Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

ରଥାରୁଢ ଶ୍ର୍ରୀଜୀଉଙ୍କୁ ଦେଖି ଭକ୍ତ ତଲୀନ

Date: Jun 26, 2017    Views: 134

ଭୁବନେଶ୍ୱର: ଜୟ ଜଗନ୍ନାଥ ! ଜୟ ଜଗନ୍ନାଥ !! ଜୟ ଜଗନ୍ନାଥ !!! ଘଣ୍ଟଘଣ୍ଟା, କାହାଳୀ, ମର୍ଦ୍ଧଳ ସହ ତାଳ ଦେଇ ଲକ୍ଷ ଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ  । ଶ୍ର୍ରୀଜୀଉଙ୍କୁ ପାଖରେ ପାଇ ବିଭୋର ହୋଇ ଯାଇଥିଲେ ଭକ୍ତ । କିଏ ନାଚି ନାଚି ବିଭୋର ହୋଇଯାଇଥିଲା ତ କିଏ ତଳେ ଗଡ଼ି ଯାଉଥିଲା । ବର୍ଷକେ ଥରେ କାଳିଆ ଠାକୁର ଭାଇ ଭଉଣୀକୁ ଧରି ଶ୍ରୀମନ୍ଦିର ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସନ୍ତି । କାଳିଆର ଚକାଆଖି ଦେଖି, ରଥ ଟାଣି ପୂଣ୍ୟ ଅର୍ଜିବା ପାଇଁ କିଏ ପୁରୀ ଛୁଟି ଯାଇଥିଲା ତ ଆଉ କିଏ ସାରା ଦିନ ଟିଭି ଆଗରେ ବସି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡିବିଜେ, ଛେରା ପହଁରା ଆଉ ରଥଟଣା ଦେଖିବାରେ ନିମଗ୍ନ ରହିଥିଲା । ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପୁରୀର ପବିତ୍ର ଘୋଷଯାତ୍ରା ପାଳିତ ହୋଇଛି । ଏହି ଅବସରରେ ଜନସମୁଦ୍ରରେ ପୁରୀ ବଡ଼ଦାଣ୍ଡ ଫାଟି ପଡ଼ୁଥିଲା । ପୁଲିସ ପକ୍ଷରୁ ବି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କାଁ ଭାଁ ଅଘଟଣକୁ ଛାଡ଼ିଦେଲେ ରଥଯାତ୍ରା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି । ରାତି ପାହିଲାବେଳକୁ ଭକ୍ତଙ୍କ ଭିଡ଼ରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଥିଲା । ରଥ, ପଥ ବଡ଼ଦାଣ୍ଡ ସବୁ ଜଗନ୍ନାଥମୟ ହୋଇପଡ଼ିଥିଲା । ରଥ ଟାଣିବା ପାଇଁ ଆଜି ପୁରୀରେ ପ୍ରାୟ ୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ଆଜି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିପାରି ନାହିଁ ।
ନିର୍ଦ୍ଧାରିତ ସମୟର ୧ଘଣ୍ଟା ବିଳମ୍ବରେ ପହଣ୍ଡି ବିଜେ ହୋଇଥିଲା । ପହଣ୍ଡି ବିଳମ୍ବ ଯୋଗୁଁ ରଥଟଣା ବିଳମ୍ବିତ ହୋଇଥିଲା । ରଥଟଣାରେ ବିଳମ୍ବ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ କୌଣସି ରଥ ପହଞ୍ଚି ପାରିନାହିଁ । ବଳଗଣ୍ଡି ନିକଟରେ ବଳଭଦ୍ରଙ୍କ ତାଳଧ୍ୱଜ ଅଟକି ରହିଥିବାବେଳେ ବଗଲା ଧର୍ମଶାଳା ନିକଟରେ ସୁଭଦ୍ରାଙ୍କ ଦର୍ପଦଳନ ଅଟକି ରହିଛି । ସେହିପରି ଟାଉନ ଥାନା ନିକଟରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଅଟକି ରହିଛି । ଆସନ୍ତାକାଲି ରଥଟଣା ହେବା ସହ ତିନି ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚôବ  । ଅପରପକ୍ଷରେ ଏହି ମହାର୍ଘ ଓ ବିଶାଳ ଯାତ୍ରା ପାଇଁ ପୁରୀ ସହରରୁ ନେଇ ସମୁଦ୍ର କୂଳ ଯାଏଁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା  ।
ରଥଯାତ୍ରା ଦେଖିବା ପାଇଁ ପୁରୀରେ ଅନୂ୍ୟନ ୫ ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିଲା । ଲକ୍ଷାଧିକ ଭକ୍ତଙ୍କ ଭିଡ ଯୋଗୁଁ ପୁରୀ ବଡଦାଣ୍ଡ ଏକପ୍ରକାର ଜନ ସମୁଦ୍ରରେ ପରିଣତ ହୋଇଥିଲା । ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଦଇତାପତି ସେବାୟତମାନଙ୍କ ଗହଣରେ ପ୍ରଥମେ ମହାପ୍ରଭୁ ସୁଦର୍ଶନ, ପରେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିଜେ ହୋଇଥିଲେ । ଚତୁର୍ଦ୍ଧା ମୂର୍ତ୍ତିମାନେ ଘଣ୍ଟୁଆ ସେବାୟତମାନଙ୍କ ଘଣ୍ଟ ଘଣ୍ଟା ଧ୍ୱନିରେ ମୁଣ୍ଡରେ ସୋଲ ଓ ପୁଷ୍ପରେ ନିର୍ମିତ ଟାହିଆ ଲଗାଇ ଗୋଟି ପହଣ୍ଡିରେ ଝୁଲି ଝୁଲି ଆସି ରଥାରୂଢ଼ ହେଉଥିବାର ଦୃଶ୍ୟ ଅତ୍ୟନ୍ତ ଆର୍କଷଣୀୟ ଓ ମନୋରମ ଥିଲା । ହିନ୍ଦୁ ଧର୍ମର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଅନୁଗାମୀଙ୍କ ସହ ରଥାରୁଢ ଠାକୁରଙ୍କୁ ଦର୍ଶନ କରିଥିଲେ । ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁବର୍ଣ୍ଣ ଝାଡ଼ୁରେ ତିନି ରଥରେ ଛେରାପହଁରା କରିଥିଲେ । ପରେ ଚାରମାଳ ଖୋଲାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ରଥ ଟଣା । ପ୍ରଥମେ ଗଡ଼ିଥିଲା ବଳଭଦ୍ରଙ୍କ ତାଳଧ୍ୱଜ । ଭକ୍ତମାନେ ଶ୍ରଦ୍ଧାର ସହ ତାଳଧ୍ୱଜ ରଥକୁ ଟାଣି ନେଇଥିଲେ । କିଛି ବାଟ ଯିବା ପରେ ବଳଭଦ୍ର ସାନଭାଇ ଜଗା ଓ ଭଉଣୀ ସୁଭଦ୍ରାଙ୍କ ପାଇଁ ଅଟକି ଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ମା’ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭର କିଛି ସମୟରେ ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଥିଲା । ରଥଟଣା ସହ ଭକ୍ତ ଭଗବାନ ଏକାକାର ହୋଇଯାଇଥିଲେ । ମାତ୍ର ଆଜି ରତ୍ନବେଦୀରୁ ଜନ୍ମବେଦୀକୁ ପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇନି । ବାଟରେ ଅଟକି ରହିଥିବା ରଥକୁ କାଲି ଭକ୍ତମାନେ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇବେ ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟଠାରୁ ସାମାନ୍ୟ ବିଳମ୍ବରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆରତୀ ସକାଳ ୭ଟା ୩୫, ମଇଲମ ୭ଟା ୪୦, ତଡପ ଲାଗି ୭ଟା ୫୦, ଅବକାଶ ୮ଟା ୧୦, ଦ୍ୱାରପାଳ ପୂଜା ୮ଟା ୫୦, ସକାଳ ଧୂପ ଆରମ୍ଭ ୯ଟା୧୫, ସକାଳ ଧୂପ ଶେଷ ୯ଟା ୫୫, ରଥ ପ୍ରତିଷ୍ଠା ୧୦ଟା ୦୫, ମଙ୍ଗଳାର୍ପଣ ୧୦ଟା୨୫, ପହଣ୍ଡି ଆରମ୍ଭ ୧୦ଟା୨୫ ଓ ପହଣ୍ଡି ଶେଷ ୨ଟା୧୦ରେ ହୋଇଥିଲା । ଛେରା ପହଁରା ୨ଟା୪୫ରୁ ଆରମ୍ଭ ହୋଇ ୩ ଟା୪୦ ରେ ଶେଷ ହୋଇଥିଲା । ୩ଟା୫୫ରେ ରଥଟଣା ଆରମ୍ଭ ହୋଇଥିଲା ।
୪ଟା୩୦ରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣା ଆରମ୍ଭ ହୋଇଥିଲାବେଳେ ୫.୦୫ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଥିଲା । ତେବେ ସନ୍ଧ୍ୟା ୬.୪୦ରେ ରଥଟଣା ବନ୍ଦ ରହିଥିଲା । ସୋମବାର ସକାଳ ୯ଟାରେ ପୁଣି ରଥଟଣା ଆରମ୍ଭ ହୋଇଥିଲା ।
ଅନ୍ୟପକ୍ଷରେ ଆଜି ଶ୍ରୀଜୀଉମାନଙ୍କ ପହଣ୍ଡି ସମୟରେ ସୁରକ୍ଷା ବଳୟକୁ ଭେଦ କରି କେତେକ ଭକ୍ତ ଶ୍ରୀଜୀଉଙ୍କୁ ଛୁଇଁଛନ୍ତି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି । ପହଣ୍ଡି ସମୟରେ ଶ୍ରୀଜୀଉମାନଙ୍କ ଅଙ୍ଗ ସ୍ପର୍ଶ ଉପରେ ଶ୍ରୀମନ୍ଦିର ପ୍ରଶାସନ କଟକଣା ଲଗାଇଥିଲା । ଏଥିପାଇଁ ସିସିଟିଭି କ୍ୟାମେରା ଲଗାଯାଇ ପହଣ୍ଡି ଉପରେ ନଜର ରଖାଯାଇଥିଲା । ଏହା ସତ୍ତ୍ୱେ କେତେକ ଭକ୍ତ ଶ୍ରୀଜୀଉମାନଙ୍କୁ ଛୁଇଁଥିବା ଅଭିଯୋଗ ହୋଇଛି । ଏପରିକି ଗଜପତି ମହାରାଜ ଶ୍ରୀଅଙ୍ଗ ସ୍ପର୍ଶ ନିଷେଧଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ରାମଚନ୍ଦ୍ର ଦାସମହାପାତ୍ର ଚ୍ୟାଲେଞ୍ଜ କରିଛନ୍ତି । ଶ୍ରୀ ଦାସମହାପାତ୍ର କହିଛନ୍ତି ଯେ, କୀର୍ତ୍ତନ ଚକଡ଼ାରେ ଶ୍ରୀଜୀଉଙ୍କୁ ଭକ୍ତମାନେ ଛୁଇଁଛନ୍ତି ।
କିନ୍ତୁ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅସ୍ୱୀକାର କରାଯାଇଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି ଯେ, କେହି ଭକ୍ତ ଶ୍ରୀଜୀଉଙ୍କୁ ଛୁଇଁ ନାହାନ୍ତି । ତେବେ ଏନେଇ ରଥଯାତ୍ରା ପରେ ସିସିଟିଭି ଫୁଟେଜ ଯାଞ୍ଚ କରାଯିବ । ଯଦି କେହି ଛୁଇଁଥିବା ଏଥିରୁ ଜଣାପଡେ଼ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।


    

Maximum 500 characters