Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

ରଜ ପାଇଁ ସଜବାଜ ରାଜଧାନୀ

Date: Jun 14, 2017    Views: 184

ଭୁବନେଶ୍ୱର : ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ  । ଏହିପରି ସଙ୍ଗୀତର ମୂର୍ଚ୍ଛନାରେ ପ୍ରକମ୍ପିତ ହେବ ରାଜଧାନୀ  । ପିଠାପଣା ସାଙ୍ଗକୁ ରଜପାନ ଓ ରଜ ଦୋଳିରେ ମଜା ଉଠାଇବେ ପାଇଁ ରାଜଧାନୀବାସୀ ଏବେ ପ୍ରସ୍ତୁତ  । କିଏ କେଉଁଠିକୁ ବୁଲିବା ଲାଗି ଯିବେ, ରଜ କିପରି ପାଳନ କରିବେ ସେଥିପାଇଁ ଯୋଜନା ମଧ୍ୟ ହୋଇ ସାରିଲେଣି  । ଅନ୍ୟପଟେ ରଜ ପାଇଁ ରାଜଧାନୀ ମାର୍କେଟ ଏବଂ ସପିଙ୍ଗ୍ ମଲ୍ରେ ମଧ୍ୟ ବେଶ ଭିଡ଼ ପରିଲକ୍ଷିତ ହେଉଛି  । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ରଜ ତିନି ଦିନକୁ ବେଶ ନିଆରା ଢଙ୍ଗରେ କାଟିବେ ବୋଲି ଲୋକେ ଯୋଜନା କରିଛନ୍ତି  ।
ସପିଙ୍ଗ୍ ମଲ୍ରେ ଭିଡ଼:- ରଜ ପାଇଁ ରାଜଧାନୀର ସପିଙ୍ଗ୍ ମଲ୍ ଓ ମାର୍କେଟରେ ସଂଧ୍ୟା ସମୟରେ ବେଶ ଭିଡ଼ ଦେଖିବାକୁ ମିଳିଛି  । ପୋଷାକପତ୍ର ଓ ମନୋହରୀ ସାମଗ୍ରୀ କିଣିବା ପାଇଁ ଯୁବତୀ ଓ ମହିଳାମାନେ ଭିଡ଼ ଜମାଉଛନ୍ତି  । ଲୋକଙ୍କ ଚାହିଦାକୁ ଦେଖ ସପିଙ୍ଗ୍ ମଲ୍ଗୁଡ଼ିକରେ ମଧ୍ୟ ବେଶ୍ ଆକର୍ଷଣୀୟ ଅଫରମାନ ରଖାଯାଇଛିି  । କୁର୍ତି ଓ ଲେଗିନ୍ସ ପ୍ଲାଜିଓର ଚାହିଦା ବେଶ୍ ଅଧିକ ରହିଥିବା ବେଳେ ଏହାର ମୂଲ୍ୟ ୭୦୦ ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ରହିଛି  ।
ରଜପାନ:- ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ରାଜମହଲ ଛକ ଭଳି ସ୍ଥାନମାନଙ୍କରେ ରଜ ପାଇଁ ବଡ଼ ବଡ଼ ପାନ ଦୋକାନ ଖୋଲାଯାଇଛି  । ଏହି ଷ୍ଟଲ୍ଗୁଡ଼ିକ ନାନା ରକମର ମିଠା ମସଲାରେ ଭରା ରଜପାନ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି  । ଏଥରର ମୁଖ୍ୟ ଆକର୍ଷଣ ହେଉଛି ଫାୟାର ପାନ ଓ ବରଫ ପାନ  । ପାନଗୁଡ଼ିକର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ରଖାଯାଇଛି  ।
ପ୍ଲାଷ୍ଟିକ ଦୋଳି:- ରଜ ଅବସରରେ ବହୁ ଦିନ ପୂର୍ବରୁ ରାଜଧାନୀର ବିଭିନ୍ନ ରାସ୍ତା କଡ଼ରେ ପ୍ଲାଷ୍ଟିକ ଦୋଳିମାନ ବିକି୍ର କରାଯାଉଛି  । ଆନ୍ଧ୍ରରୁ ଏହି ଦୋଳିଗୁଡ଼ିକୁ ବ୍ୟବସାୟୀମାନେ ଆଣି ଏଠାରେ ବିକ୍ରି କରୁଛନ୍ତି  । ଏହି ଦୋଳି ପ୍ରତି ମଧ୍ୟ ଲୋକଙ୍କର ବେଶ୍ ଚାହିଦା ରହିଛି  । ଏହାର ମୂଲ୍ୟ ରହିଛି ୧୦୦ରୁ ଆରମ୍ଭ କରି ୩୦୦ ଟଙ୍କା  ।
ପର୍ଯ୍ୟଟନ ବିଭାଗ ପକ୍ଷରୁ ରଜ ଓ ପିଠାପଣା:- ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ କୃଷିଭିତ୍ତିକ ପ୍ରସିଦ୍ଧ ପର୍ବ ରଜକୁ ଦୃଷ୍ଟିରେ ରଖି ରଜ ମହୋତ୍ସବ ଓ ଖାଦ୍ୟ ମେଳା ଆଜିଠାରୁ ଆରମ୍ଭ ହୋଇଛି  । ଏହି ମେଳା ଆସନ୍ତା ୧୬ ତାରିଖ ଯାଏଁ ଚାଲିବ  । ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଆଜି ସକାଳେ ସ୍ଥାନୀୟ ପାନ୍ଥନିବାସରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମହୋତ୍ସବକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାଂସଦ ଡଃ. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇଥିଲେ  । ବିଶିଷ୍ଟ ଅତିଥି ଭାବରେ ଭୁବନେଶ୍ୱର ଉତ୍ତର ବିଧାୟକ ପି୍ରୟଦର୍ଶୀ ମିଶ୍ର ଓ ମହାନଗର ନିଗମ ମେୟର୍ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ  ।
ଅନୁରୂପ ଭାବରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଖାଦ୍ୟ ମେଳା ଉଦ୍ଘାଟିତ ହୋଇଯାଇଛି  । ସଂଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସମେତ ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ମିଶ୍ର ଓ ଭୁବନେଶ୍ୱର ମେୟର୍ ଶ୍ରୀ ଜେନା ଉପସ୍ଥିତ ଥିଲେ  । ରଜ ପିଠା, ବିଭିନ୍ନ କିସମର ଖାଦ୍ୟ ସାଙ୍ଗକୁ ରଜ ପାନ ଏବଂ ଆକର୍ଷଣୀୟ ରଜଦୋଳି ପ୍ରସ୍ତୁତ ହୋଇଥିଲା  । ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ବିଭିନ୍ନ ପିଠାପଣାର ସୁଗନ୍ଧରେ ପରିବେଶ ମହକି ଉଠିଥିଲା  । ଖାଦ୍ୟ ମେଳାରେ କେତେକ ହୋଟେଲ୍ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ  । ଉଭୟ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଆରତି ଆହୁଜା ଉପସ୍ଥିତ ଥିଲେ  । ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବ୍ୟବସ୍ଥା ହୋଇଛି  । ଆଜି ସଂଧ୍ୟାରେ ପ୍ରଦର୍ଶନୀ ପଡ଼ିଆରେ ବିଶେଷ ଗହଳି ପରିଲକ୍ଷିତ ହୋଇଥିଲା  ।


    

Maximum 500 characters