Nov 17, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

ଆୟୋଡିନ ଲୁଣ

Date: Apr 28, 2017    Views: 223

ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତାର ଅଭାବ ଓ ଆଇନର ସଠିକ୍ ଅନୁପାଳନ ହେଉନଥିବାରୁ ରାଜ୍ୟରେ ଆୟୋଡ଼ିନ ସେବନ ଉଦ୍ବେଗଜନକ ଭାବେ କମ୍ ରହିଛି  । ନିକଟରେ ୟୁନିସେଫ୍ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଜାତୀୟସ୍ତରରେ ୭୧ ପ୍ରତିଶତ ଲୋକେ ଆୟୋଡ଼ିନ୍ ଲୁଣ ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ମାତ୍ର ୩୨.୪ ପ୍ରତିଶତ ଲୋକ ଏହି ଦରକାରୀ ପଦାର୍ଥ ଖାଉଛନ୍ତି  । ଆମ ରାଜ୍ୟରେ ଆୟୋଡ଼ିନ୍ ବ୍ୟବହାରରେ ଏଭଳି ତାରତମ୍ୟ ଚିନ୍ତାର ବିଷୟ ହୋଇଛି  ।
ବିଡ଼ମ୍ବନାର ବିଷୟ ଯେ, ଶରୀର ପାଇଁ ଖୁବ୍ ନଗଣ୍ୟ ପରିମାଣର ଆୟୋଡ଼ିନ୍ ଆବଶ୍ୟକୀୟ ହେଉଥିବା ବେଳେ ଦାରିଦ୍ର୍ୟ ଓ ସଚେତନତାର ଅଭାବ ଯୋଗୁଁ ଆମ ରାଜ୍ୟର ଅନେକ ଲୋକ ସେତକ ମଧ୍ୟ ସେବନ କରୁନାହାଁନ୍ତି  । ମାନବ ଶରୀର ପାଇଁ ଦୈନିକ ମାତ୍ର ୧୫୦ ମାଇକ୍ରୋ ଗ୍ରାମ୍ ଅର୍ଥାତ୍ ଆଲ୍ପିନ୍ ମୂନରେ ମୁନେ ପରିମାଣର ଆୟୋଡ଼ିନ୍ ଦରକାର  । ଏହି ହିସାବରେ ବର୍ଷକୁ ଜଣେ ବ୍ୟକ୍ତି ଏକ ଚାମଚ ଆୟୋଡ଼ିନ୍ ଖାଇଲେ ଯଥେଷ୍ଟ  । ହେଲେ ଅନେକ ଲୋକ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼, ରାୟଗଡ଼ା, ମାଲକାନାଗିରି ଆଜି ବି ଆୟୋଡ଼ିନ୍ ରହିତ ଗୋଡ଼ାଲୁଣ ବ୍ୟବହାର କରୁଛନ୍ତି  । କେତେକ କ୍ଷେତ୍ରରେ ମଧ୍ୟ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନେ ବାଧ୍ୟ ବାଧକତାରେ ଶସ୍ତା ଗୋଡ଼ାଲୁଣ ଖାଉଛନ୍ତି  । ଆୟୋଡ଼ିନ୍ ଏକ ପ୍ରାକୃତିକ ପଦାର୍ଥ, ଯାହାକି ମାଟିରେ ମିଶି ଥାଏ  । ସାଧାରଣତଃ ପନିପରିବା ଓ ଶସ୍ୟ ସହ ତାହା ଶରୀରକୁ ଯାଇଥାଏ  । ହେଲେ ଅନେକ ସମୟରେ ବର୍ଷା ପାଣିରେ ମାଟି ଧୋଇ ହୋଇଯାଉଥିବାରୁ ପରିବାରରେ ଯଥେଷ୍ଟ ମାତ୍ରାରେ ଆୟୋଡ଼ିନ୍ ମିଳିନଥାଏ  । ଏଥିପାଇଁ ଅନେକ ଦେଶରେ ଭିନ୍ନ ଭିନ୍ନ ଖାଦ୍ୟପଦାର୍ଥରେ ସ୍ୱତନ୍ତ୍ର ଭାବେ ଆୟୋଡ଼ିନ୍ ମିଶ୍ରଣ କରାଯାଏ  । ଭାରତରେ ଲୁଣ ପ୍ରାୟ ସମସ୍ତଙ୍କ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଥିବାରୁ ଏଥିରେ ଆୟୋଡ଼ିନ୍ ସମ୍ମିଶ୍ରଣ କରାଯାଉଛି  । ଦେଶର ଅଧିକାଂଶ ରାଜ୍ୟରେ ଆୟୋଡ଼ିନ୍ ମିଶି୍ରତ ଲୁଣ ବିକ୍ରି ବାଧ୍ୟତାମୂଳକ କରାଯାଇଛି  । ଓଡ଼ିଶାରେ ମଧ୍ୟ ୨୦୦୧ ମସିହାରୁ ଆୟୋଡ଼ିନ ରହିତ ଲୁଣ ବିକ୍ରି ନିଷିଦ୍ଧ କରାଯାଇଛି  । ତଥାପି କିନ୍ତୁ ଏଠାରେ ଗ୍ରାମାଞ୍ଚଳଗୁଡ଼ିକରେ ଆୟୋଡ଼ିନ୍ ମିଶାଯାଇନଥିବା ଗୋଡ଼ାଲୁଣ ବିକ୍ରି ଚାଲିଛି  । ଫଳରେ ପ୍ରତି ବର୍ଷ ଅନେକ ଶିଶୁ ଆୟୋଡ଼ିନ୍ ଅଭାବ ଯୋଗୁଁ ଗଳଗଣ୍ଡ, କମ୍ ବୃଦ୍ଧି ଶକ୍ତି ଓ ଅନ୍ୟ ମାରାତ୍ମକ ରୋଗର ଶିକାର ହେଉଛନ୍ତି  । ଏହି ଦ୍ରବ୍ୟର ଅଭାବ ଯୋଗୁଁ ମଧ୍ୟ ଅନେକଙ୍କର ଗର୍ଭପାତ ଓ ମୃତ ଶିଶୁ ଜନ୍ମ ହେଉଛି  ।
ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ଏଭଳି ଆୟୋଡ଼ିନ ଅଭାବଜନିତ ରୋଗର ପ୍ରାଦୁର୍ଭାବ ବେଶି ଦେଖାଦେଉଛି  । ଆୟୋଡ଼ିନ୍ର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି  । ସରକାରଙ୍କ ସଚେତନତା ପ୍ରଚେଷ୍ଟା ସତ୍ତ୍ୱେ କିନ୍ତୁ ଅନେକ ଲୋକ ସୁସ୍ଥ ଶରୀର ପାଇଁ ଅପରିହାର୍ଯ୍ୟ ଆୟୋଡ଼ିନ ବ୍ୟବହାର କରୁନାହାଁନ୍ତି  । ଯଦିଓ ଏଭଳି ଲୋକଙ୍କ ସଂଖ୍ୟା କେତେ ତାହାର ସଠିକ୍ ଆକଳନ ନାହିଁ, ୨୦୦୯ରେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ୧୭ଟି ଜିଲ୍ଲାରେ ଆୟୋଡ଼ିନ ଅଭାବ ବିଶେଷ ଭାବେ ପରିଲକ୍ଷିତ ହୋଇଥିଲା  । ୨୦୧୦ ମସିହାରେ କରାଯାଇଥିବା ଆଇଏସ୍ସିଏଫ୍ ସର୍ବେକ୍ଷଣରୁ ୫୯ ପ୍ରତିଶତ ଘରେ ଆୟୋଡ଼ିନ ଲୁଣ ବ୍ୟବହାର ହେଉଥିବା ଜଣାପଡ଼ିଥିଲା  । ଆୟୋଡ଼ିନ୍ୟୁକ୍ତ ଲୁଣ ଶରୀର ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ, ତେଣୁ ସାଧାରଣରେ ଏ ନେଇ ସଚେତନତା ବଢ଼ିବା ନିତାନ୍ତ ଜରୁରୀ  ।


    

Maximum 500 characters