗଳବାର ସକାଳୁ ରଥାରୁଢ ଠାକୁରଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପହର ଧୂପ ଓ ସାଧୂପ ନୀତି ଅନୁଷ୍ଠିତ ହେବା ପରେ ପରମ୍ପରା ଅନୁଯାୟୀ ଗୋଟି ପହଣ୍ଡିରେ ଠାକୁରମାନେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ।  ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ସୁଦର୍ଶନ ବିଜେ କରିଥିଲେ । ଏହା ପରେ ତାଳଧ୍ୱଜ ରଥରୁ ବଳଭଦ୍ର, ଦେବଦଳନ ରଥରୁ ଦେବୀ ସୁଭଦ୍ରା ଓ ନନ୍ଦିଘୋଷ ରଥରୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ କରିଥିଲେ । ଏହି ଅବସରରେ ଠାକୁରଙ୍କ ଟାହିଆ ଦୋଳନ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ।  ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିିଙ୍କ ଦର୍ଶନ ଲାଗି ଭକ୍ତମାନଙ୍କ ପ୍ରବଳ ସମାଗମ ହୋଇଥିଲା । ପ୍ରକାଶ ଯେ, ଗତ ରବିବାର ଘୋଷଯାତ୍ରାରେ ତିନି ଠାକୁର ଶ୍ରୀମନ୍ଦିରରୁ ବାହାରି ରଥରେ ବିଜେ ହୋଇ ଭକ୍ତଙ୍କ ଗହଣରେ ମାଉସୀ ଘରକୁ ଆସିଥିଲେ । ମଙ୍ଗଳବାର ରଥରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ବଢିବା ପରେ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।  ସନ୍ଧ୍ୟାରେ ଭୋଇ ସେବକମାନେ ତିନି ରଥରୁ ଘୋଡ଼ା ଅପସାରଣ କରି ଚାରମାଳ ବାନ୍ଧିଥିଲେ ।  ଚାରମାଳ ବନ୍ଧା ସରିବା ପରେ ମୁଦିରସ୍ତ ସେବକମାନେ ମହାପ୍ରଭୁଙ୍କ ପୁଷ୍ପଞ୍ଜଳି ପ୍ରଦାନ କରିବା ସହିତ ତୁଳି ଲାଗି କରିଥିଲେ । ପରେ ପହଣ୍ଡି ଆରମ୍ଭ    ହୋଇଥିଲା । ଏହି ଅବସରରେ ଘଣ୍ଟ, ସଙ୍କୀର୍ତ୍ତନ, ହରିବୋଲ ଓ ହୁଳହୁଳି ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହୋଇଉଠିଥିଲା । ଗୁଣ୍ଡିଚା ମନ୍ଦିରରେ ଭିଡ଼କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନ୍ୟପକ୍ଷରେ ଆସନ୍ତାକାଲି ଭକ୍ତମାନେ ଆଡ଼ପ ଦର୍ଶନ ସହ ଆଡ଼ପ ମହାପ୍ରସାଦ ପାଇପାରିବେ ।


    

Maximum 500 characters